କୋଲକାତା: ଆଇପିଏଲ୍ ୨୦୨୬ର ଏକ ଗୁରୁତ୍ଵପୂର୍ଣ୍ଣ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯାଉଛି। ମୁକାବିଲାରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୮ ଓ୍ଵିକେଟ୍ ହରାଇ କେବଳ ୧୪୭ ରନ କରି ପାରିଛି। ନିଜ ପାଇଁ କର ବା ମର ଏହି ମ୍ୟାଚ୍ ଜିତିବା ପାଇଁ କୋଲକାତା ସମ୍ମୁଖରେ ରହିଛି ୧୪୮ ରନର ବିଜୟ ଲକ୍ଷ୍ୟ।ଶେଷ ଆଡ଼କୁ କର୍ବିନ ବୋଶ ୧୮ ବଲରୁ ୩୨ ରନ କରିବାରୁ ଦଳ ଏହି ସ୍କୋରରେ ପହଞ୍ଚି ପାରିଛି। ବାକି ବ୍ୟାଟର ସବୁ ନିରାଶ କରିଛନ୍ତି। ଏହି ମ୍ୟାଚ୍ ଜିତିଲେ କୋଲକାତାର ପ୍ଲେ ଅଫ୍ ଆଶା ଉଜ୍ଜିବୀତ ରହିବ। ହାରିଲେ ଦଳ ପ୍ଲେ ଅଫ୍ ଦୌଡ଼ରୁ ବିଦା ହେବ। ଏହି ମ୍ୟାଚରେ କୋଲକାତା ବୋଲର ଚମତ୍କାର ବୋଲିଂ କରିଛନ୍ତି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଆରମ୍ଭରୁ ଓ୍ଵିକେଟ୍ ହରାଇଥିଲା। ବିଗତ ୩ଟି ମ୍ୟାଚ୍‌ରୁ ବାଦ୍ ପଡ଼ିବା ପରେ ଏହି ମ୍ୟାଚ୍‌ ଜରିଆରେ କମବ୍ୟାକ୍ କରିଥିବା ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ବଡ଼ ସ୍କୋର କରିବାରେ ବିଫଳ ହୋଇଛନ୍ତି। ସେ ୨୭ଟି ବଲ୍‌ ସାମ୍ନା କରି ମାତ୍ର ୨୬ ରନ୍ କରିବାକୁ ସକ୍ଷମ ହୋଇଥିଲେ। ଅନ୍ୟପଟେ ଓପନର ରୋହିତ ଶର୍ମା ମଧ୍ୟ ଦଳକୁ ଭଲ ଆରମ୍ଭ ଦେଇପାରି ନାହାନ୍ତି ଏବଂ ମାତ୍ର ୧୫ ରନ୍ କରି ଆଉଟ୍ ହୋଇଛନ୍ତି।

ଷ୍ଟାର୍ ବ୍ୟାଟର ସୂର୍ଯ୍ୟକୁମାର ଯାଦବ କ୍ରିଜ୍‌କୁ ଆସିବା ମାତ୍ରେ ୨ଟି ଚୌକା ଓ ୧ଟି ଛକା ମାରି ବିସ୍ଫୋରକ ଅନ୍ଦାଜରେ ଖେଳିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ ମଧ୍ୟ ଅଧିକ ସମୟ ତିଷ୍ଠି ପାରିନଥିଲେ। ସୂର୍ଯ୍ୟ ୬ଟି ବଲ୍‌ରୁ ୧୫ ରନ୍ କରି ପ୍ୟାଭିଲିୟନ ଫେରିଥିଲେ। ବିପର୍ଯ୍ୟୟ ସମୟରେ କର୍ବିନ୍ ବସ ସାହସିକ ବ୍ୟାଟିଂ କରି ମୁମ୍ବାଇର ଲାଜ ରଖିଥିଲେ। ସେ ୧୮ଟି ବଲ୍‌ରୁ ଦ୍ରୁତ ୩୨ ରନ୍‌ର ଇନିଂସ ଖେଳିବା ଫଳରେ ଦଳ ସୀମିତ ଓଭରରେ ସମ୍ମାନଜନକ ସ୍କୋର ଆଡ଼କୁ ଗତି କରିଥିଲା।

କେକେଆର୍ ବୋଲରଙ୍କ କମାଲ

କୋଲକାତା ପକ୍ଷରୁ ବୋଲିଂରେ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଛି। ଦଳ ପାଇଁ ସୌରଭ ଦୁବେ, କ୍ୟାମେରନ୍ ଗ୍ରୀନ୍ ଏବଂ କାର୍ତ୍ତିକ ତ୍ୟାଗୀ ଘାତକ ବୋଲିଂ କରି ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ୍ ଅଖତିଆର କରିଛନ୍ତି। ସେହିପରି ସ୍ପିନର ସୁନୀଲ ନରିନ ମାତ୍ର ୧ଟି ୱିକେଟ୍ ନେଇଥିଲେ ମଧ୍ୟ ନିଜର ୪ ଓଭର ସ୍ପେଲ୍‌ରେ ମାତ୍ର ୧୩ ରନ୍ ବ୍ୟୟ କରିଥିଲେ। ତାଙ୍କ ବଲ୍‌କୁ ସାମ୍ନା କରିବା ମୁମ୍ବାଇ ବ୍ୟାଟରଙ୍କ ପାଇଁ ବେଶ୍ କଷ୍ଟକର ସାବ୍ୟସ୍ତ ହୋଇଥିଲା।