କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ୍‌ରେ ପ୍ରାୟ ୧ କୋଟି ୬ ଲକ୍ଷ ଟଙ୍କାର ଆର୍ଥିକ ଅନିୟମିତତା ସାମ୍ନାକୁ ଆସିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ୧୧ଟି ପ୍ରକଳ୍ପର ବିଲ୍ ପୈଠରେ ଅନିୟମିତତା ହୋଇଥିବା ଜଣାପଡ଼ିବା ପରେ ଏହି ଘଟଣାକୁ ନେଇ ପ୍ରଶାସନିକ ମହଲରେ ଏବେ ଚର୍ଚ୍ଚା ଜୋର୍ ଧରିଛି।

ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣାରେ ମୋଟ ୧ କୋଟି ୬ ଲକ୍ଷ ୩ ହଜାର ୫୯୫ ଟଙ୍କାର ହେରଫେର ହୋଇଥିବା ଜଣାପଡ଼ିଛି। ଏଥିରେ ବ୍ଲକ୍‌ର ଜଣେ ବରିଷ୍ଠ କିରାଣୀ ଏବଂ ଜଣେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି।

ଏହି ଆର୍ଥିକ ଅନିୟମିତତା ସମ୍ପର୍କରେ ଜାଣିବା ପରେ ଜିଲ୍ଲା କୋଷାଗାର ଅଧିକାରୀ ସଚ୍ଚିଦାନନ୍ଦ ବେହେରା ଡେରାବିଶ ବ୍ଲକ୍‌ର ବିଡିଓ ନମିତା ବାରିକଙ୍କୁ ଚିଠି ଲେଖି ଅବଗତ କରାଇଥିଲେ। ଏହାପରେ ବିଡିଓ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Also Read: ଲକ୍ଷେ ଟଙ୍କା ଲାଞ୍ଚ ନେଉଥିଲେ ଡେପୁଟି ରେଞ୍ଜର! ଫୁଲନଖରା ଅଫିସରେ ମାଡ଼ି ବସିଲା ଭିଜିଲାନ୍ସ

ତଦନ୍ତ ରିପୋର୍ଟ ଆସିବା ପରେ ରିପୋର୍ଟ ଆଧାରରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଡିଓ ନମିତା ବାରିକ କହିଛନ୍ତି। ଅନ୍ୟପକ୍ଷରେ, ଏହି ଘଟଣାରେ ଅଭିଯୁକ୍ତ ବୋଲି କୁହାଯାଉଥିବା ବରିଷ୍ଠ କିରାଣୀ ଛୁଟିରେ ଚାଲିଯାଇଥିବା ସୂଚନା ମିଳିଛି।

ତେବେ ଏହି ଅନିୟମିତତା ପଛରେ କେଉଁମାନଙ୍କର ଭୂମିକା ରହିଛି ଏବଂ କିପରି ଏତେ ପରିମାଣର ଅର୍ଥର ହେରଫେର ହେଲା, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।