ଡକାର: ପଶ୍ଚିମ ଆଫ୍ରିକୀୟ ଦେଶ ସେନେଗାଲରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି, ଯେଉଁଠାରେ ଏକ ଦୁଃଖଦ ସାମୁଦ୍ରିକ ଦୁର୍ଘଟଣାରେ ୨୧ ଜଣଙ୍କ ମୃତ୍ୟୁ ହୋଇଛି। ରିପୋର୍ଟ ଅନୁସାରେ ପ୍ରବାସୀଙ୍କୁ ନେଇ ଡଙ୍ଗାଟି ସ୍ପେନର କାନାରୀ ଦ୍ୱୀପପୁଞ୍ଜକୁ ଯାଉଥିଲା। ସେନେଗାଲ ଗୃହମନ୍ତ୍ରାଳୟ ସୂଚନା ଅନୁଯାୟୀ ରାଜଧାନୀ ଡକାରରୁ ଉତ୍ତରରେ ୧୮୦ କିଲୋମିଟର ଦୂର ସମୁଦ୍ରରେ ଡଙ୍ଗାଟି ବୁଡି ଯାଇଛି। ଉଦ୍ଧାରକାରୀ ଦଳ ୨୧ ଜଣଙ୍କ ଶବ ପାଣିରୁ ଉଦ୍ଧାର କରିଛନ୍ତି। ମୃତକଙ୍କ ମଧ୍ୟରେ ଅଧିକାଂଶ ସ୍ଥାନୀୟ କେବେମେର ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛନ୍ତି।

ମିଳୁଥିବା ସୂଚନା ଅନୁସାରେ ଉଦ୍ଧାରକାରୀ ଦଳ ଏପର୍ଯ୍ୟନ୍ତ ମାତ୍ର ଜଣଙ୍କୁ ସମୁଦ୍ରରୁ ଜୀବିତ ଉଦ୍ଧାର କରିଛନ୍ତି। ସନ୍ଧାନ ଅଭିଯାନ ଏବେବି ଜାରି ରହିଛି। ଏଣୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି। ହେଲେ ଡଙ୍ଗାରେ କେତେ ଲୋକ ଯାତ୍ରା କରୁଥିଲେ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ। ଉଲ୍ଲେଖଯୋଗ୍ୟ ଯେ ପଶ୍ଚିମ ଆଫ୍ରିକାରୁ ସ୍ପେନର କାନାରୀ ଦ୍ୱୀପପୁଞ୍ଜକୁ ଯାଉଥିବା ଏହି ଆଟଲାଣ୍ଟିକ ମାର୍ଗକୁ ବିଶ୍ୱର ସବୁଠୁ ବିପଦପୂର୍ଣ୍ଣ ମାର୍ଗ ମଧ୍ୟରୁ ଅନ୍ୟତମ ବିବେଚନା କରାଯାଏ।

ଏକ ସୁରକ୍ଷିତ ଭବିଷ୍ୟତ ସନ୍ଧାନରେ ପ୍ରତିବର୍ଷ ହଜାର ହଜାର ଲୋକ ଏହି ଜୀବନ ବିପନ୍ନ ରାସ୍ତାରେ ନିଜ ଜୀବନକୁ ବାଜି ଲଗାଇଥାନ୍ତି। ପ୍ରବାସୀ ଅଧିକାରୀ ସଙ୍ଗଠନ ୱାକିଂ ବାର୍ଡସ୍ ଅନୁସାରେ କେବଳ ଚଳିତବର୍ଷ ପ୍ରଥମ ୫ ମାସରେ ଏହି ରାସ୍ତାରେ ୬୩୫ ଜଣ ଲୋକଙ୍କ ମୃତ୍ୟୁ ହେଲାଣି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ସେନେଗାଲ ସୁରକ୍ଷା ବାହିନୀ ସ୍ପେନ ପହଞ୍ଚିବାକୁ ଉଦ୍ୟମ କରୁଥିବା ୧୪୨ ଜଣ ପ୍ରବାସୀଙ୍କୁ ଅଟକାଇବାର ଦିନକ ପରେ ଏହି ଦୁର୍ଘଟଣା ଘଟିଛି। ସୁରକ୍ଷା ବାହିନୀ ଦ୍ୱାରା ଅଟକ ପ୍ରବାସୀଙ୍କ ମଧ୍ୟରେ ମହିଳା, ଛୋଟ ପିଲାଙ୍କ ସମେତ ସେନେଗାଲ, ଗାମ୍ବିୟା, ଗିନି ଓ ନାଇଜେରିୟା ନାଗରିକ ମଧ୍ୟ ଥିଲେ।