ନୂଆଦିଲ୍ଲୀ: ସାଉଦି ଆରବର ରାଜଧାନୀ ରିୟାଦରେ ପୁଣି ଆକ୍ରମଣ । ରିୟାଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ପୁଣି ଥରେ କ୍ଷେପଣାସ୍ତ୍ର ମାଡ଼ ହୋଇଥିବା ନେଇ ସୂଚନା ମିଳିଛି । ଦୁଇ ଦିନ ପୂର୍ବରୁ ଏହି ଏୟାରପୋର୍ଟରେ ହୁତି ବିଦ୍ରୋହୀ ମିସାଇଲ୍‌ ମାଡ଼ କରିଥିଲେ । ଏହି ଆକ୍ରମଷର ଜଣେ ପାଇଲଟଙ୍କ ସମେତ ୩ ଜଣ ସାଉଦି ନାଗରିକଙ୍କ ମୃତ୍ୟୁ ହୋଇଥିଲା । ଅଧିକାରୀଙ୍କ ସୂଚନା ଅନୁଯାୟୀ, ଶନିବାର ଏକ ମିସାଇଲ୍‌ ପାସେଞ୍ଜର ଟର୍ମିନାଲ୍‌ରେ ମାଡ଼ ହେବା ପରେ ଅନେକ ଲୋକ ଆହତ ହୋଇଛନ୍ତି ।

ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ଏବଂ ଆମ୍ବୁଲାନ୍ସ ପହଞ୍ଚିଛି । ତେବେ ଏହି ଆକ୍ରମଣ ପରେ ରିୟାଦକୁ ଆସୁଥିବା ସମସ୍ତ ବିମାନର ମାର୍ଗ ପରିବର୍ତ୍ତନ କରାଯାଇଛି । ଆଜି ଅପରାହ୍ଣ ୨.୫ରେ ଶେଷ ବିମାନ ଅବତରଣ କରିବା ପରେ ବିମାନ ସେବା ବନ୍ଦ ରହିଛି । ବିମାନବନ୍ଦର ବନ୍ଦ ହେବା ଯୋଗୁଁ କୁଏତ ଏୟାରଓ୍ବେଜ୍‌ ନିଜର ସମସ୍ତ ଉପାଡ଼ ବାତିଲ କରିଛି । 

ସେପଟେ ଆକ୍ରମଣକୁ ଦୃଷ୍ଟିରେ ରଖି କାନାଡା ଦୂତାବାସ ନିଜ ନାଗରିକଙ୍କୁ ଏୟାରପୋର୍ଟ ଆଡ଼କୁ ଯିବାକୁ ମନା କରିଛି । ରିୟାଦରେ ରହୁଥିବା ଲୋକଙ୍କ କହିବା ଅନୁଯାୟୀ, ପ୍ରାଇ ଦୁଇଟି ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା । FlightAwareର ତଥ୍ୟ ଅନୁଯାୟୀ, ବିଗତ ୨୪ ଘଣ୍ଟା ମଧ୍ୟରେ ଏହି ବିମାନବନ୍ଦରରୁ ପ୍ରାୟ ୨୨୫ଟି ଉଡ଼ାଣ ବାତିଲ ହୋଇଛି। ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ, ଫ୍ଲାଇ ଦୁବାଇ, ଲୁଫଥାନ୍‌ସା ଗ୍ରୁପ୍ ଏବଂ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ଆଗାମୀ କିଛି ଦିନ ପାଇଁ ସାଉଦି ଆରବକୁ ନିଜର ବିମାନ ସେବା ସ୍ଥଗିତ ରଖିଛନ୍ତି।

ହୁତି ବିଦ୍ରୋହୀଙ୍କ ଚେତାବନୀ 
ୟେମେନର ହୁତି ବିଦ୍ରୋହୀ ଲୋହିତ ସାଗର ନିକଟରେ ନିଜର ପ୍ରଭାବ ବିସ୍ତାର କରିଛି। ଫଳରେ ସାଉଦି ଆରବ ନେତୃତ୍ୱାଧୀନ ମେଣ୍ଟ ସେମାନଙ୍କ ଉପରେ ଏୟାର ଷ୍ଟ୍ରାଇକ୍ କରୁଛି। ଚଳିତ ସପ୍ତାହରେ ହୁତି ବିଦ୍ରୋହୀମାନେ ବିଶ୍ୱର ସମସ୍ତ ବିମାନ ସଂସ୍ଥାଗୁଡ଼ିକୁ ସାଉଦି ଆକାଶମାର୍ଗ ବ୍ୟବହାର ନ କରିବା ପାଇଁ  ଚେତାବନୀ ଦେଇଥିଲେ। ୟୁରୋପୀୟ ୟୁନିଅନ୍ ବିମାନ ଚଳାଚଳ ସୁରକ୍ଷା ଏଜେନ୍ସି ମଧ୍ୟ ସାଉଦି ଆକାଶମାର୍ଗକୁ ନେଇ କଟକଣା ଜାରି କରିଛି । 

ସାଉଦି ବିମାନବନ୍ଦର, ସାମରିକ ଘାଟି ଏବଂ ତୈଳ ପ୍ରକଳ୍ପଗୁଡ଼ିକ ଉପରେ କ୍ରମାଗତ କ୍ଷେପଣାସ୍ତ୍ର ଆକ୍ରମଣ ହେଉଥିବାରୁ ସାଉଦି ଆରବ ଆମେରିକା ଏବଂ ଅନ୍ୟ ସହଯୋଗୀ ଦେଶଗୁଡ଼ିକ ପାଖରୁ ସହାୟତା ଲୋଡ଼ିଛି। ଶୁକ୍ରବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଆକ୍ରମଣ ସମ୍ପର୍କରେ କହିଥିଲେ ଯେ, ‘ଏହା ଆଦୌ ଭଲ କଥା ନୁହେଁ ଏବଂ ମୁଁ ଏଥିରେ ଖୁସି ନୁହେଁ।’ ଏହି ଉତ୍ତେଜନା ମଧ୍ୟରେ ସାଉଦି ଆରବ ଏବଂ ଓମାନର ବୈଦେଶିକ ମନ୍ତ୍ରୀ ଟେଲିଫୋନ୍ ଯୋଗେ କଥା ହୋଇ ସମସ୍ୟାର ସମାଧାନ ପାଇଁ ପ୍ରଚେଷ୍ଟ କରୁଛନ୍ତି।