ଜି.ଉଦୟଗିରି ୧୦।୧୧ : ଗିଡ଼ିପାବାଲିରେ ବନ୍ଦ ହେଲା ମଣିଷ ଖୋଜା ଅଭିଯାନ। ମାଟି ତଳେ ପୋତି ହୋଇ ରହିଥିବା ନିଖୋଜଙ୍କୁ ଖୋଜିବା ପାଇଁ ଚାଲିଥିବା ସର୍ଚ୍ଚ ଅପରେସନ୍‌କୁ ସ୍ଥଗିତ ରଖାଯାଇଛି। କନ୍ଧମାଳ ଜିଲ୍ଲାପାଳ ଏନେଇ ଘୋଷଣା କରିଛନ୍ତି।

ଗୋଟିଏ ଦିନର ବିରତି ପରେ ଗତକାଲି ପୁଣିଥରେ ଗିଡ଼ିପାବାଲିରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ। ନିଖୋଜଙ୍କୁ ଖୋଜିବା ପାଇଁ ଉଦ୍ଧାରକାରୀ ଦଳ ଅଭିଯାନ ଜାରି ରଖିଥିଲେ। କିନ୍ତୁ ଆଜି ଏହି ଅଭିଯାନକୁ ସ୍ଥଗିତ ରଖିବାକୁ ଘୋଷଣା କରାଯାଇଛି।  ସବୁଠାରୁ ଦୁଃଖଦ କଥା ହେଉଛି, ଏବେ ବି ୬ ଜଣ ମାଟି ତଳେ ପୋତି ହୋଇ ରହିଥିବା ଆଶଙ୍କା ରହିଛି। ସେମାନଙ୍କର କୌଣସି ପତ୍ତା ମିଳିନାହିଁ। ଏହି ଘଟଣାରେ ମୋଟ ୧୩ ଜଣ ନିଖୋଜ ହୋଇଥିବା ବେଳେ ୭ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ତେବେ ଆଉ ୬ ଜଣଙ୍କୁ ଖୋଜିବା ଅଭିଯାନ କାହିଁକି ସ୍ଥଗିତ ରଖାଗଲା, ଭବିଷ୍ୟତରେ ପୁଣି ସର୍ଚ୍ଚ ଅପରେସନ୍ ଆରମ୍ଭ ହେବ କି ନାହିଁ, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ।

Also Read:-ପୀତବାସ ପଣ୍ଡା ହତ୍ୟା ମାମଲା: ସାକ୍ଷୀଙ୍କୁ ଧମକ ଘଟଣାରେ ବିକ୍ରମଙ୍କୁ ପଚରାଉଚରା

ସୂଚନାଯୋଗ୍ୟ ଯେ, ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ ଓ ଗଜପତିରେ ପ୍ରବଳ ବର୍ଷା ହୋଇଥିଲା । ଖାସ୍‌ କରି ପ୍ରାତପୁରରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ଏପିରିକି ଓଡ଼ିଶାର ଗଞ୍ଜାମ ଓ କନ୍ଧମାଳ ଜିଲ୍ଲା ସୀମାନ୍ତରେ ଥିବା ଗିଡ଼ିପାବାଲି ଗାଁରେ ଭୟଙ୍କର ଭୂସ୍ଖଳନ ଘଟିଥିଲା। ପ୍ରବଳ ବର୍ଷା ଯୋଗୁଁ ପାହାଡ଼ରୁ ମାଟି, ବଡ଼ ବଡ଼ ପଥର ଓ ଗଛ ଧସି ଗାଁର ଘରଗୁଡ଼ିକୁ ପୋତି ଦେଇଥିଲା। ଏହି ଘଟଣାରେ ଅନେକ ପରିବାର ସର୍ବସ୍ୱ ହରାଇଛନ୍ତି। ପ୍ରାରମ୍ଭିକ ପ୍ରର୍ଯ୍ୟାୟରେ ୧୩ ଜଣ ନିଖୋଜ ଥିବାର ସୂଚନା ମିଳିଥିଲା । ପରବର୍ତ୍ତୀ ସମୟରେ ୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏବେବି ୬ ଜମ ନିଖୋଜ ଅଛନ୍ତି ।