ନୂଆଦିଲ୍ଲୀ: ଭାରତୀୟ ଦଳର ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମି ୨୦୨୫ ଚାମ୍ପିଅନ୍ସ ଟ୍ରଫି ପରଠାରୁ ଜାତୀୟ ଦଳରୁ ବାହାରେ ଅଛନ୍ତି। ୨୦୨୩ ଦିନିକିଆ ବିଶ୍ୱକପରେ ସର୍ବାଧିକ ୱିକେଟ୍ ହାସଲ କରିବା ଏବଂ ଘରୋଇ କ୍ରିକେଟ୍‌ରେ ଜବରଦସ୍ତ ପ୍ରଦର୍ଶନ କରିବା ସତ୍ତ୍ୱେ ନିକଟ ଅତୀତରେ ବିସିସିଆଇ ଚୟନକର୍ତ୍ତା ଓ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ପସନ୍ଦ ତାଲିକାରେ ସେ ନାହାନ୍ତି। ତଥାପି, ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ସାମି ଆଶା ଛାଡ଼ିନାହାନ୍ତି। ତାଙ୍କ ପିଲାଦିନର କୋଚ୍ ମହମ୍ମଦ ବଦ୍ରୁଦ୍ଦିନ୍ ପ୍ରକାଶ କରିଛନ୍ତି ଯେ, ସାମି ଆଗାମୀ ସିଜନ୍ ପାଇଁ ନିଜକୁ ସମ୍ପୂର୍ଣ୍ଣ ଫିଟ୍ ରଖିବାକୁ ୫ କିଲୋଗ୍ରାମ ଓଜନ କମାଇଛନ୍ତି।

କୋଚ୍‌ଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ
ସାମିଙ୍କ ମନୋବଳ ଦୃଢ଼ ଅଛି ଏବଂ ଆଗାମୀ ସିଜନ୍ ପାଇଁ ସେ ବେଶ୍ ଉତ୍ସାହିତ ଅଛନ୍ତି। ତାଙ୍କ ଭିତରେ ଏବେ ବି ଯଥେଷ୍ଟ କ୍ରିକେଟ୍ ବାକି ଅଛି। ଦେଶ ପାଇଁ ଯେତେବେଳେ ବି ତାଙ୍କର ଆବଶ୍ୟକତା ପଡ଼ିବ, ସେ ସେବା ଯୋଗାଇବାକୁ ପ୍ରସ୍ତୁତ ଅଛନ୍ତି। ଗତ ସିଜନ୍‌ରେ ସାମି ରଣଜୀ ଟ୍ରଫିର ୭ଟି ମ୍ୟାଚ୍‌ରୁ ୩୭ଟି ୱିକେଟ୍ ଏବଂ ବିଜୟ ହଜାରେ ଟ୍ରଫିର ୭ଟି ମ୍ୟାଚ୍‌ରୁ ୧୫ଟି ୱିକେଟ୍ ହାସଲ କରି ନିଜର ଦକ୍ଷତା ପ୍ରମାଣିତ କରିଥିଲେ।

ହର୍ଷିତ ରାଣା ଓ ପ୍ରସିଦ୍ଧ କୃଷ୍ଣାଙ୍କ ଭଳି ଯୁବ ବୋଲରମାନେ ଆଘାତ ସମସ୍ୟା ଦେଇ ଗତି କରୁଥିବା ବେଳେ ବଦ୍ରୁଦ୍ଦିନ୍ କହିଛନ୍ତି ଯେ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ଭଳି ବିଦେଶୀ ମାଟିରେ ବୋଲିଂ କରିବା ସହଜ ନୁହେଁ। ୨୦୨୭ ଦିନିକିଆ ବିଶ୍ୱକପ୍ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବାରୁ ସେଠାରେ ସାମିଙ୍କ ଭଳି ଅଭିଜ୍ଞ ବୋଲର ଭାରତ ପାଇଁ ବହୁତ ଲାଭଦାୟକ ପ୍ରମାଣିତ ହୋଇପାରିବେ।

ଏହା ପୂର୍ବରୁ ଭାରତୀୟ କ୍ରିକେଟର ଅଜିଙ୍କ୍ୟ ରାହାଣେ ସବୁ ଫର୍ମାଟରୁ ଅବସର ଘୋଷଣା କରିବା ପରେ ସାମି ତାଙ୍କର ପ୍ରଶଂସା କରିଥିଲେ। ସାମି ନିଜ ଇନ୍‌ଷ୍ଟାଗ୍ରାମ୍ ଷ୍ଟୋରୀରେ ଲେଖିଥିଲେ, ‘ଶୃଙ୍ଖଳା, ଆନୁଗତ୍ୟ ଏବଂ ସମର୍ପଣ ଭିତ୍ତିରେ ଗଢ଼ିଉଠିଥିବା ଏକ କ୍ୟାରିୟରରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଛି। ଭାରତୀୟ ଜର୍ସିରେ ପ୍ରତ୍ୟେକ ରନ୍, ସଂଘର୍ଷ ଏବଂ ଅଭୁଲା ମୁହୂର୍ତ୍ତ ପାଇଁ ଧନ୍ୟବାଦ। ଆପଣଙ୍କ ପରବର୍ତ୍ତୀ କାର୍ଯ୍ୟ ପାଇଁ ଶୁଭକାମନା।’