ଢାକା: ବାଂଲାଦେଶର ଏକ କୋର୍ଟ ରବିବାର ୮ବର୍ଷ ବୟଷ୍କା ନାବାଳିକା ପ୍ରତି ଦୁଷ୍କର୍ମ ଓ ହତ୍ୟା ମାମଲାରେ ଏକ ଦମ୍ପତ୍ତିଙ୍କୁ ମୃତ୍ୟୁଦଣ୍ଡାଦେଶ କରିଛନ୍ତି। ସରକାରୀ ଓକିଲଙ୍କ ଅନୁସାରେ ଏହା ଦେଶର ବିଚାରବିଭାଗୀୟ ଇତିହାସରେ ସବୁଠୁ ଦ୍ରୁତ ମର୍ଡର ଟ୍ରାୟଲ ଥିଲା। ଏଥିରେ କୋର୍ଟ ମାତ୍ର ୫ ଦିନ ଶୁଣାଣି ପରେ ରାୟ ଘୋଷଣା କରିଛନ୍ତି। ଢାକା ମେଟ୍ରୋପାଲିଟନ ଚାଇଲ୍ଡ ରିପ୍ରେସନ ପ୍ରିଭେନସନ ଟ୍ରିବ୍ୟୁନାଲ ମାମଲାର ୧୯ ଦିନ ପରେ ଏହି ଦଣ୍ଡାଦେଶ କରିଛନ୍ତି।

ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା ସାରା ଦେଶରେ ଜନ ଆକ୍ରୋଶର କାରଣ ପାଲଟିଥିଲା ଓ ଦେଶରେ ମହିଳା ଏବଂ ପିଲାଙ୍କ ବିରୋଧରେ ହିଂସାକୁ ନେଇ ଉଦବେଗ ପ୍ରକାଶ ପାଇଥିଲା। ଟ୍ରିବ୍ୟୁନାଲ ବିଚାରପତି ଜଷ୍ଟିସ୍ ମସଋର ସାଲେକିନ୍ ଏକ ଦମ୍ପତ୍ତି ସୋହେଲା ରାଣା ଓ ତାଙ୍କ ପତ୍ନୀ ସ୍ୱପ୍ନା ଖାତୁନଙ୍କୁ ମୃତ୍ୟୁଦଣ୍ଡାଦେଶ କରିଛନ୍ତି। ଏହା ଛଡା କୋର୍ଟ ଦୁଇ ଜଣଙ୍କୁ ଯଥାକ୍ରମେ ୫ଲକ୍ଷ ଓ ୨ଲକ୍ଷ ଟାକା ଲେଖାଏଁ ଜରିମନା ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ତାଙ୍କ ଆଦେଶରେ ଜରିମନା ରାଶି ଆଦାୟ କରି ପୀଡ଼ିତାଙ୍କ ପରିବାରକୁ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଜଜ କହିଛନ୍ତି ଯେ ‘ସେମାନଙ୍କୁ ସେ ପର୍ଯ୍ୟନ୍ତ ଫାଶୀରେ ଝୁଲାଇ ରଖାଯିବ ଯେଉଁ ପର୍ଯ୍ୟନ୍ତ ସେମାନଙ୍କ ମୃତ୍ୟୁ ନ ହୋଇଛି’। କୋର୍ଟ କହିଛନ୍ତି ଯେ ଯଦି ଜରିମନା ଦାଖଲ ନ କରାଗଲା ତେବେ ଦୋଷୀଙ୍କ ସମ୍ପତ୍ତି ବିକ୍ରି ଅଥବା ନିଲାମ କରି ଜରିମନା ରାଶି ଅସୁଲ କରାଯାଇ ପାରିବ। ସରକାରୀ ଓକିଲମାନେ କହିଛନ୍ତି ଯେ ମାମଲାରେ ପୋଲିସ ଚାର୍ଜସିଟ୍ ମିଳିବା ପରେ ୫ ଦିନରେ କୋର୍ଟ କାର୍ଯ୍ୟାନୁଷ୍ଠାନ ପୁରା ହୋଇଛି। ଏଣୁ ଏହି ମାମଲାକୁ ବାଂଲାଦେଶ ବିଚାରବିଭାଗୀୟ ଇତିହାସରେ ସବୁଠୁ ଦ୍ରୁତ ମର୍ଡର ଟ୍ରାୟଲ ବୋଲି କୁହାଯାଉଛି।