ନୂଆଦିଲ୍ଲୀ, ୩୧। ୦୭ : ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଥମୁନି । ଆମେରିକା ଏବଂ ଇରାନ ନିର୍ଣ୍ଣାୟକ ଯୁଦ୍ଧ ଆଡେ ମୁହାଁଇଲେଣି । କିଛି ବି ହୋଇପାରେ । ତେବେ ଯୁଦ୍ଧର ପ୍ରଭାବ ସେଠାରେ ବସବାସ କରୁଥିବା ଭାରତୀୟଙ୍କ ଉପରେ ପଡିଛି । ଅନେକ ଭାରତୀୟ ପ୍ରାଣ ହରାଇଛନ୍ତି । ଯାହାକୁ ନେଇ ବଡ଼ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର ।

ରାଜ୍ୟସଭାରେ ବୈଦେଶିକ ରାଜ୍ୟମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂ କହିଛନ୍ତି ଯେ, ଚଳିତ ବର୍ଷ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠୁ ଏବେସୁଦ୍ଧା ୧୬ ଜଣ ଭାରତୀୟ ପ୍ରାଣ ହରାଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦ ଜଣ ହେଉଛନ୍ତି ନାବିକ । ସେହିପରି ୭୫ ଜଣ ଭାରତୀୟ ଆହତ ହୋଇଛନ୍ତି । ସିପିଆଇ ସାଂସଦ ଜନ୍ ବ୍ରିଟାସଙ୍କ ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀ ଏହି ଉତ୍ତର ରଖିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ,ସାଉଦି ଆରବରେ ଜଣେ, କୁଏତରେ ଦୁଇ ଜଣ, ଓମାନରେ ୮ ଜଣ, ଇରାକରେ ଜଣେ, ୟୁଏଇରେ ୪ ଜଣ ପ୍ରାଣ ହରାଇଛନ୍ତି । ସେହିପରି ୟୁଏଇରେ ୩୨ ଜଣ, ଓମାନରେ ୨୪, କତାରରେ ୪, କୁଏତରେ ୧୩ ଏବଂ ସାଉଦିରେ ଜଣେ ଆହତ ହୋଇଛନ୍ତି । ସେହିପରି ଇସ୍ରାଏଲରେ ମଧ୍ୟ ଜଣେ ଭାରତୀୟ ନାଗରିକ ଆହତ ହୋଇଛନ୍ତି । ସେହିପରି ଅନ୍ୟ ଏକ ଘଟଣାରେ କତାରର ରାସ୍ ଲଫାନ୍ ପ୍ରାଣ୍ଟରେ ୧୨ ଜଣ ଭାରତୀୟ ପ୍ରାଣ ହରାଇଛନ୍ତି । ଯାହାର ସିଧାସଳଖ ଯୁଦ୍ଧ ସହ କୌଣସି ସମ୍ପର୍କ ନାହିଁ ।

Also Read :- କୋଇଲା ଖଣିରେ ବିସ୍ଫୋରଣ, ୩୨ ମୃତ : ୪ ହଜାର ଫୁଟ୍ ତଳେ ଚାଲିଛି ରେସ୍କ୍ୟୁ ଅପରେସନ

ସରକାରଙ୍କ କହିବାନୁସାରେ, ଯୁଦ୍ଧରେ ପ୍ରାଣ ହରାଇଥିବା ନାବିକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯାଇଛି । ସେହିପରି ୟୁନିଅନ ସହ ଜଡିତ ନାବିକଙ୍କୁ ଅତିରିକ୍ତ ରାଶି ମିଳିଛି । ଅଧିକାରୀଙ୍କୁ ୧୦ ଲକ୍ଷ ଏବଂ କ୍ରିଉ ସଦସ୍ୟଙ୍କୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।