ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ତାରକା ଦ୍ରୁତ ବୋଲର ମହମ୍ମଦ ଶାମି ଦୀର୍ଘ ଦିନ ହେବ ଆନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରହିଛନ୍ତି। ୩୬ ବର୍ଷୀୟ ଶାମିଙ୍କ ଦଳକୁ ଫେରିବା ନେଇ କ୍ରିକେଟ ପ୍ରେମୀଙ୍କ ମନରେ ଅନେକ ପ୍ରଶ୍ନ ଉଠୁଥିବା ବେଳେ, କେବଳ ବୟସକୁ ଏହାର କାରଣ ଭାବେ ଗ୍ରହଣ କରିବା ସମ୍ପୂର୍ଣ୍ଣ ଭୁଲ୍। ଏହି ବିଷୟରେ ପୂର୍ବତନ ଭାରତୀୟ କ୍ରିକେଟର ତଥା କ୍ରିକେଟ ବିଶ୍ଳେଷକ ଆକାଶ ଚୋପ୍ରା ସ୍ପଷ୍ଟ ମତ ରଖିବା ସହ ଚୟନକର୍ତ୍ତାଙ୍କ ସ୍ଥିତି ବିଷୟରେ ଉଲ୍ଲେଖ କରିଛନ୍ତି।

ଆକାଶ ଚୋପ୍ରାଙ୍କ କହିବା ଅନୁଯାୟୀ, ଶାମିଙ୍କୁ ଦଳରୁ ବାହାରେ ରଖିବାର କାରଣ ବୟସ ନୁହେଁ। ଏହାକୁ ବୁଝାଇବା ପାଇଁ ସେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉଦାହରଣ ଦେଇଛନ୍ତି। ଯଦି କେବଳ ବୟସ ହିଁ ଚୟନର ଆଧାର ହୋଇଥାନ୍ତା, ତେବେ ଶାମିଙ୍କଠାରୁ ବୟସରେ ବଡ଼ ଥିବା ରୋହିତ ଓ ବିରାଟଙ୍କ ଚୟନ ଉପରେ ମଧ୍ୟ ପ୍ରଶ୍ନ ଉଠିଥାନ୍ତା।

Also Read: ଭାରତୀୟ ମାଟିରେ ଆଜି ଡେବ୍ୟୁ କରିବେ ବୈଭବ ସୂର୍ଯ୍ୟବଂଶୀ, ଘରୋଇ ରେକର୍ଡ ଦେଖିଲେ ଉଡ଼ିଯିବ ହୋସ୍!

ଆହତ ଓ ବୋଲିଂ ଫର୍ମ ସାଜିଛି ବାଧକ

ଶାମିଙ୍କ ମାମଲାରେ ତାଙ୍କର ଆହତ ସମସ୍ୟା ଏବଂ ସର୍ଜରୀ ପରବର୍ତ୍ତୀ ଫିଟନେସ୍ ଅଧିକ ଗୁରୁତ୍ୱପୂର୍ଣ୍ଣ। ସର୍ଜରୀ ପରେ ସେ ଘରୋଇ କ୍ରିକେଟକୁ ଫେରି ୱିକେଟ୍ ନେଇଥିଲେ ସୁଦ୍ଧା, ତାଙ୍କ ପୂର୍ବଭଳି ବୋଲିଂ ସ୍ପିଡ୍ ଏବଂ ଧାର ଦେଖିବାକୁ ମିଳିନାହିଁ। ପୂର୍ବରୁ ଯେଉଁ ଆକ୍ରମଣାତ୍ମକ ପାଇଁ ସେ ଜଣାଶୁଣା ଥିଲେ, ତାହା ବର୍ତ୍ତମାନର ଗ୍ରାଉଣ୍ଡ ପ୍ରଦର୍ଶନରେ କିଛିଟା କମ୍ ଥିବା ଲକ୍ଷ୍ୟ କରାଯାଇଛି।

ଚୟନକର୍ତ୍ତାଙ୍କ ଆଗରେ ନୂଆ ବିକଳ୍ପ

ଗତ ପ୍ରାୟ ଦେଢ଼ ବର୍ଷ ହେବ ଶାମି ଜାତୀୟ ଦଳରୁ ବାହାରେ ଅଛନ୍ତି। ଏହା ମଧ୍ୟରେ ଚୟନକର୍ତ୍ତାମାନେ ଯୁବ ଦ୍ରୁତ ବୋଲରଙ୍କ ଉପରେ ଅଧିକ ଭରସା ଦେଖାଇଛନ୍ତି। ତେଣୁ ଶାମିଙ୍କ ପାଇଁ ପୁଣି ଥରେ ଟିମ୍ ଇଣ୍ଡିଆରେ ଜାଗା ପକ୍କା କରିବା ସହଜ ମନେ ହେଉ ନାହିଁ। ଚୋପ୍ରା ଶେଷରେ କହିଛନ୍ତି ଯେ, ଶାମିଙ୍କୁ ଚୟନ ନ କରିବାର ସଠିକ୍ କାରଣ ଚୟନକର୍ତ୍ତା ହିଁ ସ୍ପଷ୍ଟ କରିପାରିବେ।

Also Read: ୨୦୨୭ ଅକ୍ଟୋବର ଏବେ ବହୁତ ଦୂର..., ବିଶ୍ଵକପ୍ ଖେଳିବା ନେଇ ରହସ୍ୟମୟ ଜବାବ ଦେଲେ ରୋହିତ ଶର୍ମା