ବଡ଼ବିଲ ୨୭।୧୧ : ସାମାନ୍ୟ କଳିରୁ ଗଡ଼ିଲା ମୁଣ୍ଡ। ପଡ଼ୋଶୀକୁ କଟୁରୀରେ ହାଣି ହତ୍ୟା କଲା ପଡ଼ୋଶୀ। ଦୁଇ ପଡ଼ୋଶୀଙ୍କ ମଧ୍ୟରେ ସାମାନ୍ୟ କଥା କଟାକଟିରୁ ଘଟିଛି ଏକ ଭୟଙ୍କର ହତ୍ୟାକାଣ୍ଡ। କଥା କଟାକଟି ଏତେ ଉଗ୍ର ରୂପ ନେଲା ଯେ ଶେଷରେ କଟୁରୀରେ ଆକ୍ରମଣ କରି ପଡ଼ୋଶୀଙ୍କ ଜୀବନ ନେଇଗଲେ ଅନ୍ୟ ଜଣେ ପଡ଼ୋଶୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ବେଲଦା ଉପର ସାହିରେ। ମୃତକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ସୁରଜ ମୁଣ୍ଡା। ଏହି ହତ୍ୟାକାଣ୍ଡ ଅଭିଯୋଗରେ ପୋଲିସ ଅଭିଯୁକ୍ତ ପଡ଼ୋଶୀ ମୋଟୁ ମୁଣ୍ଡାଙ୍କୁ ଗିରଫ କରିଛି।

ଖବର ଅନୁଯାୟୀ, ବେଲଦା ଉପର ସାହିରେ ରହୁଥିବା ମୋଟୁ ମୁଣ୍ଡା ଏବଂ ସୁରଜ ମୁଣ୍ଡାଙ୍କ ମଧ୍ୟରେ କୌଣସି ଏକ ସାମାନ୍ୟ କଥାକୁ ନେଇ ପ୍ରଥମେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଦୁହିଁଙ୍କ ମଧ୍ୟରେ କଥା କଟାକଟି ଧୀରେ ଧୀରେ ବଢ଼ିବା ସହ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା। ଏହି ସମୟରେ ଉତ୍ତ୍ୟକ୍ତ ହୋଇ ମୋଟୁ ମୁଣ୍ଡା ଏକ କଟୁରୀ ଆଣି ସୁରଜ ମୁଣ୍ଡାଙ୍କୁ ଆକ୍ରମଣ କରିଥିଲେ।

ଆକ୍ରମଣ ଏତେ ଭୟଙ୍କର ଥିଲା ଯେ କଟୁରୀ ଚୋଟରେ ଗୁରୁତର ଆହତ ହୋଇ ସୁରଜ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ। ତାଙ୍କର ମୃତ୍ୟୁ ହେବା ପରେ ଅଞ୍ଚଳରେ ଖେଳିଯାଇଥିଲା ଚାଞ୍ଚଲ୍ୟ। ସାମାନ୍ୟ କଥାକୁ ନେଇ ଏଭଳି ଏକ ଜଘନ୍ୟ ଘଟଣା ଘଟିବାକୁ ନେଇ ସ୍ଥାନୀୟ ଲୋକେ ସ୍ତବ୍ଧ ହୋଇଯାଇଛନ୍ତି।

Also Read:-5T ସ୍କୁଲ ଖର୍ଚ୍ଚକୁ ନେଇ ବିଧାନସଭାରେ ଝଡ଼, ହିସାବ ମାଗିଲେ ବିଧାୟକ

ଘଟଣା ସମ୍ପର୍କରେ ଖବର ପାଇ ବାମେବାରୀ ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହାସହ ହତ୍ୟା ଅଭିଯୋଗରେ ମୋଟୁ ମୁଣ୍ଡାଙ୍କୁ ଗିରଫ କରିଛି। ତେବେ ହତ୍ୟାକାଣ୍ଡ ପଛରେ ଥିବା ପ୍ରକୃତ କାରଣ କ'ଣ ଏବଂ କେଉଁ ପରିସ୍ଥିତିରେ ବଚସା ଏତେ ଭୟଙ୍କର ରୂପ ନେଲା, ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ସାମାନ୍ୟ କଥା କଟାକଟିରୁ ଜଣେ ପଡ଼ୋଶୀଙ୍କ ଜୀବନ ଚାଲିଯିବା ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।