ହାଓ୍ୱାଇ: ସମୁଦ୍ରରେ ବଳ ଗୋଟାଇ ମାଡ଼ିଆସୁଛି ପେଣା। ୩ ଦେଶକୁ ବଡ଼ ବିପଦ। ଆଲର୍ଟ ହେଲେଣି ସରକାର। ଭୟଙ୍କର ଘୂର୍ଣ୍ଣିଝଡ଼। ସମୁଦ୍ରରେ ୧୦୦ କିମି ବେଗରେ ପବନ। ଲ୍ୟାଣ୍ଡଫଲ ବେଳେ ତାଣ୍ଡବ ରଚିବ। ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା ଟ୍ରପିକାଲ୍ ଷ୍ଟର୍ମ ‘ପେଣା’କୁ ନେଇ ପାଣିପାଗ ବିଭାଗର ଚରମ ଚେତାବନୀ। ତେବେ ହାୱାଇ ଦ୍ୱୀପପୁଞ୍ଜ ପାଇଁ ଆଶ୍ୱସ୍ତିର ଖବର ହେଉଛି, ଏହି ଝଡ଼ ଧୀରେ ଧୀରେ ଦ୍ୱୀପପୁଞ୍ଜଠାରୁ ଦୂରେଇ ପଶ୍ଚିମ ଦିଗକୁ ଗତି କରୁଛି। ବର୍ତ୍ତମାନ ସୁଦ୍ଧା ଏହା ହାୱାଇର ସ୍ଥଳଭାଗ ପାଇଁ କୌଣସି ବଡ଼ ବିପଦ ସୃଷ୍ଟି କରିନାହିଁ। ତେବେ ଆଗକୁ ଏହାର ଗତିପଥ ଓ ତୀବ୍ରତା କେଉଁ ରୂପ ନେବ, ତାହା ଉପରେ ପାଣିପାଗ ବିଶେଷଜ୍ଞଙ୍କ ନଜର ରହିଛି।

ଆମେରିକାର ନ୍ୟାସନାଲ୍ ହରିକେନ୍ ସେଣ୍ଟର (NHC)ର ସୂଚନା ଅନୁଯାୟୀ, ନଭେମ୍ବର ୧୧ ତାରିଖରେ ଟ୍ରପିକାଲ୍ ଷ୍ଟର୍ମ ପେଣା ଘଣ୍ଟାପ୍ରତି ପ୍ରାୟ ୧୯ କିଲୋମିଟର ବେଗରେ ପଶ୍ଚିମ ଦିଗକୁ ଗତି କରୁଛି। ଏହାର ସର୍ବାଧିକ ସ୍ଥାୟୀ ପବନର ବେଗ ଘଣ୍ଟାପ୍ରତି ୧୦୦ କିଲୋମିଟର ରେକର୍ଡ କରାଯାଇଛି। ଏହି ଝଡ଼କୁ ନେଇ ହାୱାଇବାସୀଙ୍କ ପାଇଁ ଏବେ ସବୁଠାରୁ ବଡ଼ ଆଶ୍ୱସ୍ତି ହେଉଛି, ପେଣା ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁନାହିଁ। ବର୍ତ୍ତମାନ ଏହାର ଗତିପଥ ହାୱାଇ ଦ୍ୱୀପପୁଞ୍ଜଠାରୁ ଦୂରରେ ରହିଛି। ଝଡ଼ର ପ୍ରଭାବରେ ସମୁଦ୍ର ଅଶାନ୍ତ ରହୁଛି। ଏହାର କିଛି ଅଞ୍ଚଳରେ ୧୩ ଫୁଟ୍ ବା ପ୍ରାୟ ୪ ମିଟର ଉଚ୍ଚତାର ସାମୁଦ୍ରିକ ଢେଉ ସୃଷ୍ଟି ହୋଇପାରେ। ଏଥିପାଇଁ ଝଡ଼ର ଆଖପାଖ ଅଞ୍ଚଳରେ ଚଳାଚଳ କରୁଥିବା ଜାହାଜଗୁଡ଼ିକୁ ସତର୍କ ରହିବାକୁ କୁହାଯାଇଛି।

ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ପେଣା ଆଗାମୀ କିଛି ଦିନ ପର୍ଯ୍ୟନ୍ତ ପଶ୍ଚିମ ଦିଗକୁ ଗତି ଜାରି ରଖିପାରେ। ଏହା ହାୱାଇ ଦ୍ୱୀପପୁଞ୍ଜ ଓ ଜନଷ୍ଟନ୍ ଦ୍ୱୀପର ଦକ୍ଷିଣ ଦେଇ ଅତିକ୍ରମ କରିବାର ଆକଳନ କରାଯାଇଛି। ପରବର୍ତ୍ତୀ ସମୟରେ ଏହାର ଗତିପଥ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ବଦଳିପାରେ। ଚଳିତ ସପ୍ତାହ ଶେଷ ଆଡ଼କୁ ଏହି ଝଡ଼ ଇଣ୍ଟରନ୍ୟାସନାଲ୍ ଡେଟ୍ ଲାଇନ୍ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାପରେ ଏହା ଜାପାନ ଆଡକୁ ମୁହାଁଇପାରେ।ପେଣା ଆଗକୁ ଅଧିକ ଶକ୍ତିଶାଳୀ ହେବ କି ? ଏହା ଟ୍ରପିକାଲ୍ ଷ୍ଟର୍ମ ଭାବେ ରହିବ ନା ଟାଇଫୁନ୍ର ରୂପ ନେବ ?

ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଗାମୀ କିଛି ଦିନ ମଧ୍ୟରେ ଏହାର ତୀବ୍ରତାରେ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା କମ୍। ତଥାପି ଏହାର ପବନର ବେଗ ଓ ଗତିପଥ ଉପରେ ନଜର ରଖାଯାଇଛି।ଇଣ୍ଟରନ୍ୟାସନାଲ୍ ଡେଟ୍ ଲାଇନ୍ ଅତିକ୍ରମ ପରେ ଏହାର ଶକ୍ତି ବଜାୟ ରହିଲେ, ଜାପାନ ପାଣିପାଗ ବିଭାଗ ଏହାକୁ ଟାଇଫୁନ୍ ଭାବେ ବର୍ଗୀକୃତ କରିପାରେ। ଏହା ହେଲେ ପ୍ରଶାନ୍ତ ମହାସାଗରରେ ଝଡ଼ର ପରବର୍ତ୍ତୀ ଗତିବିଧି ଉପରେ ଅଧିକ ନଜର ରଖିବାକୁ ପଡ଼ିବ।

ବର୍ତ୍ତମାନ ପାଇଁ ହାୱାଇ ଦ୍ୱୀପପୁଞ୍ଜକୁ ତତ୍କାଳ ବିପଦ ନଥିଲେ ମଧ୍ୟ ସମୁଦ୍ରରେ ଝଡ଼ର ପ୍ରଭାବ ଓ ଆଗାମୀ ଗତିପଥକୁ ନେଇ ପାଣିପାଗ ବିଭାଗର ନଜର ରହିଛି।ସେହିପରି ଜାପାନ ଦକ୍ଷିଣରେ ସୃଷ୍ଟି ହୋଇଛି ଆଉ ଏକ ସିଷ୍ଟମ କେମ୍ପାକ। ଯାହା ଉତ୍ତରପୂର୍ବ ଆଡେ ମୁହାଁଉଛି। ଏହାର ପବନର ବେଗ ୧୩୦ କିମି ବେଗରେ ଝଟକା ୧୫୦ କିମି। ଏହାର ନିକଟରେ କୌଣସି ଦେଶ ନଥିବାରୁ ସମୁଦ୍ରରେ ଦୁର୍ବଳ ହୋଇଯିବାର ଆଶଙ୍କା ରହିଛି। ବିଶ୍ୱ ବିଭିନ୍ନ ଭାଗରେ ପ୍ରଳୟଙ୍କର ବନ୍ୟା ଓ ବାତ୍ୟା ନେଇ ପାଞ୍ଜିରେ ଉଲ୍ଲେଖ ରହିଛି। ଯାହା ଏବେ ସତ ହେବାକୁ ଯାଉଛି। ପ୍ରଶାନ୍ତ ମହାସାଗରରେ ଏଭଳି ଘୂର୍ଣ୍ଣିଝଡ଼ ପାଣିପାଗର ଅସ୍ୱାଭାବିକ ପରିବର୍ତ୍ତନ ଯୋଗୁଁ ହୋଇଥିବା ପାଣିପାଗ ବିଜ୍ଞାନୀ ମତ ଦେଇଛନ୍ତି।