ନୟାଗଡ଼ ୧୧।୭: ଧରାପଡ଼ିଗଲା ପୋଲିସ ବାବୁଙ୍କ ଚୋରା ପୀରତି । ରାତି ଅଧରେ ମହିଳାଙ୍କ ଘରେ ପଶି ଛେଚା ଖାଇଲେ ନୟାଗଡ ରଣପୁର ଥାନାର ଜଣେ ଏଏସଆଇ । ବିଳମ୍ବିତ ରାତିରେ ସାନକୂଆ ସାହିର ଜଣେ ମହିଳାଙ୍କ ଘରେ ପଶିଥିଲେ ଏଏସଆଇ ବାବୁ। ଧରାପଡ଼ିବା ପରେ ପରିବାର ଲୋକେ ନିସ୍ତୁକ ପିଟିଥିଲେ। ଯାହାର ଭିଡିଓ ଏବେ ଭାଇରାଲ ହେଉଛି ।

ମହିଳାଙ୍କ ଘରେ ପଶି ହରଡ଼ଘଣାରେ

ଚୋରା ପୀରତି ବିବାଦ ନୟାଗଡ ପୋଲିସର ପିଛା ଛାଡୁନି । ଖଣ୍ଡପଡା ଏସଡିପିଓ, ଶରଣକୂଳ ଥାନା ଅଧିକାରୀଙ୍କ ପରେ ଏବେ ରଣପୁର ଥାନାର ଜଣେ ଏଏସ୍ଆଇ ଏହି ବିବାଦକୁ ଆସିଛନ୍ତି । ରାତି ଅଧରେ ଜଣେ ମହିଳାଙ୍କ ଘରେ ପଶି ହରଡଘଣାରେ ଥାନା ଏଏସ୍ଆଇ । ନୟାଗଡ ଜିଲ୍ଲା ରଣପୁର ଥାନା ଏଏସ୍ଆଇ ପ୍ରଶାନ୍ତ ପରିଡା ଶୁକ୍ରବାର ବିଳମ୍ବିତ ରାତିରେ ଥାନା ଠାରୁ ମାତ୍ର ୨ ଶହ ମିଟର ଦୂରରେ ଥିବା ସାନକୂଆ ସାହିର ଜଣେ ମହିଳାଙ୍କ ଘରେ ପଶିଥିଲେ । ପରିବାର ଲୋକେ ପ୍ରଶାନ୍ତଙ୍କୁ ଧରି ଉତ୍ତମମଧ୍ଯମ ଦେଇଥିବା ଜଣାପଡିଛି ।

Also Read:- କାକଦ୍ୱୀପର ୨ କି.ମି. ଦୂରରେ ୧୬ ମତ୍ସ୍ୟଜୀବୀ ଠାବ, ସମସ୍ତେ ଅଛନ୍ତି ସୁରକ୍ଷିତ

ପୂରା ଘଟଣାର ଭିଡିଓ ଭାଇରାଲ୍

ସମ୍ପୃକ୍ତ ମହିଳାଙ୍କ ଘରେ ପୂର୍ବରୁ ପ୍ରଶାନ୍ତ ଭଡାରେ ରହୁଥିଲେ ଏବଂ କିଛିଦିନ ତଳେ ଘର ଛାଡି ଅନ୍ଯତ୍ର ରହୁଥିଲେ । ସେଠାରେ ରହୁଥିବା ସମୟରେ ପରିବାରର ଜଣେ ମହିଳାଙ୍କ ଉପରେ ପ୍ରଶାନ୍ତଙ୍କର ଖରାପ ନଜର ପଡିଥିଲା । ଶୁକ୍ରବାର ରାତି ପ୍ରାୟ ୨ଟା ସମୟରେ ପ୍ରଶାନ୍ତ ସମ୍ପୃକ୍ତ ମହିଳାଙ୍କ ଘରେ ପଶିଥିବା ବେଳେ ପରିବାର ଲୋକେ ତାଙ୍କୁ ଧରି ପ୍ରବଳ ମାଡ ମାରିଥିଲେ । ପ୍ରଶାନ୍ତ କ୍ଷମା ମାଗିବା ପରେ ପରିବାର ଲୋକେ ଏବଂ ସାହି ଲୋକ ପ୍ରଶାନ୍ତଙ୍କୁ ଛାଡିଥିବା ଜଣାପଡ଼ିଛି । ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିଲେ ମଧ୍ଯ ଘଟଣା ସମୟର ଭିଡିଓ ଭାଇରାଲ୍ ହୋଇଛି ।