ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ମହମ୍ମଦ ଆମିର। ଦୁନିଆର ସର୍ବାଧିକ ଲୋକପ୍ରିୟ କ୍ରିକେଟ୍ ଲିଗ୍ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ରେ ଖେଳିବା ନେଇ ଅନେକ ଥର ଇଚ୍ଛା ପ୍ରକାଶ କରିଛନ୍ତି ଆମିର। ଏବେ ପୁଣି ଥରେ ସେ ଆଇପିଏଲକୁ ନେଇ ବଡ଼ ବୟାନ ଦେଇଛନ୍ତି। ବ୍ରିଟେନର ନାଗରିକତା ଗ୍ରହଣ କରିବା ପରେ ଆମିରଙ୍କ ପାଇଁ ଆଇପିଏଲ୍ ଖେଳିବାର ଦ୍ଵାର ଖୋଲି ଯାଇଛି। ବାସ୍ତବରେ କଣ ସେ ଆଇପିଏଲ୍ ଖେଳି ପାରିବେ ? ଏହି ପ୍ରଶ୍ନ ଉପରେ ଖୋଦ୍ ଆମିର ଉତ୍ତର ରଖିଛନ୍ତି।

ଇଂଲଣ୍ଡର ଟି-୨୦ ଲିଗ୍ ଦ ହଣ୍ଡ୍ରେଡ ସମୟରେ ଆଲୋଚନା କରି ମହମ୍ମଦ ଆମିର କହିଛନ୍ତି, ସେ ଏ ପର୍ଯ୍ୟନ୍ତ ଆଇପିଏଲ୍ ଖେଳିବା ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନାହାନ୍ତି। ମୁଁ ୨୦୨୭ରେ ପାକିସ୍ତାନ ସୁପର ଲିଗ୍(ପିଏସଏଲ)ରେ ଜଣେ ବିଦେଶୀ ଖେଳାଳି ଭାବେ ଖେଳିବି। ବାକି ରହିଲା ଆଇପିଏଲ୍ କଥା, ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବା ନେଇ କିଛି ଜାଣି ନ ଥିବା ସେ କହିଛନ୍ତି।

ପାକିସ୍ତାନ ଖେଳାଳିଙ୍କୁ ଆଇପିଏଲରେ ନୋ ଏଣ୍ଟ୍ରି

ଭାରତ ଓ ପାକିସ୍ତାନ ମଧ୍ୟରେ ରାଜନୈତିକ ବିବାଦ କାରଣରୁ ପାକିସ୍ତାନୀ ଖେଳାଳିଙ୍କୁ ଆଇପିଏଲରେ ଖେଳିବା ନେଇ କଟକଣା ରହିଛି। ହେଲେ ମହମ୍ମଦ ଆମିର ନିଜର ପତ୍ନୀ ନରଜିସ ଖାନଙ୍କ ଜରିଆରେ ବ୍ରିଟେନ ନାଗରିକତା ହାସଲ କରିଛନ୍ତି। ଆମିରଙ୍କ ପତ୍ନୀ ଜଣେ ବ୍ରିଟିଶ ନାଗରିକ।

Also Read: ସରିଗଲା ଶାମିଙ୍କ କ୍ୟାରିଅର ! ଅଗରକରଙ୍କ ଗୋଟିଏ କଥା ଭାଙ୍ଗିଦେଲା ସବୁ ସ୍ୱପ୍ନ

ୟୁକେରେ ରହିବାର ସମସ୍ତ ଆଇନଗତ ପ୍ରକ୍ରିୟା ପୂରା କରିବା ପରେ ଆମିର ଆନୁଷ୍ଠାନିକ ଭାବେ ବ୍ରିଟେନର ନାଗରିକତା ହାସଲ କରିଛନ୍ତି। ଏହି ନାଗରିକତା କାରଣରୁ ଏବେ ସେ ଆଇପିଏଲ ନିଲାମରେ ଜଣେ ବ୍ରିଟିଶ ଖେଳାଳି ଭାବେ ନିଜର ନାଁ ପଞ୍ଜିକରଣ କରାଇ ପାରିବେ।ଏହା ପୂର୍ବରୁ ପାକିସ୍ତାନର ଆଝାର ମେହମୁଦ ମଧ୍ୟ ବ୍ରିଟିଶ ପାସପୋର୍ଟ ଜରିଆରେ ପଞ୍ଜାବ କିଙ୍ଗ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଖେଳି ସାରିଛନ୍ତି।

ଏମିତିରେ ମହମ୍ମଦ ଆମିରଙ୍କ ମଧ୍ୟ ଆଇପିଏଲ୍ ଖେଳିବା ଭାଗ୍ୟ ଖୋଲିପାରେ। ମହମ୍ମଦ ଆମିର ଅନେକ ସାକ୍ଷାତକାରରେ ଉଲ୍ଳେଖ କରି ସାରିଛନ୍ତି ଯେ, ଯଦି ଭବିଷ୍ୟତରେ ସୁଯୋଗ ମିଳେ ତେବେ ସେ ବିରାଟ କୋହଲିଙ୍କ ଆରସିବି ଏବଂ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ପାଇଁ ଆଇପିଏଲ୍ ଖେଳିବାକୁ ପସନ୍ଦ କରିବି।