ନୂଆଦିଲ୍ଲୀ ୧୭।୧୦; ଗୁଜରାଟର ଭରୁଚ ଜିଲ୍ଲାରୁ ଆସିଛି ଏକ ଦୁଃଖଦ ଖବର। ଫାର୍ମା ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ ଘଟିଛି । ଯେଉଁଥିରେ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକ ଓ ଆତଙ୍କର ବାତାବରଣ ଖେଳିଯାଇଛି।

ସୂଚନା ଅନୁଯାୟୀ, ଭରୁଚ ଜିଲ୍ଲାର ଭାଗ୍ରା ଅଞ୍ଚଳର ସାୟଖା ଜିଆଇଡିସି ପରିସରରେ ଥିବା ସିନ୍ଜିଲ୍ ଫାର୍ମାକେମ୍ କମ୍ପାନୀରେ ଏହି ଦୁର୍ଘଟଣା ଘଟିଛି। କାରଖାନାରେ ହାଇଡ୍ରୋଜେନେସନ୍ ପ୍ରକ୍ରିୟା ଚାଲିଥିବା ସମୟରେ ବିସ୍ଫୋରଣ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଏହାର ଶବ୍ଦ ଦୂରଦୂରାନ୍ତ ପର୍ଯ୍ୟନ୍ତ ଶୁଣାଯାଇଥିଲା।

ଏହି ଭୟାବହ ଘଟଣାରେ ୫ ଜଣ ଶ୍ରମିକ ପ୍ରାଣ ହରାଇଥିବା ବେଳେ ଆହତ ୨ ଜଣଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ନିଆଯାଇଛି। ଘଟଣା ପରେ ସ୍ଥାନୀୟ ପ୍ରଶାସନ ଓ ଅଗ୍ନିଶମ ବିଭାଗର ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଅନ୍ୟପଟେ, ଏତେ ବଡ଼ ଦୁର୍ଘଟଣା କିପରି ଘଟିଲା, ତାହାର ତଦନ୍ତ ଆରମ୍ଭ ହୋଇଛି। ଶିଳ୍ପ ସୁରକ୍ଷା ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ଓ ସମ୍ଭାବ୍ୟ ବୈଷୟିକ ତ୍ରୁଟିର ଯାଞ୍ଚ କରୁଛନ୍ତି।ତେବେ ଏହି ବିସ୍ଫୋରଣ ପଛରେ ପ୍ରକୃତ କାରଣ କ’ଣ ଏବଂ କାରଖାନାରେ ସୁରକ୍ଷା ନିୟମ ପାଳନ କରାଯାଉଥିଲା କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ଏହି ଦୁଃଖଦ ଘଟଣା ପୁଣିଥରେ ଶିଳ୍ପାଞ୍ଚଳରେ ଶ୍ରମିକଙ୍କ ସୁରକ୍ଷାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି।