ନବରଙ୍ଗପୁର ୧୯।୪: ବର୍ତ୍ତିଲେନି ଭଗବାନ । ଚୋରଙ୍କୁ ନାହିଁ ମହାଦେବଙ୍କ ଡର । ନବରଙ୍ଗପୁର ସହର ସ୍ଥିତ ପୁରୁଣା ନୀଳକଣ୍ଠେଶ୍ଵର ମନ୍ଦିର ତାଲା ଭାଙ୍ଗି ହୁଣ୍ଡିରୁ ଟଙ୍କା ଲୁଟ୍ । ମନ୍ଦିରରୁ ଲକ୍ଷାଧିକ ଟଙ୍କାର ରୁପା ଅଳଙ୍କାର ଚୋରି ଅଭିଯୋଗ ହୋଇଛି । ଧରାପଡିବା ଭୟରେ ସିସିଟିଭିର ରିସିଭରକୁ ହାର୍ଡ ଡିସ୍କ ଭାବି ନେଇଗଲେ ଚୋର । ଥାନାରେ ଲିଖିତ ଅଭିଯୋଗ ପରେ ତଦନ୍ତ ଆରମ୍ଭ କଲା ନବରଙ୍ଗପୁର ଟାଉନ ପୋଲିସ ।

ଶନିବାର ରାତି ପ୍ରାୟ ସାଢ଼େ ୮ଟା ସମୟରେ ମନ୍ଦିର ପୂଜକ ଠାକୁରଙ୍କ ଶୟନ ସମୟର ସମସ୍ତ ନିତ୍ୟକର୍ମ ସାରି ଦ୍ୱାର ପହଡ଼ ପକାଇବା ସହିତ ମୁଖ୍ୟ ଫାଟକରେ ତାଲା ପକାଇ ଘରକୁ ଯାଇଥିଲେ । ପ୍ରତିଦିନ ଭଳି ସକାଳେ ଠାକୁରଙ୍କ ପୂଜା ନିମନ୍ତେ ଦୁଆର ଫିଟାଇବା ସମୟରେ ଗର୍ଭ ଗୃହ ଫାଟକ ତାଲା ଭାଙ୍ଗି ପଡିଥିବା ବେଳେ ଦାନ ହୁଣ୍ଡିର ଭାଙ୍ଗି ସମସ୍ତ ଟଙ୍କା ସହ ମନ୍ଦିରର ରୁପା ଅଳଙ୍କାର ସବୁ ଚୋରି ହୋଇଯାଇଥିବା ଦେଖିବାକୁ ପାଇଥିଲେ । ଏହାସହ ଗର୍ଭଗୃହରେ ଠାକୁରଙ୍କ ମସ୍ତକ ଉପରେ ଥିବା ରୁପା ଛତ୍ର ସହ ଠାକୁରଙ୍କ ପୂଜା ବ୍ୟବହାରରେ ଆସୁଥିବା ଅନ୍ୟ ରୁପା, ପିତ୍ତଳ ସାମଗ୍ରୀ ଚୋରି ହୋଇଥିବା ପୂଜକ ଦେଖିବାକୁ ପାଇଥିଲେ । ଏନେଇ ମନ୍ଦିର କମିଟିକୁ ଜଣାଇବା ସହିତ ତାଙ୍କ ପରାମର୍ଶ ଅନୁସାରେ ଟାଉନ ପୋଲିସକୁ ଜଣାଇଥିଲେ ।

Also Read:- School closed: ୨୩ ଯାଏଁ ଖୋର୍ଦ୍ଧା ଜିଲ୍ଲାରେ ସ୍କୁଲ ଓ ଅଙ୍ଗନଓ୍ବାଡି ଛୁଟି, ବନ୍ଦ ରହିବ ସରକାରୀ ଓ ବେସରକାରୀ ସ୍କୁଲ

ତେବେ ପୋଲିସ ଯାଞ୍ଚ ସମୟରେ ଚୋର ମାନେ ସିସିଟିଭିର ରିସିଭରକୁ ହାର୍ଡ ଡିସ୍କ ଭାବି ନେଇଯାଇଥିବା ଜାଣିବାକୁ ପାଇଥିଲେ । ଏହାସହ ସିସିଟିଭି ଫୁଟେଜରେ ୩ ଜଣ ଚୋର ଚୋରି କରୁଥିବା ଜଣାପଡିଛି । ଚୋରି କରିବା ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ନବରଙ୍ଗପୁର ଟାଉନ ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି ।