ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଳକ୍ ଅଞ୍ଚଳରେ ଚାଞ୍ଚଲ୍ୟ। ରାତିରେ ରଜଦୋଳି ଖେଳିବାକୁ ଯାଇଥିବାବେଳେ ଜଣେ ଆଦିବାସୀ ଯୁବତୀଙ୍କୁ ବଳତ୍କାର ପରେ ତଣ୍ଟି ଚିପି ହତ୍ୟା କରାଯାଇଛି। ହତ୍ୟା ପରେ ଯୁବତୀଙ୍କ ମୃତଦେହକୁ ଘର ବାରିପଟେ ଫିଙ୍ଗି ଦିଆଯାଇଛି। ଏଭଳି ଜଘନ୍ୟ ଘଟଣା ଘଟିଛି କୋଡ଼ିଙ୍ଗା ଥାନା ଆର୍ଟିଗାଁ ପଞ୍ଚାୟତର ଚଚରାଗୁଡ଼ା ଗାଁରେ।

ଏହି ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଏସ୍ପି ପାର୍ଥ ଜଗଦୀଶ କଶ୍ୟପ ଘଟଣାର ତନାଘନା କରିଛନ୍ତି। ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଚାଲିଛି ତଦନ୍ତ । ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି। ମାମଲାରେ ସମ୍ପୃକ୍ତି ସନ୍ଦେହରେ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା କହିଛନ୍ତି ଏସ୍ପି।

ରବିବାର ଥିଲା ପହିଲି ରଜ। ଏଥିଲାଗି ଆଦିବାସୀ ଗାଁ ଚଚରାଗୁଡ଼ା ଥିଲା ଉତ୍ସବମୁଖର। ମୃତ ଯୁବତୀଙ୍କ ଭାଇଙ୍କ ଅଭିଯୋଗ ଅନୁଯାୟୀ, ରାତି ପ୍ରାୟ ୯ଟାରେ ଗାଁ ଦାଣ୍ଡରେ ସାଙ୍ଗସାଥିଙ୍କ ସହିତ ରଜଉତ୍ସବ ପାଳିବାକୁ ଯାଇଥିଲେ ତାଙ୍କ ଭଉଣୀ। ନାଚଗୀତ ସହ ଦୋଳିରେ ଝୁଲୁଥିଲେ ଯୁବତୀମାନେ। ଏହି ସମୟରେ ହଠାତ୍ ସେଠାରୁ କୁଆଡ଼େ ନିଖୋଜ ହୋଇ ଯାଇଥିଲେ ଯୁବତୀ।

ଘରକୁ ଚାଲିଯାଇଥିବେ ଭାବି ସାଙ୍ଗମାନେ ମଧ୍ୟ ରାତି ୧୦ଟାରେ ନିଜ ନିଜ ଘରକୁ ଫେରିଥିଲେ। ରାତିରେ କିନ୍ତୁ ଚନ୍ଦ୍ରା ଆଉ ଘରକୁ ଫେରି ନ ଥିଲେ। ଆଜି ସକାଳେ ପରିସ୍ରା କରିବାକୁ ଘର ବାରିପଟକୁ ଯାଇଥିଲେ। ସେଠାରେ ଉଭଣୀଙ୍କ ଶବ ପଡ଼ିଥିବା ଦେଖି ସ୍ତବ୍ଧ ହୋଇଯାଇଥିଲେ। ଭଉଣୀଙ୍କ ଶବକୁ ଉଠାଇ ଘରକୁ ଆଣିଥିଲେ। ପାଟିରୁ ରକ୍ତ ବାହାରୁଥିବାବେଳେ ତଣ୍ଟି ଫୁଲିଯାଇଥିଲା।