ନୂଆଦିଲ୍ଲୀ ୨୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବଡ଼ ଦିନ ଅବସରରେ ଦିଲ୍ଲୀର ଐତିହାସିକ କ୍ୟାଥେଡ୍ରଲ ଚର୍ଚ୍ଚ ଅଫ ଦି ରିଡେମ୍ପସନର ସକାଳ ପ୍ରାର୍ଥନାରେ ଅଂଶଗ୍ରହଣ କରିଛନ୍ତି। ଏହି ସଭାରେ ଦିଲ୍ଲୀ ଓ ଉତ୍ତର ଭାରତର ଖ୍ରୀଷ୍ଟିୟ ସମୂଦାୟର ଲୋକେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ସଭାରେ ପ୍ରାର୍ଥନା, କ୍ରିସମାସ୍ କ୍ୟରୋଲ ଆଦି ଗାନ କରାଯାଇଥିବା ବେଳେ ଦିଲ୍ଲୀ ବିଶପ ରାଇଟ ରେଭରେଣ୍ଡ ଡା. ପଲ ସ୍ୱରୂପ ପ୍ରଧାନମନ୍ତ୍ରୀଙ୍କ ନିମନ୍ତେ ବିଶେଷ ପ୍ରାର୍ଥନା କରିଛନ୍ତି।

ଚର୍ଚ୍ଚ ଅଫ ଦି ରିଡେମ୍ପସନରେ ସକାଳ ପ୍ରାର୍ଥନା ନେଇ ପ୍ରଧାନମନ୍ତ୍ରୀ ମୋଦି ଏକ୍ସ ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ସେ ଲେଖିଛନ୍ତି ଯେ ‘ଏହି ସଭା ପ୍ରେମ, ଶାନ୍ତି, କରୁଣାର ଶାଶ୍ୱତ ସନ୍ଦେସକୁ ପ୍ରତିବିମ୍ବିତ କରୁଛି। କ୍ରିସମାସର ଭାବନା ଆମ ସମାଜରେ ସଦଭାବ ଓ ସଦଭାବନାକୁ ପ୍ରେରିତ କରୁ’। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ବଡ଼ ଦିନର ଶୁଭ କାମନା ଜଣାଇ ସମସ୍ତଙ୍କ ନିମନ୍ତେ ସୁଖ, ଶାନ୍ତି, କରୁଣା ଓ ଆଶାରେ ଭରପୁର ଆନନ୍ଦମୟ କ୍ରିସମାସର ଶୁଭକାମନା ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ କିଛିବର୍ଷ ହେଲା ଇସାଇ ସମୂଦାୟ ସମ୍ପର୍କିତ କାର୍ଯ୍ୟକ୍ରମରେ ନିୟମିତ ଭାଗ ନେଉଛନ୍ତି। ୨୦୨୩ ଇଷ୍ଟର ଅବସରରେ ପ୍ରଧାନମନ୍ତ୍ରୀ ଦିଲ୍ଲୀର ସେକ୍ରେଡ ହାର୍ଟ କ୍ୟାଥେଡ୍ରଲର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେହିବର୍ଷ ବଡ଼ ଦିନ ଅବସରରେ ପ୍ରଧାନମନ୍ତ୍ରୀ ୭ ଲୋକକଲ୍ୟାଣ ମାର୍ଗରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ସୂତ୍ର ଅନୁସାରେ ସମୂଦାୟଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ନିୟମିତ ସମ୍ପର୍କକୁ ଦର୍ଶାଉଛି।

ଏଥି ମଧ୍ୟରେ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ବଡ଼ ଦିନ ଉପଲକ୍ଷେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ଏ ନେଇ ଉପରାଷ୍ଟ୍ରପତି ଏକ୍ସ ରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏକ୍ସ-ମାସ କାର୍ଯ୍ୟକ୍ରମ ବିଶ୍ୱରେ ଇସା ମସିହଙ୍କ ଜନ୍ମ ସ୍ମରଣରେ ପାଳନ କରାଯାଏ। ଏଥି ପାଇଁ ଗୁରୁବାର ମଧ୍ୟରାତ୍ରରୁ ସାରା ଦେଶର ବିଭିନ୍ନ ଗିର୍ଜାରେ ବିଶେଷ ପ୍ରାର୍ଥନା ସହ ଉତ୍ସବ ଆୟୋଜନ କରାଯାଉଛି।