ଭୁବନେଶ୍ଵର: MMDR ଆକ୍ଟ ସଂଶୋଧନ ବିଲ୍କୁ ନେଇ ଓଡ଼ିଶାରେ ତେଜିଲା ରାଜନୀତି । ବିଜେପି ସରକାର ଉପରେ ବର୍ଷିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନବୀନ କହିଛନ୍ତି ଯେ, ଏବେ ବିପଦରେ ଓଡ଼ିଶାର ଅର୍ଥନୀତି । MMDR ଆକ୍ଟ ସଂଶୋଧନ ବିଲ୍ ଦ୍ବାରା ଓଡିଶା ଓ ଓଡିଶା ବାସୀଙ୍କର ବହୁତ କ୍ଷତି ହେବାକୁ ଯାଉଛି । ରାଜ୍ୟବାସୀଙ୍କ ସ୍ବାର୍ଥ ଆଗରେ କେହି ବଡ଼ ନୁହେଁ । ପାର୍ଟି ନୁହେଁ ମାଟି ପାଇଁ ଏକାଠି ହେବାକୁ ଆହ୍ବାନ ଦେଇଛନ୍ତି ନବୀନ । ଯାହାର ଜବାବ୍ ଦେଇ ଖଣି ମନ୍ତ୍ରୀ ବିଭୂତି ଜେନା କହିଛନ୍ତି, କେବଳ ରାଜନୀତି କରିବା ପାଇଁ ନବୀନ ଏଭଳି ଅଭିଯୋଗ କରିଛନ୍ତି । MMDR ଆକ୍ଟ ସଂଶୋଧନ ବିଲ୍ ଦ୍ବାରା ଓଡ଼ିଶାର କୌଣସି କ୍ଷତି ହେବନି।

MMDR ବିଲକୁ ନେଇ ତେଜିଲା ରାଜନୀତି । ସିଧା ସଳଖ ବିଜେପି ସରକାରକୁ ଟାର୍ଗେଟ୍ କଲେ ନବୀନ । ପାର୍ଟି ନୁହେଁ ମାଟି ପାଇଁ ଏକାଠି ହେବାକୁ ଦେଲେ ଆହ୍ବାନ । ନବୀନ କହିଛନ୍ତି ଯେ, ଏବେ ବିପଦରେ ଓଡ଼ିଶାର ଅର୍ଥନୀତି । ଓଡିଶାର ଅର୍ଥନୀତି ଆଜି ବିପଦରେ । ନିକଟରେ ପାର୍ଲିଆମେଣ୍ଟରେ MMDR ବିଲ୍ ପାସ୍ ହୋଇଛି । ଏହା ଓଡିଶା ଓ ଓଡିଶାବାସୀଙ୍କର ବହୁତ କ୍ଷତି କରିବାକୁ ଯାଉଛି ।ଏତେ ଗୁରୁତ୍ବପୂର୍ଣ୍ଣ ବିଲ୍ କିନ୍ତୁ ବିନା ଆଲୋଚନାରେ କେନ୍ଦ୍ର ସରକାର ପାସ୍ କରିଦେଲେ ।

Also Read: ବିଜେପିରୁ ଇସ୍ତଫା ଦେବାର କାରଣ କହିଲେ ସେହଜାଦ ପୁନାୱାଲା, ତେବେ କଂଗ୍ରେସରେ ଯୋଗ ଦେବାକୁ ରଖିଲେ ସର୍ତ୍ତ

କେବଳ ବିଜେଡି ସାଂସଦମାନେ ଏହାକୁ ରାଜ୍ୟସଭାରେ ବିରୋଧ କରିଥିଲେ । ଏହି ବିଲକୁ ବିରୋଧ କରି ମୁଁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି । ସର୍ବଦଳୀୟ ବୈଠକ ଡାକିବାକୁ ଓ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ଚିଠିରେ ଅନୁରୋଧ ମଧ୍ୟ କରିଛି ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନବୀନ ଆହୁରି ବି କହିଛନ୍ତି ଓଡିଶା ଓ ଓଡିଶା ବାସୀଙ୍କ ସ୍ୱାର୍ଥ ଆଗରେ କେହି ବଡ଼ ନୁହେଁ। ପାର୍ଟି ନୁହେଁ ମାଟିର ସ୍ବାର୍ଥ ପାଇଁ ଆମକୁ ଆଜି ଏକାଠି ହେବାକୁ ପଡିବ । MMDR ବିଲ୍ ଆମ ଖଣି ଉପରେ ଆମର ଅଧିକାରକୁ ଶେଷ କରି ଦେଇଛି। ଏହି ବିଲ୍ ଆମ ଅଧିକାର ଛଡ଼େଇ ନେଇଛି । ଆମ ଲୋକଙ୍କ କଲ୍ୟାଣ ପାଇଁ ଆମ ଖଣିରୁ ଆମେ କାହିଁକି ଟିକସ ସଂଗ୍ରହ କରିପାରିବୁନି ତାକୁ ନେଇ ପ୍ରଶ୍ନ କରିଛନ୍ତି ନବୀନ।

ଦିଲ୍ଲୀ ଦରବାର ଆମ ସମ୍ପଦରେ ସମୃଦ୍ଧ ହେବ । ଏହା ଆମେ ହେବାକୁ ଦେବାନି । ୨୪ ବର୍ଷ ଧରି ମୁଁ ଓଡିଶାର ସ୍ବାର୍ଥକୁ ଜଗିଥିଲି । କେନ୍ଦ୍ରରେ ବିଭିନ୍ନ ଦଳର ସରକାର ଥିଲେ ମଧ୍ୟ ଓଡିଶାର ଅଧିକାରରେ କ୍ଷତି ଆଣିବାକୁ କେହି ସାହସ କରି ନ ଥିଲେ। ଆପଣମାନେ ୨୦୨୪ରେ ପରିବର୍ତ୍ତନ କରି ନୂଆ ବିଜେପି ସରକାର ଆଣିଲେ ।କିନ୍ତୁ ମାତ୍ର ୨ ବର୍ଷ ଭିତରେ ସବୁ ବଦଳିଗଲା । ଓଡିଶାକୁ ଏବେ କେନ୍ଦ୍ରର ଦୟା ଉପରେ ନିର୍ଭର କରିବାକୁ ହେବ । ଆପଣମାନେ ଓଡିଶାରୁ ଲୋକସଭାକୁ ୨୦ ଜଣ ବିଜେପି ସାଂସଦ ଦେଲେ । କିନ୍ତୁ ଏ ମାଟି ପାଇଁ କେହି ବି ପାଟି ଖୋଲିଲେନି। କେବଳ ବିଜେଡି ହିଁ ରାଜ୍ୟସଭାରେ ଏହି ବିଲକୁ ଦୃଢ଼ ବିରୋଧ କରିଥିଲା। ଏ ମାଟି ଆମର । ଏ ଖଣି ଆମର । ଆମ ଅଧିକାରର ସୁରକ୍ଷା ପାଇଁ ମୁଁ ଲଢ଼ିବି। ଶେଷ ନିଶ୍ବାସ ପର୍ଯ୍ୟନ୍ତ ଓଡିଶା ଓ ଓଡିଶା ବାସୀଙ୍କ ଅଧିକାର ପାଇଁ ମୋର ଲଢେଇ ଜାରି ରହିବ। ଏହି ଲଢେଇରେ ଓଡିଶା ବାସୀ ସାମିଲ ହେବାକୁ ନିବେଦନ କରିଛନ୍ତି ନବୀନ ।

Also Read: ଆସିଲା ‘ପଶାପାଲି’ର ପ୍ରଥମ ପୋଷ୍ଟର, ଶ୍ରୀମୟୀ କହିଲେ- କୌଣସି ନିର୍ଦ୍ଦିଷ୍ଟ ଦଳ...

ସେପଟେ ନବୀନଙ୍କ ଏଭଳି ଅଭିଯୋଗର ଦୃଢ଼ ଜବାବ୍ ଦେଇଛନ୍ତି ଖଣି ମନ୍ତ୍ରୀ ବିଭୂତି ଜେନା । ମନ୍ତ୍ରୀ କହିଛନ୍ତି, କେବଳ ରାଜନୀତି କରିବା ପାଇଁ ନବୀନ ଏଭଳି ଅଭିଯୋଗ କରିଛନ୍ତି । MMDR ଆକ୍ଟ ସଂଶୋଧନ ବିଲ୍ ଦ୍ବାରା ଓଡ଼ିଶାର କୌଣସି କ୍ଷତି ହେବନି । ଗଣତନ୍ତ୍ର ରାଷ୍ଟ୍ରରେ ଆନ୍ଦୋଳନ କରିବାର ଅଧିକାର ସମସ୍ତଙ୍କର ଅଛି । କିନ୍ତୁ ଲୋକଙ୍କୁ ଭ୍ରମିତ କରିବାର ଅଧିକାର କାହାର ନାହିଁ। ୨୦୦୪ରେ ରାଜ୍ୟମାନେ ମିନେରାଲ ଟ୍ୟାକ୍ସ ଲଗାଇବା ପାଇଁ ଆବେଦନ କରିଥିଲେ । ୨୦୧୪ରେ ସଂଶୋଧନ ହେଲା । ୨୦୧୫-୧୬ରେ ରାଜ୍ୟ ୧୮ ହଜାର କୋଟିରେ ରାଜସ୍ବ ପାଇଲା । ପ୍ରଧାନମନ୍ତ୍ରୀ ମୋଦିଙ୍କ ପଦକ୍ଷେପ ଯୋଗୁଁ ମେଜର ମିନେରାଲ, ମାଇନର ମିନେରାଲ ଏବଂ DMFକୁ ମିଶାଇଲେ ଲାଭ ୫୭ ହଜାର କୋଟିରେ ପହଞ୍ଚିଛି ।

୨୦୦୪ରେ ଓରିସାକ ଆକ୍ଟ ହାଇକୋର୍ଟରେ ରଦ୍ଦ ହେଲା । ତା’ପରେ ଅଧିକ ଖଣି ପରିଚାଳନା ପାଇଁ ରୟାଲିଟି ଫିକ୍ସ କରିବା ପରେ ଆମେ ଅଧିକରୁ ଅଧିକ ଲାଭ କଲୁ । OMC ସର୍ବକାଳୀନ ରେକର୍ଡ କରିଛି । ବିଜେପି ସରକାର ଆସିବା ପରେ ୩୦ଟି ମାଇନ୍ସ ଅକ୍ସନ କରିଛୁ। ବିଶ୍ବ ବଜାରରେ ଚାହିଦା ନଥିବା ବେଳେ ବି ଆମେ ଲାଭ କରିଥିଲୁ । ଆମେ ଯେଉଁ ଆକ୍ଟ କରିଥିଲୁ ତାହା ଏଯାଏଁ ବଳବତ୍ତର ରହିଛି । ତାହା ଯେତେବେଳେ ଫୈସଲା ହେବ, ଆମେ ବି ରୟାଲିଟି ଆଦାୟ କରିପାରିବୁ। ଯେତେବେଳେ ବିଜେଡି ଶାସନରେ ଥିଲା ସେତେବେଳେ କ୍ଷତି ସହିଥିଲା ରାଜ୍ୟ । କେନ୍ଦ୍ର ଖଣି ମନ୍ତ୍ରଣାଳୟ ସ୍ପଷ୍ଟ କରିସାରିଛି ଯେ, MMDR ସଂଶୋଧନ ବିଲ୍ ଦ୍ବାରା କୌଣସି ରାଜ୍ୟର କିଛି ବି କ୍ଷତି ହେବ ନାହିଁ । ଏଥି ପାଇଁ କୌଣସି ରାଜ୍ୟ ଟଙ୍କାଟେ ବି ହରାଇବେ ନାହିଁ । ତା’ପରେ ବି ଏହାକୁ ନେଇ ଥମୁନି ରାଜନୀତି ।