ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ନୂଆ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ମାଟିରେ ନିଜର ପ୍ରଥମ ଆନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି ଏହି ୧୫ ବର୍ଷୀୟ ଯୁବ ତାରକା। ଏହାପୂର୍ବରୁ ଗତ ଜୁଲାଇ ମାସରେ ଇଂଲଣ୍ଡ ଗସ୍ତରେ ସେ ଆନ୍ତର୍ଜାତୀୟ ଡେବ୍ୟୁ କରିସାରିଥିଲେ ବି, ଭାରତୀୟ ଫ୍ୟାନ୍ସଙ୍କ ସାମ୍ନାରେ ଟିମ୍ ଇଣ୍ଡିଆର ଜର୍ସି ପିନ୍ଧି ଗ୍ରାଉଣ୍ଡକୁ ଓହ୍ଲାଇବା ସୂର୍ଯ୍ୟବଂଶୀଙ୍କ ପାଇଁ ପ୍ରଥମ ଘଟଣା।

ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ ବୈଭବ ଏପର୍ଯ୍ୟନ୍ତ ୬ଟି ମ୍ୟାଚରୁ ୩୨.୧୬ ହାରରେ ୨ଟି ଅର୍ଦ୍ଧଶତକ ସହ ୧୯୩ ରନ୍ ସଂଗ୍ରହ କରିଛନ୍ତି। ତେବେ ଭାରତୀୟ ଗ୍ରାଉଣ୍ଡରେ ତାଙ୍କର ରେକର୍ଡ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ରହିଛି। ସେ ଭାରତୀୟ ମାଟିରେ ମୋଟ ୩୦ଟି ଟି-୨୦ ମ୍ୟାଚ୍ (୨୩ଟି ଆଇପିଏଲ୍ ଏବଂ ୭ଟି ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି) ଖେଳି ୪୨.୬୮ ହାରାହାରିରେ ୧୨୩୮ ରନ୍ ସଂଗ୍ରହ କରିଛନ୍ତି।

Also Read: 'ପୂର୍ବରୁ କେବେ ହୋଇନଥିଲା' : ବ୍ରିକ୍ସରେ ଭାରତର ଦବଦବାକୁ ଶାସ୍ତ୍ରୀଙ୍କ ପ୍ରଶଂସା

ସବୁଠାରୁ ବଡ଼ କଥା ହେଉଛି ଘରୋଇ ଗ୍ରାଉଣ୍ଡରେ ତାଙ୍କର ଷ୍ଟ୍ରାଇକ୍ ରେଟ୍। ବୈଭବ ୨୧୧.୯୮ ବିସ୍ଫୋରକ ଷ୍ଟ୍ରାଇକ୍ ରେଟରେ ରନ୍ ସଂଗ୍ରହ କରିବା ସହ ୩ଟି ଶତକ (୨ଟି IPL ଓ ୧ଟି ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି) ଏବଂ ୬ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହି ପରିସଂଖ୍ୟାନରୁ ହିଁ ସ୍ପଷ୍ଟ ଜଣାପଡ଼ୁଛି ଯେ ଘରୋଇ ପିଚ୍ରେ ସେ ପ୍ରତିପକ୍ଷ ବୋଲରଙ୍କ ପାଇଁ କେତେ ଘାତକ ସାବ୍ୟସ୍ତ ହୋଇପାରନ୍ତି।

ଅନ୍ୟପଟେ ଟି-୨୦ ବିଶ୍ୱକପ ବିଜେତା ଦଳର ସଦସ୍ୟ ସଞ୍ଜୁ ସାମସନ ମଧ୍ୟ ଏହି ସିରିଜ୍ ପାଇଁ ଦଳକୁ ଫେରିଛନ୍ତି। ଜିମ୍ବାୱେ ଗସ୍ତରେ 'ପ୍ଲେୟାର ଅଫ୍ ଦି ସିରିଜ୍' ବିବେଚିତ ହୋଇଥିବା ବୈଭବଙ୍କ ଉପରେ ଆଜି ସମସ୍ତଙ୍କ ନଜର ରହିବ। ଭାରତୀୟ ସମୟ ସନ୍ଧ୍ୟା ୭:୩୦ରେ ଏହି ମ୍ୟାଚ୍ ଆରମ୍ଭ ହେବାକୁ ଥିବାବେଳେ, ଘରୋଇ ଦର୍ଶକଙ୍କ ସାମ୍ନାରେ ବୈଭବ ଆଉ ଏକ ସ୍ମରଣୀୟ ଇନିଂସ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି।