ଭୁବନେଶ୍ବର ୧୨।୯: ମାଲକାନଗିରି ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ବନ୍ୟା ସ୍ଥିତି ଏବଂ ସରକାରୀ ପ୍ରସ୍ତୁତି ନେଇ ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି । ଜିଲ୍ଲାର ୪ଟି ରାସ୍ତା ଉପରେ ଏବେ ପାଣି ଚାଲିଛି । ସୁରକ୍ଷା ଦୃଷ୍ଟିରୁ ଏହି ରାସ୍ତାରେ ଯାତାୟାତକୁ ବନ୍ଦ ରଖାଯାଇଛି । ସେଠାରେ ଅଟକି ରହିଥିବା ଡ୍ରାଇଭର ମାନଙ୍କ ପାଇଁ ଖାଦ୍ୟ ଏବଂ ପାଣିର ବ୍ୟବସ୍ଥା କରାଯାଇଛି । ସ୍ବାସ୍ଥ୍ୟ ଟିମ୍ ମଧ୍ୟ ସଜାଗ ଥିବା ମନ୍ତ୍ରୀଙ୍କୁ ଜଣାଇଛନ୍ତି ଜିଲ୍ଲାପାଳ । ପାଣି ଜମିଥିବା ୪ଟି ରାସ୍ତାକୁ ଉଚ୍ଚ କରିବା ପାଇଁ ଗତ ବର୍ଷ ରାଜସ୍ବ ବିଭାଗ ଅର୍ଥ ମଞ୍ଜୁର କରିଛି । ଆସନ୍ତା ମୌସୁମୀରେ ମାଲକାନଗିରିରେ ଏ ସମସ୍ୟା ରହିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

ସେପଟେ, ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି ଦ୍ବିତୀୟ ଲଘୁଚାପ ମାଲକାନଗିରି ଜିଲ୍ଲାକୁ ବେଶୀ ପ୍ରଭାବିତ କରିଛି । ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ମାଲାକନଗିରିରେ ୧୯୨ ମିଲିମିଟର, ଚିତ୍ରକୋଣ୍ଡାରେ ୧୯୨ ମିଲିମିଟର, ଡାବୁଗାଁରେ ୧୩୫ ମିଲିମିଟର, ବାଲିମେଳା ଡ୍ୟାମ୍ ପାଖରେ ୨୧୯ ମିଲିମିଟର ବର୍ଷା ହୋଇଛି ।

ଏହା ବ୍ୟତୀତ ଯାଜପୁର, ପୁରୀରେ ବି ବର୍ଷା ହୋଇଛି । କୋଲାବ ସିଷ୍ଟମର ଉପର ମୁଣ୍ଡରେ ବର୍ଷା ପାଇଁ ଫ୍ଲାସ୍ ଫ୍ଲଡ୍ ମାଲକାନଗିରିରେ ଦେଖିବାକୁ ମିଳିଛି । ପୋଟେରୁ ବ୍ରିଜ୍ ଓ ପୋଡ଼ିଆ ବ୍ରିଜ୍ ଉପରେ ଦୁଇ ଫୁଟର ପାଣି ଚାଲିଛି । ବାଲିମେଳାରେ ବର୍ଷା ପାଇଁ ରାସ୍ତା ଘାଟ ବନ୍ଦ ହୋଇ ଯାଇଥିଲା । ଏବେ ସ୍ଥିତିରେ ସୁଧାର ଆସୁଛି । ସନ୍ଧ୍ୟା ସୁଦ୍ଧା ରାସ୍ତା ଏବଂ ବ୍ରିଜ୍ରୁ ପାଣି କମିଯିବ, ଯାତାୟତ ସ୍ୱାଭାବିକ ହେବ ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସୂଚନା ଦେଇଛନ୍ତି ।

ବର୍ଷାରେ ବେହାଲ ସମଗ୍ର ମାଲକାନଗିରି ଜିଲ୍ଲା । ଲଗାଣ ବର୍ଷାରେ ଭାସିଲା ପୋଲ । ଭାରି ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାର ସମସ୍ତ ନଦୀରେ ସ୍ଥିତି ସଙ୍ଗୀନନ ହୋଇଛି । ଶନିବାର ମାଲକାନଗିରି ଜିଲ୍ଲାରେ ୮୦୪ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ପାଙ୍ଗାମ, ପୋଟେରୁ, କାଙ୍କୁରୁକୋଣ୍ଡା, କନ୍ୟାଶ୍ରମ ଓ ଏମଭି-96 ନଦୀ ପୋଲ ଉପରେ ୩ରୁ ୪ ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେଉଛି ।

Also Read:- 

ପରିସ୍ଥିତିକୁ ଦେଖି ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ଜିଲ୍ଲାପାଳ । କୋରାପୁଟରୁ ଓଡ୍ରାଫ ଟିମ୍ ଆସି ମାଲକାନଗିରିରେ ପହଞ୍ଚିଛନ୍ତି । ୩୨୬ ନମ୍ବର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଶହ ଶହ ଯାନବାହାନ ଅଟକି ରହିଛି । ବସ୍ ଯାତ୍ରୀ ମାନେ ଶୁକ୍ରବାର ରାତିରୁ ନଖାଇ ପୋଟେରୁ ପୋଲ ନିକଟରେ ଅଟକି ରହିଛନ୍ତି ।

ପୋଲ ଉପରେ ପାଣି ଚାଲୁଥିବା ଯୋଗୁଁ କାଲିମେଳା ଓ ପଡିଆ ବ୍ଲକ ସହ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ଶିକ୍ଷକ ମାନେ ବିଦ୍ୟାଳୟକୁ ଯାଇ ପାରିନଥିବା ବେଳେ କଲେଜ ଛାତ୍ରଛାତ୍ରୀ ପରୀକ୍ଷା ଦେଇନପାରି ପୋଲ ନିକଟରେ ଅଟକି ରହିଛନ୍ତି । ପ୍ରଶାସନ ତରଫରୁ ଯାତ୍ରୀ ମାନଙ୍କୁ ସକାଳେ ଚୁଡା ଓ ବିସ୍କୁଟ ଶୁଖିଲା ଖାଦ୍ୟ ଦିଆଯାଇଥିବା ବେଳେ ମଧ୍ୟାହ୍ନ ଭୋଜନ ପାଇଁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି ।