ନୂଆଦିଲ୍ଲୀ ୨୯।୧୧: କେନ୍ଦ୍ର ସରକାର ଆଣିଥିବା ନୂଆ ସୀମା ପୁନଃନିର୍ଦ୍ଧାରଣ ପ୍ରସ୍ତାବ ଅନୁସାରେ ଲୋକସଭାର ଆସନ ସଂଖ୍ୟା ୫୦ ପ୍ରତିଶତ ବଢ଼ିବ। ବର୍ତ୍ତମାନ ଲୋକସଭାର ମୋଟ ଆସନ ସଂଖ୍ୟା ୫୪୩ ଥିଲା ବେଳେ ଏହା ୮୧୬କୁ ବୃଦ୍ଧି ପାଇବ। ଏଥିରେ ଉତ୍ତରପ୍ରଦେଶର ଲୋକସଭା ଆସନ ସଂଖ୍ୟା ସର୍ବାଧିକ ୧୨୦କୁ ବୃଦ୍ଧି ପାଇବାକୁ ଥିଲା ବେଳେ ମହାରାଷ୍ଟ୍ରର ସଂଖ୍ୟା ୭୨କୁ ବଢ଼ିବ।

ସେହିପରି ଓଡ଼ିଶାର ବର୍ତ୍ତମାନ ଲୋକସଭା ଆସନ ସଂଖ୍ୟା ୨୧ ଥିଲା ବେଳେ ଅଧିକ ୧୦ ବୃଦ୍ଧି କରାଯାଇ ଏହାକୁ ୩୧ କରାଯିବ । ପ୍ରସ୍ତାବିତ ସୀମା ପୁନଃନିର୍ଦ୍ଧାରଣ ବିଲ୍ ଲାଗୁ ହେଲେ ଓଡ଼ିଶାର ରାଜନୈତିକ ମାନଚିତ୍ର ଓ ନିର୍ବାଚନମଣ୍ଡଳୀର ରୂପରେଖ ସମ୍ପୂର୍ଣ୍ଣ ବଦଳିଯିବ। ରାଜ୍ୟରେ ଲୋକସଭା ଆସନ ସଂଖ୍ୟା ୨୧ରୁ ବଢ଼ି ୩୧ ଏବଂ ବିଧାନସଭା ଆସନ ସଂଖ୍ୟା ୧୪୭ରୁ ବଢ଼ି ୨୨୦ରେ ପହଞ୍ଚିବାର ସମ୍ଭାବନା ରହିଛି। ଏହାଫଳରେ ପ୍ରାୟତଃ ଓଡ଼ିଶାର ପ୍ରତି ଜିଲ୍ଲାକୁ ନିଜସ୍ୱ ସାଂସଦ ମିଳିବା ସହ ଜିଲ୍ଲା ନାମ ଅନୁସାରେ ଲୋକସଭା କ୍ଷେତ୍ର ଗଠନ ହୋଇପାରେ।

Also Read:-ଓଡ଼ିଶାକୁ ମାଡ଼ି ଆସିଲା ଶୀତୁଆ ପବନ, ୭ ଡିଗ୍ରୀକୁ ଖସିଲା ପାରଦ; ଆହୁରି ବଢ଼ିବ ଥଣ୍ଡା

ଆକଳନ ଅନୁଯାୟୀ, ନୂଆ ସୀମା ନିର୍ଦ୍ଧାରଣ ପରେ ରାଜ୍ୟରେ ପାଖାପାଖି ୭୩ଟି ନୂଆ ବିଧାନସଭା ନିର୍ବାଚନମଣ୍ଡଳୀ ସୃଷ୍ଟି ହେବ। ବର୍ତ୍ତମାନ ଗୋଟିଏ ଲୋକସଭା କ୍ଷେତ୍ରରେ ଭୋଟର ସଂଖ୍ୟା ୧୫ରୁ ୧୮ ଲକ୍ଷ ମଧ୍ୟରେ ରହୁଥିବା ବେଳେ, ଆସନ ବୃଦ୍ଧି ପରେ ଏହା ହାରାହାରି ୧୧ ଲକ୍ଷକୁ ଖସିଆସିବ। ପଶ୍ଚିମ ଓଡ଼ିଶାରେ ସାଂସଦ ସଂଖ୍ୟା ୫ରୁ ୭କୁ ବୃଦ୍ଧି ପାଇବ।