ମୁମ୍ବାଇ ୧୪।୨: ମୁମ୍ବାଇ ମେଟ୍ରୋପଲିଟନ ରିଜନ ଡେଭଲପମେଣ୍ଟ ଅଥରିଟି (ଏମଏମଆରଡିଏ) ନିର୍ମାଣାଧୀନ ମେଟ୍ରୋ ଲାଇନ ୪ର ଏକ ଖମ୍ବ ଭାଙ୍ଗିପଡିବା ଘଟଣାର ତଦନ୍ତ ଲାଗି ଶନିବାର ଏକ ଉଚ୍ଚସ୍ତରୀୟ ଯାଞ୍ଚ କମିଟି ଗଠନ କରିଛି। ଏହି କମିଟି ପିଲର ଭାଙ୍ଗିବା ଓ ଏକ ଚଳନ୍ତା ବାହନ ଉପରେ ପଡିବା ମାମଲାର ତଦନ୍ତ କରିବ। ଏହି ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି।

ଏମଏମଆରଡିଏ କହିଛି ଯେ ଉଚ୍ଚସ୍ତରୀୟ ଯାଞ୍ଚ କମିଟି ମେଟ୍ରୋ ଲାଇନ ୪ର ନିର୍ମାଣ ପଦ୍ଧତୀ, କ୍ୱାଲିଟି କଣ୍ଟ୍ରୋଲ, ପର୍ଯ୍ୟବେକ୍ଷଣ ତନ୍ତ୍ର ଓ ଅନୁପାଳନ ରେକର୍ଡର ସମୀକ୍ଷା କରିବ। ପ୍ରାଥମିକତା ଆଧାରରେ ଏହି ଘଟଣାର ବିସ୍ତୃତ ରିପୋର୍ଟ ମଗାଯାଇଛି। ଘଟଣା ନିର୍ମାଣାଧୀନ ମେଟ୍ରୋଲାଇନ ୪(ଭଡାଲା-କାରଭଡାଭଲୀ) କରିଡୋରର ପିୟର ନମ୍ବର ପି୧୯୬ ନିକଟ ମୁଲୁ୍ନ୍ଦ ଫାୟର ଷ୍ଟେସନ ପାଖରେ ମଧ୍ୟାହ୍ନ ପ୍ରାୟ ୧୨ଟା୧୫ ମିନିଟରେ ଘଟିଥିଲା। ପିଲରର ଏକ ଅଂଶ ଭାଙ୍ଗି ତଳେ ଯାଉଥିବା ଏକ ଅଟୋ ରିକ୍ସା ଉପରେ ପଡିଥିଲା। ଦୁର୍ଘଟଣା ପରେ ରାମଧନ ଯାଦବ ନାମକ ଜନୈକ ବ୍ୟକ୍ତିଙ୍କୁ ଭଙ୍ଗା ଅଂଶ ତଳୁ କଢା ଯାଇଥିଲା ଓ ତାଙ୍କୁ ହସ୍ପିଟାଲ ପହଞ୍ଚା ଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ପୋଲିସ ସୂଚନା ଅନୁସାରେ ରାଜକୁମାର ଇନ୍ଦ୍ରଜିତ ଯାଦବ (୪୫)ଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେ ଏବେ ଆଇସିୟୁରେ ଅଛନ୍ତି। ଏହି ଦୁର୍ଘଟଣାରେ ଆହତ ମହେନ୍ଦ୍ର ପ୍ରତାପ ଯାଦବ(୫୨) ଓ ଦୀପ ଋହିୟା(୪୦)ଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏମଏମଆରଡିଏ ଆହତଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ବହନ କରିବ ବୋଲି କହିଛି। ସେହିପରି ମୃତକଙ୍କୁ ଲାଗୁ ନିୟମ ଅନୁସାରେ ପ୍ରାଥମିକତା ଭିତ୍ତିରେ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଅଧିକାରୀଙ୍କ ଅନୁସାରେ ଘଟଣା ପରେ ପ୍ରକଳ୍ପ ଟିମ୍ ଘଟଣାସ୍ଥଳରେ ପହଞ୍ଚି କ୍ଷେତ୍ରକୁ ସୁରକ୍ଷିତ କରିଛନ୍ତି।

ପ୍ରଭାବିତ କ୍ଷେତ୍ରକୁ ବାରିକେଡ କରାଯାଇଥିବା ବେଳେ ବିଏମସି, ଡିଏମଏ, ସ୍ଥାନୀୟ ପୋଲିସ ଓ ଦମକଳ ବିଭାଗ ମିଳିତ ସଂରଚନାର ସୁରକ୍ଷାତ୍ମକ ମୂଲ୍ୟାଙ୍କନ ଆରମ୍ଭ କରିଛନ୍ତି। ସୁରକ୍ଷା କାରଣରୁ ପ୍ରଭାବିତ କ୍ଷେତ୍ରରେ ନିର୍ମାଣ କାର୍ଯ୍ୟ ଅସ୍ଥାୟୀ ରୂପେ ଅଟକାଇ ଦିଆଯାଇଛି। ପ୍ରାରମ୍ଭିକ ରିପୋର୍ଟ ଆସିବା ପରେ ଯାଇ ଏହା ଉପରେ କୌଣସି ନିଷ୍ପତ୍ତି ନିଆଯିବ। ଏମଏମଆରଡିଏ କହିଛି ଯେ ଜନ ସୁରକ୍ଷା ସର୍ବୋପରି। ଯାଞ୍ଚ ରିପୋର୍ଟ ଆସିବା ପରେ ନିଷ୍କର୍ଷ ଆଧାରରେ କଡ଼ା ପଦକ୍ଷେପ ନିଆଯିବ।

ଏହା ବି ପଢନ୍ତୁ:-ମୁମ୍ୱାଇ ମୁଲୁଣ୍ଡରେ ଭୁଶୁଡ଼ିଲା ମେଟ୍ରୋ ପିଲର୍, ସିମେଣ୍ଟ ଖଣ୍ଡ ତଳେ ଅନେକ ଗାଡ଼ି; ଜଣେ ମୃତ