ମୁମ୍ବାଇ: ଥାଇଲାଣ୍ଡର ବ୍ୟାଙ୍କକରୁ ପ୍ରଚୁର ପରିମାଣର ଗଞ୍ଜେଇ ଧରି ମୁମ୍ବାଇରେ ପହଞ୍ଚିବା ପରେ ଜଣେ ୨୮ ବର୍ଷୀୟା ମଡେଲ ସିଧା ଜେଲ୍‌ ହାଜତକୁ ଯାଇଛନ୍ତି। ମଡେଲଙ୍କ ନିକଟରୁ ପ୍ରାୟ ୧୧ କିଲୋଗ୍ରାମରୁ ଅଧିକ ଉଚ୍ଚ ଗୁଣବତ୍ତା ସମ୍ପନ୍ନ 'ହାଇଡ୍ରୋପୋନିକ୍ ମାରିଜୁଆନା' (ଏକ ପ୍ରକାର ବିଦେଶୀ ଗଞ୍ଜେଇ) ଜବତ କରାଯାଇଛି। ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ନିୟମିତ ଯାଞ୍ଚ ସମୟରେ ମଡେଲଙ୍କ ସନ୍ଦେହଜନକ ଗତିବିଧିକୁ ଦେଖି ସୁରକ୍ଷାକର୍ମୀ ତାଙ୍କୁ ଅଟକାଇଥିଲେ, ଏହା ପରେ ଏହି ବଡ଼ ଧରଣର ଚୋରା ଚାଲାଣର ପର୍ଦ୍ଦାଫାଶ ହୋଇଛି।

କିଏ ଏହି ମଡେଲ ?
ଗିରଫ ହୋଇଥିବା ମଡେଲ ଜଣକ ହେଉଛନ୍ତି ୨୮ ବର୍ଷୀୟା ହର୍ଷା ସନି (Harsha Sunny)। ସେ ପୂର୍ବରୁ 'ମିସେସ୍ କେରଳ' (Mrs Kerala) ୨୦୨୫ ପ୍ରତିଯୋଗିତାରେ ଜଣେ ପ୍ରତିଦ୍ୱନ୍ଦ୍ୱୀ ଭାବରେ ଅଂଶଗ୍ରହଶ କରିଥିଲେ । ହର୍ଷା ସନି ଜୁନ୍ ୧୦ ଏବଂ ୧୧ ତାରିଖର ରାତିରେ ଏୟାର ଇଣ୍ଡିଆର ବିମାନ (TG-351) ଯୋଗେ ବ୍ୟାଙ୍କକରୁ ଆସି ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତୀୟ ବିମାନବନ୍ଦରରେ ଓହ୍ଲାଇଥିଲେ। ଟର୍ମିନାଲରେ ତାଙ୍କର ଆଚରଣ ଅସ୍ୱାଭାବିକ ଜଣାପଡ଼ିବାରୁ ଏୟାର ଇଣ୍ଟେଲିଜେନ୍ସ ୟୁନିଟ୍ (AIU) ଏବଂ କଷ୍ଟମ୍ସ ବିଭାଗର ଅଧିକାରୀମାନେ ତାଙ୍କୁ ଅଟକ ରଖିଥିଲେ।

ଟ୍ରଲି ବ୍ୟାଗ୍‌ରୁ ମିଳିଲା କୋଟି କୋଟି ଟଙ୍କାର ଗଞ୍ଜେଇ
କଷ୍ଟମ୍ସ ଅଧିକାରୀମାନେ ଯେତେବେଳେ ହର୍ଷାଙ୍କ ଟ୍ରଲି ବ୍ୟାଗ୍‌କୁ ଖୋଲି ଯାଞ୍ଚ କରିଥିଲେ, ସେତେବେଳେ ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବ୍ୟାଗ୍ ଭିତରେ ଥିବା ୧୨ଟି ପ୍ଲାଷ୍ଟିକ୍ ପ୍ୟାକେଟ୍ ମିଳିଥିଲା, ଯେଉଁଥିରେ କିଛି ସବୁଜ ରଙ୍ଗର ପଦାର୍ଥ ଭର୍ତ୍ତି ହୋଇଥିଲା।

ବିମାନବନ୍ଦରରେ ହିଁ ଏନଡିପିଏସ (NDPS) କିଟ୍ ସାହାଯ୍ୟରେ ଏହାର କେମିକାଲ୍ ଟେଷ୍ଟ କରାଯାଇଥିଲା। ପରୀକ୍ଷା ପରେ ଏହା ଅତ୍ୟନ୍ତ ଉନ୍ନତମାନର 'ହାଇଡ୍ରୋପୋନିକ୍ ମାରିଜୁଆନା' ବୋଲି ସ୍ପଷ୍ଟ ହୋଇଥିଲା। ଜବତ ହୋଇଥିବା ଗଞ୍ଜେଇ ଓଜନ ୧୧ କିଲୋଗ୍ରାମରୁ ଅଧିକ ଏବଂ ଅନ୍ତର୍ଜାତୀୟ ବଜାରରେ ଏହାର ଆନୁମାନିକ ମୂଲ୍ୟ ୧୧.୮୨ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି।

କୋଟି କୋଟି ଟଙ୍କାର ଗଞ୍ଜେଇ ଚୋରା ଚାଲାଣ କରୁଥିବା ଅଭିଯୋଗରେ କଷ୍ଟମ୍ସ ବିଭାଗ ହର୍ଷା ସନିଙ୍କୁ 'ନାର୍କୋଟିକ୍ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ୍ ସବ୍‌ଷ୍ଟାନ୍ସ' (NDPS) ଆକ୍ଟ ଅନୁଯାୟୀ ଗିରଫ କରିଥିଲା। ଏହାପରେ ତାଙ୍କୁ ଫୋର୍ଟ କୋର୍ଟ (Fort Court) ରେ ହାଜର କରାଯାଇଥିଲା। ଅଦାଲତ ମାମଲାର ଗମ୍ଭୀରତାକୁ ଦେଖି ମଡେଲଙ୍କୁ ବିଚାର ବିଭାଗୀୟ  ହାଜତକୁ ପଠାଇ ଦେଇଛନ୍ତି।

ଏତେ ବଡ଼ ପରିମାଣର ନିଶାଦ୍ରବ୍ୟ ବ୍ୟାଙ୍କକରୁ ଆଣି ମୁମ୍ବାଇ ବା ଦେଶର ଅନ୍ୟ କେଉଁ କେଉଁ ସ୍ଥାନରେ ଯୋଗାଇ ଦେବାର ଯୋଜନା ଥିଲା ଏବଂ ଏହି ରାକେଟ୍ ପଛରେ ଆଉ କେଉଁ ବଡ଼ ମାଫିଆ ସାମିଲ ଅଛନ୍ତି, ସେ ନେଇ ପୋଲିସ ଓ ସୁରକ୍ଷା ସଂସ୍ଥା ପକ୍ଷରୁ ଅଧିକ ଖୋଳତାଡ଼ ଜାରି ରହିଛି।