ଭୁବନେଶ୍ୱର ୦୮।୦୬ : ଟେକ୍ନୋଲୋଜିରେ ପାରଦର୍ଶିତା ଲାଭ କରିବେ ମିଶନ ଶକ୍ତି ମହିଳା। ଆଇଆଇଟି ପ୍ରଫେସର ସେମାନଙ୍କୁ ଟ୍ରେନିଂ ଦେବେ। ଏଥିପାଇଁ ଓଡ଼ିଶା ଜୀବିକା ମିଶନ ଓ ଭୁବନେଶ୍ୱର ଆଇଆଇଟି ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି। ଓଡ଼ିଶା ଜୀବିକା ମିଶନ ନିର୍ଦ୍ଦେଶିକା ମୋନିକା ପ୍ରିୟଦର୍ଶିନୀ ଓ ଆଇଆଇଟି ନିର୍ଦେଶକ ଶ୍ରୀପଦ କରମାକରଙ୍କ ମଧ୍ୟରେ ବୁଝାମଣା ହୋଇଛି। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୩ ବର୍ଷ ମଧ୍ୟରେ ରାଜ୍ୟର ୧୫୦ ଲକ୍ଷପତି ଦିଦିଙ୍କୁ କୋଟିପତି କରିବା ଲକ୍ଷ୍ୟ ରଖାଯାଇଛି। ଭୁବନେଶ୍ୱର ମିଶନ ଶକ୍ତି ଭବନରେ ଆଜି ଏନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ୩୦ ଜିଲ୍ଲାର ଲକ୍ଷପତି ଦିଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ।

Also Read:-Chandrika death case : ମୃତ୍ୟୁ ପୂର୍ବରୁ ଓଲା ଗାଡ଼ି ଭଡ଼ା କରି ତ୍ରୀଶୁଳିଆ ଯାଇଥିଲେ ଚନ୍ଦ୍ରିକା, ତାପରେ ଘଟିଥିଲା ଏମିତି କିଛି...

ସେହିପରି ପର୍ଯ୍ୟଟନସ୍ଥଳୀରେ ଇଭି ବୋଟ୍ ଚାଲିବା ନେଇ ବଡ଼ ଅପଡେଟ୍ ଦେଇଛନ୍ତି। ସେ କହିଛନ୍ତି ଯେ, ଆସନ୍ତା ୩ ରୁ ୪ ମାସ ଭିତରେ କାଳିଜାଇରେ ଇଭି ବୋଟ୍ ଚଳାଚଳ କରିବ। ଚିଲିକା ସହ ଭିତରକନିକାର ବୋଟକୁ ମଧ୍ୟ ଇଭି ଏବଂ ସୌରଚାଳିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟର ବହୁତ ସ୍ଥାନ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ। ଜଙ୍ଗଲ ଯୋଗୁଁ ଭଲ ହୋଟେଲ ନଥିବାରୁ ହୋମଷ୍ଟେର ବ୍ୟବସ୍ଥା କରାଯାଉଛି। ଗାଁ ଘରେ ପର୍ଯ୍ୟଟକ ଗ୍ରାମୀଣ ଖାଦ୍ୟର ମଜା ନେଇପାରିବେ। ଆଦିବାସୀ ସଂସ୍କୃତି ଦେଖିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଏକ୍ସପେରିଏନ୍ସ ଟୁରିଜିମ ଦେବ ହୋମ ଷ୍ଟେ।