କଣାସ: ଦୀର୍ଘ ୨୪ ଘଣ୍ଟାର ବ୍ୟାପକ ସର୍ଚ୍ଚ ଅପରେସନ ପରେ ଶେଷରେ ଦୟା ନଦୀରୁ ନିଖୋଜ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ହେଉଛନ୍ତି କଣାସ ବ୍ଲକ ଜାଗୁଳାଇପଦର ଗ୍ରାମର ୨୪ ବର୍ଷୀୟ ଦୀବାନା ବେହେରା। ଆଜି ନଦୀରୁ ତାଙ୍କର ଏକ ଗଳିତ ଶବ ଜବତ ହୋଇଛି। ରୋଜଗାରିଆ ପୁଅକୁ ହରାଇବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ବାପା ଆଖି ଆଗରେ ଭାସିଯାଇଥିଲା ପୁଅ

ସୂଚନା ଅନୁଯାୟୀ, ଗତକାଲି ଦୀବାନା ତାଙ୍କ ବାପାଙ୍କ ସହ ଦୟା ନଦୀକୁ ମାଛ ଧରିବାକୁ ଯାଇଥିଲେ। ମାଛ ଧରି ଘରକୁ ଫେରିବା ସମୟରେ ହଠାତ ଏକ ଅଘଟଣ ଘଟିଥିଲା। ବାପାଙ୍କ ଆଖି ଆଗରେ ହିଁ ଦୀବାନା ନଦୀ ସ୍ରୋତରେ ଭାସି ଯାଇ ନିଖୋଜ ହୋଇଯାଇଥିଲେ। ପୁଅକୁ ବଞ୍ଚାଇବାକୁ ବାପା ଚେଷ୍ଟା କରିଥିଲେ ମଧ୍ୟ ନଦୀର ପ୍ରଖର ସ୍ରୋତ ଯୋଗୁଁ ତାହା ସମ୍ଭବ ହୋଇନଥିଲା।

Also Read: ଜୀବିତ ମହିଳାଙ୍କୁ ମୃତ ଦର୍ଶାଇଲେ ଆରଆଇ, ଘର ଓ ଜମି ସବୁ ନେଇଗଲେ ଦୁଇ ପୁଅ

୨୪ ଘଣ୍ଟାର ସର୍ଚ୍ଚ ଅପରେସନ

ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଦୁଇଟି ଅଗ୍ନିଶମ ଟିମ୍ ଗତକାଲିଠାରୁ ନଦୀରେ କ୍ରମାଗତ ଭାବେ ଖୋଜାଖୋଜି ଜାରି ରଖିଥିଲେ। ଶେଷରେ ଆଜି ଜାଗୁଳାଇପଦର ଗାଁ ବ୍ରିଜ ନିକଟ ଦୟା ନଦୀ ଗର୍ଭରୁ ଦୀବାନାଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଦୀବାନାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ପୂରା ଜାଗୁଳାଇପଦର ଗାଁରେ କାନ୍ଦବୋବାଳି ସୃଷ୍ଟି ହୋଇଛି। ମିଳିଥିବା ସୂଚନା ମୁତାବକ, ଅଳ୍ପ କିଛି ଦିନ ତଳେ ଦୀବାନାଙ୍କ ବିବାହ ହୋଇଥିଲା ଏବଂ ବର୍ତ୍ତମାନ ତାଙ୍କ ସ୍ତ୍ରୀ ଗର୍ଭବତୀ ଅଛନ୍ତି। ପରିବାରର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ବୃଦ୍ଧ ବାପା-ମାଆ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିବା ବେଳେ, ଆଗକୁ ପରିବାର କେମିତି ଚଳିବ ସେ ନେଇ ଗ୍ରାମବାସୀ ଚିନ୍ତା ପ୍ରକଟ କରିଛନ୍ତି।

Also Read: ଭଡ଼ାରେ ରହୁଥିବା ବେଳେ ଲୁଚାଛପା ପ୍ରେମ, ରାତି ଅଧରେ ମହିଳାଙ୍କ ଘରେ ପଶି ଛେଚା ଖାଇଲେ ପୋଲିସ ବାବୁ !