ନୂଆଦିଲ୍ଲୀ: ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଚାଲିଥିବା ୧୮ ତମ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି। ୨୦୨୦ର ଗାଲୱାନ୍ ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଦେଖାଦେଇଥିବା ବେଳେ, ଏହି ବୈଠକରେ ଦୁଇ ନେତାଙ୍କ ଆଭିମୁଖ୍ୟ ତୁଳନାତ୍ମକ ଭାବେ ଉଷ୍ମ ରହିଥିଲା।

ଆଲୋଚନା ଆରମ୍ଭରେ ପ୍ରଧାନମନ୍ତ୍ରୀ ମୋଦୀ ଚଳିତ ବର୍ଷ ଭାରତର ବ୍ରିକ୍ସ ଅଧ୍ୟକ୍ଷତାକୁ ଚୀନ୍ର ସମର୍ଥନ ପାଇଁ ସି ଜିନପିଙ୍ଗ୍ଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ, ଚୀନ୍ର ସହଯୋଗ ଓ ସମର୍ଥନ ଭାରତର ବ୍ରିକ୍ସ ଅଧ୍ୟକ୍ଷତାକୁ ସଫଳ କରିବାରେ ସହାୟକ ହୋଇଛି।

ଅନ୍ୟପକ୍ଷରେ, ସି ଜିନପିଙ୍ଗ୍ ଭାରତ ଓ ଚୀନ୍କୁ ବିଶ୍ୱର ଦୁଇ ବୃହତ୍ତମ ଜନସଂଖ୍ୟା ଥିବା ଦେଶ ଏବଂ ଗ୍ଲୋବାଲ୍ ସାଉଥ୍ର ପ୍ରମୁଖ ସଦସ୍ୟ ଭାବେ ବର୍ଣ୍ଣନା କରିଥିଲେ। ମାନବଜାତିର ଭବିଷ୍ୟତ ପାଇଁ ଦୁଇ ଦେଶର ମିଳିତ ଦାୟିତ୍ୱ ରହିଛି ବୋଲି ସେ କହିଥିଲେ। ବ୍ରିକ୍ସ ମଞ୍ଚରେ ଭାରତ-ଚୀନ୍ ସହଯୋଗ ଆହୁରି ମଜବୁତ କରିବା ସହ ସମାନ ଓ ସୁସଂଗଠିତ ବହୁମୁଖୀ ବିଶ୍ୱ ବ୍ୟବସ୍ଥା ପାଇଁ ଉଭୟ ଦେଶ କାମ କରିବାକୁ ସେ ଆହ୍ୱାନ ଦେଇଥିଲେ।

Also Read- BRICS Summit: ମୋଦୀ, ପୁଟିନ, ସି’ଙ୍କ ବନ୍ଧୁତା ଦେଖିଲା ବିଶ୍ବ, କ୍ୟାମେରାରେ କଏଦ ହେଲା ବିରଳ ଦୃଶ୍ୟ

ସି ଜିନପିଙ୍ଗ୍ କହିଥିଲେ ଯେ, ଗତ ୧୨ ବର୍ଷ ମଧ୍ୟରେ ସେ ଦ୍ୱିତୀୟ ଥର ପାଇଁ ନୂଆଦିଲ୍ଲୀ ଆସିଛନ୍ତି। ଏହି ସମୟ ମଧ୍ୟରେ ଦୁଇ ନେତାଙ୍କ ମଧ୍ୟରେ ୨୦ରୁ ଅଧିକ ଥର ସାକ୍ଷାତ ହୋଇଛି ଏବଂ ଏଥିରୁ ଅନେକ ଗୁରୁତ୍ୱପୂର୍ଣ୍ଣ ସହମତି ସୃଷ୍ଟି ହୋଇଛି। ମତଭେଦ ଥିଲେ ମଧ୍ୟ ଦୁଇ ଦେଶ ପରସ୍ପରକୁ ସହଯୋଗ କରି ସାଧାରଣ ବିକାଶ ଦିଗରେ ଆଗକୁ ବଢ଼ିପାରିଛନ୍ତି ବୋଲି ସେ କହିଥିଲେ।

ବୈଠକରେ ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ଓ ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ୍ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହାପୂର୍ବରୁ ମୋଦୀ, ସି ଜିନପିଙ୍ଗ୍ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏକାଠି ହାତ ଧରି ହସୁଥିବାର ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା।

ଗତବର୍ଷ କାଜାନ୍ ଓ ପରେ ତିଆନଜିନ୍‌ରେ ସାକ୍ଷାତ ପରେ ଏହାକୁ ମିଶାଇ ଲଗାତାର ତୃତୀୟ ବର୍ଷ ମୋଦୀ ଓ ସି ଜିନପିଙ୍ଗ୍ ମୁହାଁମୁହିଁ ଆଲୋଚନା କରିଛନ୍ତି। ଭାରତରେ ସି ଜିନପିଙ୍ଗ୍ଙ୍କ ଆଗମନ ପୂର୍ବରୁ ଚୀନ୍ର ଭାରତସ୍ଥିତ ରାଷ୍ଟ୍ରଦୂତ ଜୁ ଫେଇହୋଙ୍ଗ୍ କହିଥିଲେ ଯେ, ଦୁଇ ଦେଶର ସମ୍ପର୍କକୁ ଦୀର୍ଘମିଆଦୀ ଓ ରଣନୈତିକ ଦୃଷ୍ଟିକୋଣରୁ ଦେଖିବା ସହ ବକେୟା ମତଭେଦର ସମାଧାନ ପାଇଁ ଚୀନ୍ ପ୍ରୟାସ କରିବ।

ପଶ୍ଚିମ ଏସିଆ ନେଇ ବ୍ରିକ୍ସର ଚିନ୍ତା

ଅନ୍ୟପକ୍ଷରେ, ୧୮ତମ ବ୍ରିକ୍ସ ସମ୍ମିଳନୀରେ ସଦସ୍ୟ ଦେଶଗୁଡ଼ିକ ସର୍ବସମ୍ମତିକ୍ରମେ ‘ନୂଆଦିଲ୍ଲୀ ଘୋଷଣାପତ୍ର ୨୦୨୬’ ଗ୍ରହଣ କରିଛନ୍ତି। ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନାକୁ ନେଇ ଗଭୀର ଚିନ୍ତା ପ୍ରକାଶ କରିବା ସହ ସଂଘର୍ଷ ଆହୁରି ବଢ଼ିବାକୁ ରୋକିବା ପାଇଁ ସଂଯମ ଅବଲମ୍ବନ କରିବାକୁ ଆହ୍ୱାନ ଦିଆଯାଇଛି।

ଘୋଷଣାପତ୍ରରେ ସାଧାରଣ ନାଗରିକ ଓ ନାଗରିକ ଭିତ୍ତିଭୂମିର ସୁରକ୍ଷା, ଗାଜାକୁ ଅବାଧ ମାନବୀୟ ସହାୟତା ପହଞ୍ଚାଇବା ଏବଂ ବର୍ତ୍ତମାନର ଅସ୍ତ୍ରବିରତି ବ୍ୟବସ୍ଥାକୁ ପାଳନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।

ସି ଜିନପିଙ୍ଗ୍ ମଧ୍ୟ ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷକୁ ନେଇ ଚିନ୍ତା ପ୍ରକାଶ କରି ଏହା ସମଗ୍ର ଅଞ୍ଚଳର କ୍ଷତି କରୁଥିବା କହିଛନ୍ତି। ଏଥିସହିତ ଏକ ସ୍ଥାୟୀ ଓ ବ୍ୟାପକ ଅସ୍ତ୍ରବିରତି ପାଇଁ ଆହ୍ୱାନ ଦେବା ସହ ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରାଇବା ପାଇଁ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ସହ ଚୀନ୍ କାମ କରିବ ବୋଲି କହିଛନ୍ତି ଜିନିପଙ୍ଗ।

ବ୍ରିକ୍ସ ଦେଶଗୁଡ଼ିକ ସାଧାରଣ ନାଗରିକ ଭିତ୍ତିଭୂମି ଓ ସୁରକ୍ଷିତ ପରମାଣୁ କେନ୍ଦ୍ର ଉପରେ ଆକ୍ରମଣକୁ ନେଇ ମଧ୍ୟ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ଯୁଦ୍ଧ ସମୟରେ ମଧ୍ୟ ପରମାଣୁ ସୁରକ୍ଷା ଓ ନିରାପତ୍ତା ବଜାୟ ରଖିବା ଏବଂ ସମ୍ପୃକ୍ତ ଜାତିସଂଘ ପ୍ରସ୍ତାବଗୁଡ଼ିକୁ ପୂର୍ଣ୍ଣ ଭାବେ ଲାଗୁ କରିବାକୁ ଆହ୍ୱାନ ଦିଆଯାଇଛି।

ବ୍ରିକ୍ସ ସଂସ୍କାର ପାଇଁ ମୋଦୀଙ୍କ ୧୦ ପ୍ରସ୍ତାବ

ବିଶ୍ୱ ଶାସନ ବ୍ୟବସ୍ଥା ଉପରେ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ବ୍ରିକ୍ସରେ ସଂସ୍କାର ପାଇଁ ୧୦ଟି ପ୍ରସ୍ତାବ ରଖିଥିଲେ। ଆସନ୍ତା ବର୍ଷର ସମ୍ମିଳନୀ ପୂର୍ବରୁ ଏହି ପ୍ରସ୍ତାବଗୁଡ଼ିକୁ ଏକ ଔପଚାରିକ ‘ରିଫର୍ମ ରୋଡମ୍ୟାପ୍’ର ରୂପ ଦିଆଯାଇପାରେ ବୋଲି ସେ ସଙ୍କେତ ଦେଇଥିଲେ।

ମୋଦୀ କହିଥିଲେ, ଗ୍ଲୋବାଲ୍ ସାଉଥ୍ର ଦେଶଗୁଡ଼ିକ କେବଳ ‘ନିୟମ ପାଳନକାରୀ’ ନୁହେଁ, ବରଂ ‘ନିୟମ ନିର୍ମାତା’ ହେବା ଆବଶ୍ୟକ। ବିଶ୍ୱର ବଡ଼ ବଡ଼ ସଙ୍କଟର ପ୍ରଭାବ ବିକାଶଶୀଳ ଦେଶଗୁଡ଼ିକ ଉପରେ ଅଧିକ ପଡ଼ୁଥିଲେ ମଧ୍ୟ ବିଶ୍ୱସ୍ତରୀୟ ନିଷ୍ପତ୍ତି ନେବା ସ୍ଥାନରେ ସେମାନଙ୍କର ଭାଗିଦାରି ଏବେ ମଧ୍ୟ ସୀମିତ ବୋଲି ସେ କହିଥିଲେ।

ଆସନ୍ତା ବର୍ଷ ଚୀନ୍ ହାତରେ ବ୍ରିକ୍ସ ଅଧ୍ୟକ୍ଷତା

ଏନେଇ ସି ଜିନପିଙ୍ଗ୍ ସୁନିଶ୍ଚିତ କରିଛନ୍ତି। ଆସନ୍ତା ବର୍ଷ ଚୀନ୍ ବ୍ରିକ୍ସର ଅଧ୍ୟକ୍ଷତା ଗ୍ରହଣ କରିବ ଏବଂ ୧୯ତମ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରିବ ବୋଲି ଜିନପିଙ୍ଗ କହିଛନ୍ତି। ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସହମତି ଓ ସହଯୋଗ ବଢ଼ାଇବା ଉପରେ ଚୀନ୍ ଗୁରୁତ୍ୱ ଦେବ ବୋଲି ସେ କହିଛନ୍ତି।

ଭାରତ ସେପ୍ଟେମ୍ବର ୧୨ ଓ ୧୩ରେ ଦୁଇଦିନିଆ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରୁଛି। ‘ଏଥର ଦୃଢ଼ତା, ନବସୃଜନ, ସହଯୋଗ ଓ ସ୍ଥାୟୀତ୍ୱ ପାଇଁ ନିର୍ମାଣ ଏହି ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ ରହିଛି। ଏଥିରେ ବ୍ରିକ୍ସ ସଦସ୍ୟ ଓ ସହଯୋଗୀ ଦେଶର ନେତାଙ୍କ ସହ ବିଭିନ୍ନ ଦେଶର ପ୍ରତିନିଧିମାନେ ମଧ୍ୟ ସାମିଲ ହୋଇଛନ୍ତି।