ଖଲ୍ଲିକୋଟ: ଫେରିଛି ଯନ୍ତ୍ରଣା । ଗୁଜୁରାଣ ପାଇଁ କଲବଲ । ବଦଳିଛି ଭୋକର ସଂଜ୍ଞା । ଏଠି ସିନା ନାହିଁ କଟକଣା କିନ୍ତୁ ଦାଉ ସାଜିଛି ଅଭାବ । ଭୂତାଣୁକୁ ବଳିଯିବାକୁ ବସିଛି ରନ୍ଧନ ଗ୍ୟାସ୍ ଯନ୍ତ୍ରଣା । ରୋଗଠାରୁ ବଢିଛି ଚଳିବା କଷ୍ଟ । ଜୀବନ ଜୀବିକା ଲାଗି ଅହରହ ସଂଗ୍ରାମ । ପ୍ରବାସୀ ଶ୍ରମିକଙ୍କ ଉପରେ ମଧ୍ୟପ୍ରାଚ୍ୟ ପ୍ରହାର । ଗ୍ୟାସ ଅଭାବରୁ ରୋଜଗାରରେ ପଡିଯାଇଛି ତାଲା । ଘର ମୁହାଁ ଏବେ ଶହ ଶହ ଓଡ଼ିଆ ପ୍ରବାସୀ । ଜାଳେଣ ଅଭାବରୁ ସୁରଟର ଅନେକ ଟେକ୍ସଟାଇଲ ଇଣ୍ଡଷ୍ଟ୍ରି ବନ୍ଦ ହେବାକୁ ଲାଗିଲାଣି । ଆଉ ଉପାୟ ଶୂନ୍ୟ ଶ୍ରମିକଙ୍କୁ ପାଖରେ ଗୋଟିଏ ରାସ୍ତା ଘରବାହୁଡା । ଗଞ୍ଜାମ ଖଲ୍ଲିକୋଟ ରେଳ ଷ୍ଟେସନର ଦୃଶ୍ୟ ଦେଖିଲେ ମନେ ପଡିଯାଉଛି କୋଭିଡ ସମୟର ଦୃଶ୍ୟ ।

ବଦଳୁଛି ଭୋକର ଭୁଗୋଳ । ଦାନା ଗଣ୍ଡାଏ ଲାଗି ସଂଘର୍ଷ । ହାଟରୁ ହାଣ୍ଡିଶାଳ ସବୁଠି ଓ୍ୱାର ଇଫେକ୍ଟ । ଜାଳେଣି ଗ୍ୟାସ ଅଭାବରୁ ପଲ୍ଲୀରୁ ଦିଲ୍ଲୀ ସବୁଠି ଚଡକ । ସାଧାରଣ ଲୋକ କୋଇଲା ଵା କାଠ ଚୁଲି ଉପରେ ନିର୍ଭର କଲାବେଳେ ହୋଟେଲ ଓ ରେଷ୍ଟୁରାଣ୍ଟ ବନ୍ଦ ହେବାକୁ ବସିଲାଣି । ଫଳରେ କିଛି ବର୍ଷ ପରେ ରାଜ୍ୟକୁ ଫେରିଛି ଦାଦନ କଷ୍ଟ । ଗଞ୍ଜାମର ବିଭିନ୍ନ ଅଞ୍ଚଳରୁ ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ୱ ଓଡ଼ିଆ ଶ୍ରମିକଙ୍କ ଜୀବିକା ଲାଗିଛି ବାଜିରେ । ସୁରଟ ସୁତା କଳରେ ଶ୍ରମିକ ଭାବେ କାମ କରି ଆସୁଥିବା ବେଳେ ଜାଳେଣି ଗ୍ୟାସର ଅଭାବ ସେମାନଙ୍କ ରୋଜଗାରକୁ ପ୍ରଭାବିତ କରିଛି। କିଛି ମେସ ଜାଳେଣି ଗ୍ୟାସର ଅଭାବ ଯୋଗୁଁ ବନ୍ଦ ହୋଇଯାଇଥିବା ବେଳେ ହୋଟେଲ ମାନଙ୍କରେ ଖାଦ୍ୟ ସାମଗ୍ରୀ ଉଚ୍ଚା ଦର । ରହିବା ତ ଦୂରର କଥା ପେଟରେ ଦାନା ନେବା ହୋଇପଡିଲାଣି ମୁସ୍କିଲ୍ ।

also read...Duke Ball Crisis: କ୍ରିକେଟକୁ ବ୍ୟାପିଲା ମଧ୍ୟପ୍ରାଚ୍ୟ ଓ୍ୱାର, ମ୍ୟାଚ୍ ହେବ କେମିତି ବଢିଲା ଅନିଶ୍ଚିତତା

ଯୁଦ୍ଧ ପାଇଁ ଗ୍ୟାସର ଅଭାବ ପ୍ରାୟ ଦୀର୍ଘ ଏକମାସ ଧରି ଲାଗି ରହିଛି । ଫଳରେ ଶ୍ରମିକମାନେ ଗ୍ୟାସ କେଜି ପିଛା ପାଞ୍ଚଶହ ଟଙ୍କାରୁ ୬୦୦ ଟଙ୍କା କିଣିଥିବା କହିଛନ୍ତି । ଚଢା ଦରରେ ଗ୍ୟାସ କିଣି ସୁରଟରେ ରହି ସୂତା କଳରେ କାମ କରିବା ସେମାନଙ୍କ ପାଇଁ କଷ୍ଟସାଧ୍ୟ । ଦାନା ଛ ଟଙ୍କାକୁ ଘୋଡା ନ ଟଙ୍କା ସଦୃଶ୍ ହୋଇଛି । ବାଧ୍ୟ ହୋଇ ପ୍ରତିଦିନ ଶହ ଶହ ଓଡ଼ିଆ ଶ୍ରମିକ ଅନିର୍ଦ୍ଧିଷ୍ଟ କାଳ ପାଇଁ ଘରକୁ ଫେରିଛନ୍ତି । ସେମାନଙ୍କ କହିବା ଅନୁଯାୟୀ ସ୍ଥିତି ସ୍ୱାଭାବିକ ହେଲେ ପୁଣି ନିଜର କର୍ମକ୍ଷେତ୍ରକୁ ଫେରିବେ। ସୁତାକଳରେ କାମ କରୁଥିବା ଓଡ଼ିଶାର ପ୍ରାୟ ୭ ଲକ୍ଷରୁ ଅଧିକ ଶ୍ରମିକଙ୍କ ରୋଜଗାର ଠପ୍ ହୋଇଯାଇଛି।

ଦିନେ ପ୍ରବାସୀଙ୍କ ଶ୍ରମିକଙ୍କ ପାଇଁ ଦାଉ ସାଧିଥିଲା କରୋନା । ରୋଜଗାର ତଥା ଜୀବନ ବଞ୍ଚାଇବାକୁ ଗୋଟିଏ ରାସ୍ତା ଥିଲା ଘର ବାହୁଡ଼ା । ପାଖାପାଖି ୨, ୩ ବର୍ଷ ଘରେ ବସିବା ପରେ ବଢିଥିଲା ବେକାରୀ ସମସ୍ୟା । ବର୍ତ୍ତମାନ ସ୍ଥିତି ଏକରମକମର ସମାନ ହୋଇଛି । ରୋଗ ନଥିଲେ ବି ବଳିଯାଇଛି ଯୁଦ୍ଧ ସଂକଟ ସ୍ଥିତି । ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ କେବେ ସାମାଧାନ ହେବ ସ୍ଥିତି? କେବେ ଫେରିବ ସ୍ୱାଭାବିକ ଜୀବନ ?