ନୂଆଦିଲ୍ଲୀ: ସୀମା ପୁନଃନିର୍ଦ୍ଧାରଣ ବିଲ୍‌କୁ ନେଇ ଜାତୀୟ ରାଜନୀତି ସରଗରମ । ଧୀରେ ଧୀରେ ବିରୋଧୀ କ୍ୟାମ୍ପରୁ ଏନଡିଏକୁ ସମର୍ଥନ ବଢ଼ିବାରେ ଲାଗିଛି । କିନ୍ତୁ କଂଗ୍ରେସ ଏହି ବିଲ୍‌କୁ ଜୋରଦାର ବିରୋଧ କରୁଛି । ଏହାରି ମଧ୍ୟରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବଡ଼ ଅଭିଯୋଗ କରିଛନ୍ତି ।  ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ନିର୍ବାଚନମଣ୍ଡଳୀଗୁଡ଼ିକୁ ପୁନଃନିର୍ଦ୍ଧାରଣ କରିବା ପାଇଁ ଏକ ‘ବ୍ଲାଙ୍କ ଚେକ୍’ ଚାହୁଁଛନ୍ତି । ଅନ୍ୟପଟେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରି କହିଛନ୍ତି ଯେ, ଲୋକସଭା ଆସନ ସଂଖ୍ୟା ବୃଦ୍ଧି କରି ବିଜେପି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କ୍ଷମତା ଦଖଲ କରି ରଖିବାକୁ ଷଡ଼ଯନ୍ତ୍ର କରୁଛି। 

ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ‘ସେମାନେ ୮୫୦ ଆସନ ଚାହୁଁଛନ୍ତି। ନରେନ୍ଦ୍ର ମୋଦୀ ନିର୍ବାଚନମଣ୍ଡଳୀଗୁଡ଼ିକୁ ପୁନଃନିର୍ଦ୍ଧାରଣ କରିବା ପାଇଁ ବ୍ଲାଙ୍କ ଚେକ୍ ଚାହୁଁଛନ୍ତି। ୨୦୨୪ ନିର୍ବାଚନରେ ସେମାନେ ହାରିଥିଲେ, ମୁଁ ଗ୍ୟାରେଣ୍ଟି ସହ କହୁଛି ଯେ, ସେମାନେ ବାରାଣସୀ ଏବଂ ସାରା ଦେଶରେ ହାରିଥିଲେ। ଆମେ ‘ଭୋଟ୍ ଚୋରି’ର ରାସ୍ତାକୁ ଏପର୍ଯ୍ୟନ୍ତ ୧୦୦% ବନ୍ଦ କରିପାରି ନାହୁଁ ସତ, କିନ୍ତୁ ୪୫% ବନ୍ଦ କରିଦେଇଛୁ ।’  ରାହୁଲ ଆହୁରି ମଧ୍ୟ ଦାବି କରିଛନ୍ତି ଯେ, ଦେଶର ଜେନ୍-ଜି (Gen Z) ତାଙ୍କ ସହ ଅଛନ୍ତି ଏବଂ ସେମାନେ ଭାରତ ମାତା, ସମ୍ବିଧାନ ତଥା ଗଣତନ୍ତ୍ରକୁ ସୁରକ୍ଷା ଦେବେ। ସେ ଅଭିଯୋଗ କରିଛନ୍ତି ଯେ, ଦେଶର ୮୦ ପ୍ରତିଶତ ଲୋକ ଏବଂ ପ୍ରାୟ ଶତପ୍ରତିଶତ ଜେନ୍-ଜି ବିଶ୍ୱାସ କରନ୍ତି ଯେ, ନିର୍ବାଚନରେ ଅନିୟମିତତା ହେଉଛି, ତେଣୁ ସରକାର ଏବେ ଏହି ନୂଆ ଯୋଜନା ଆଣିଛନ୍ତି।

ଦ୍ରାବିଡ଼ ମୁନ୍ନେତ୍ର କାଝାଗମ୍ (DMK) ଏବଂ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି-ଶରଦଚନ୍ଦ୍ର ପାୱାର (NCP-SP) ଏହି ବିଲ୍‌କୁ ସମର୍ଥନ ଘୋଷଣା କରିବା ପରେ ଇଣ୍ଡି ମେଣ୍ଟକୁ ଶକ୍ତ ଝଟ୍‌କା ଲାଗିଛି । ଅନ୍ୟପଟେ, ଶନିବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପରୋକ୍ଷ ଭାବରେ ସମାଜବାଦୀ ପାର୍ଟିକୁ ଏହି ବିଲ୍‌କୁ ସମର୍ଥନ କରିବାକୁ ଅପିଲ୍ କରିଛନ୍ତି। ଅମିତ ଶାହ ଯୁକ୍ତି ବାଢ଼ିଛନ୍ତି ଯେ, ଏହି ବିଲ୍ ଦ୍ୱାରା ଉତ୍ତର ପ୍ରଦେଶ ବିଭାଜିତ ନ ହୋଇ ବିଧାନସଭାରେ ନିଜର ପ୍ରତିନିଧିତ୍ୱ ବୃଦ୍ଧି କରିପାରିବ ।  ମହିଳାଙ୍କ ପାଇଁ ଏକ-ତୃତୀୟାଂଶ ସଂରକ୍ଷଣ ସେମାନଙ୍କୁ ସର୍ବାଧିକ ପ୍ରତିନିଧିତ୍ୱ ପ୍ରଦାନ କରିବ। ଏହା ସୁଶାସନ ଏବଂ ଜନଭାଗିଦାରୀକୁ ମଜଭୁତ କରିବ ବୋଲି ଦର୍ଶାଇ ଉତ୍ତର ପ୍ରଦେଶର ସମସ୍ତ ଦଳ ଏହି ଐତିହାସିକ ବିଲ୍‌କୁ ସ୍ୱାଗତ ଓ ସମର୍ଥନ କରିବା ଉଚିତ୍ ବୋଲି ଶାହ କହିଛନ୍ତି।

ଏହି ପରିସ୍ଥିତିରେ ରଣନୀତି ପ୍ରସ୍ତୁତ କରିବା ପାଇଁ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ ଇଣ୍ଡି ମେଣ୍ଟ ନେତାମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ଆଗାମୀ ଦୁଇ ଦିନ ମଧ୍ୟରେ ଡିଏମକେ ମୁଖ୍ୟ ଏମ୍.କେ. ଷ୍ଟାଲିନ୍ ଏବଂ ଏନସିପି-ଏସପି ମୁଖ୍ୟ ଶରଦ ପାୱାରଙ୍କ ସହ ଯୋଗାଯୋଗ କରାଯିବ। ବିଲ୍‌ର କୁପରିଣାମ ସମ୍ପର୍କରେ ସେମାନଙ୍କୁ ଅବଗତ କରାଇବା ପାଇଁ ବିରୋଧୀ ନେତାମାନଙ୍କର ଏକ ଛୋଟ ଦଳ ଚେନ୍ନାଇ ଏବଂ ମୁମ୍ବାଇ ଗସ୍ତ କରିବେ ବୋଲି ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି। ଖଡ଼ଗେଙ୍କ ବାସଭବନରେ ହୋଇଥିବା ଏହି ବୈଠକରେ କଂଗ୍ରେସ ନେତା ଜୟରାମ ରମେଶ ନେତାମାନଙ୍କୁ ବିଲ୍ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିବା ବେଳେ ତୃଣମୂଳ କଂଗ୍ରେସ (AITC) ନେତା ଅଭିଷେକ ବାନାର୍ଜୀ ବିଲ୍‌କୁ ରୋକିବା ପାଇଁ ସମସ୍ତ  ପନ୍ଥା ଆପଣାଇବାକୁ ପରାମର୍ଶ ଦେଇଛନ୍ତି। 

ସୂଚନାଯୋଗ୍ୟ ଯେ, ଗତ ଜୁନ୍ ମାସରେ ଡିଏମକେ ଇଣ୍ଡିଆ ମେଣ୍ଟରୁ ଓହରି ଯାଇଥିବା ବେଳେ ଶନିବାରର ବୈଠକରେ ଏନସିପି-ଏସପି ନେତ୍ରୀ ସୁପ୍ରିୟା ସୁଲେ ମଧ୍ୟ ଅନୁପସ୍ଥିତ ଥିଲେ। ବୈଠକରେ ଡିଏମକେର ଅନୁପସ୍ଥିତି ସମ୍ପର୍କରେ ପ୍ରଶ୍ନ କରାଯିବାରୁ ରାହୁଲ ଗାନ୍ଧୀ କହିଛନ୍ତି ଯେ, ଏନଡିଏ (NDA) ରେ ଥିବା ଟିଡିପି ଭଳି ଦଳ ସମେତ ସମସ୍ତେ ଭାରତର ସୁରକ୍ଷା ବିଷୟରେ ଚିନ୍ତା କରିବା ଉଚିତ୍। ପରେ ମଲ୍ଲିକାର୍ଜୁନ ଖଡ଼ଗେ ଗଣମାଧ୍ୟମକୁ କହିଛନ୍ତି ଯେ, ମୋଦୀ ସରକାରଙ୍କ ଦ୍ୱାରା ଅଣାଯାଉଥିବା ଏହି ସମ୍ବିଧାନ ସଂଶୋଧନ ବିଲ୍ ଗଣତନ୍ତ୍ର ପ୍ରତି ବିପଦ। ପୂର୍ବ ନିର୍ବାଚନରେ ସେମାନଙ୍କର ‘୪୦୦ ପାର୍’ ନାରା ବିଫଳ ହେବା ପରେ ଏବେ ଆସନ ସଂଖ୍ୟା ୮୫୦ କୁ ବୃଦ୍ଧି କରି ସେମାନେ ‘୮୦୦ ପାର୍’ ଲକ୍ଷ୍ୟ ରଖିଛନ୍ତି।