ଅହମ୍ମଦାବାଦ: ସୋମବାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଦେଖିବାକୁ ମିଳିଛି ତିଲକ ବର୍ମାଙ୍କ ଝଡ଼। ତିଳକ ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ ଧୂଆଁଧାର ବ୍ୟାଟିଂ କରି ୪୫ ବଲରେ ଶତକ ହାସଲ କରିଛନ୍ତି। ସେ ପ୍ରଥମ ୨୨ ବଲରେ ମାତ୍ର ୧୯ ରନ୍ କରିଥିଲେ। କିନ୍ତୁ ତା’ପରେ ୨୩ ବଲରେ ବିସ୍ଫୋରକ ବୟାଟିଂ କରିଥିଲେ. ଏହି ସମୟରେ ସେ ୩୫୬.୫୨ ଷ୍ଟ୍ରାଇକ୍ ରେଟରେ ୮୨ ରନ୍ କରିଥିଲେ। ତିଲକ ବର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ, ୨୦ ଓଭରରେ ୧୯୯ ରନ କରିଥିଲା। ତିଲକ ନିଜର ଶତକୀୟ ଇନିଂସ ବଳରେ ବିଶେଷ ମାଇଲଖୁଣ୍ଟ ମଧ୍ୟ ହାସଲ କରିଛନ୍ତି। ତିଲକ ଏବେ IPL ଇତିହାସରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଦ୍ରୁତତମ ଶତକ ମାରିବାରେ ମିଳିତ-ପ୍ରଥମ ସ୍ଥାନରେ ରହିଛନ୍ତି।

ଜୟସୂର୍ଯ୍ୟାଙ୍କ ରେକର୍ଡର ସମକକ୍ଷ

IPL ଇତିହାସରେ ଦ୍ରୁତତମ ଶତକର ରେକର୍ଡ ପୂର୍ବରୁ ସନଥ ଜୟସୂର୍ଯ୍ୟାଙ୍କ ନାମରେ ଥିଲା, ଯିଏ ପ୍ରଥମ ସିଜିନରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ୪୫ ବଲରେ ଶତକ ହାସଲ କରିଥିଲେ। ନିଜର ପ୍ରଥମ IPL ଶତକ ସହିତ ତିଲକ ବର୍ମା ପୂର୍ବତନ ଶ୍ରୀଲଙ୍କା କିମ୍ବଦନ୍ତୀଙ୍କ ସହ ଏହି ତାଲିକାରେ ଯୁଗ୍ମ ଭାବେ ଶୀର୍ଷ ସ୍ଥାନରେ ରହିଛନ୍ତି। ତାଲିକାରେ ଦ୍ଵିତୀୟରେ ଅଛନ୍ତି କ୍ୟାମେରନ ଗ୍ରୀନ। ଏହି ଅଷ୍ଟ୍ରେଲିଆ ଖେଳାଳି ୨୦୨୩ରେ ହାଇଦ୍ରାବାଦ ବିପକ୍ଷରେ ୪୭ ବଲରେ ଶତକ ମାରିଥିଲେ। ସୂର୍ଯ୍ୟକୁମାର ଯାଦବ ୨୦୨୩ରେ ୪୯ ବଲରେ ଶତକ ମାରି ଏହି ତାଲିକାରେ ରହିଛନ୍ତି।

Also Read: ସୂର୍ଯ୍ୟଙ୍କ ହେବ ଛୁଟି, ଶ୍ରେୟସ ହେବେ ଟିମ୍ ଇଣ୍ଡିଆର ନୂଆ ଅଧିନାୟକ; ମନସ୍ଥ କଲାଣି BCCI

IPLରେ ମୁମ୍ବାଇ ପାଇଁ ଦ୍ରୁତତମ ଶତକ

୪୫ ବଲ୍- ସନତ ଜୟସୂର୍ଯ୍ୟା ବନାମ ସିଏସକେ, ଓ୍ଵାଙ୍ଖେଡ଼େ, ୨୦୦୮

୪୫ ବଲ୍- ତିଳକ ବର୍ମା ବନାମ ଜିଟି, ଅହମ୍ମଦାବାଦ, ୨୦୨୬

୪୭ ବଲ୍- କ୍ୟାମେରୁନ ଗ୍ରୀନ ବନାମ ଏସଆରଏଚ, ଓ୍ଵାଙ୍ଖେଡ଼େ, ୨୦୨୩

୪୯ ବଲ୍- ସୂର୍ଯ୍ୟକୁମାର ବନାମ ଜିଟି, ଓ୍ଵାଙ୍ଖେଡ଼େ, ୨୦୨୩

ସୂର୍ଯ୍ୟଙ୍କ ରେକର୍ଡ ଭାଙ୍ଗିଲେ ତିଳକ

ଏହା ବ୍ୟତୀତ, ତିଲକ ବର୍ମା ଆଇପିଏଲରେ ଗୁଜରାଟ ବିପକ୍ଷରେ ଶତକ ମାରିବାରେ ଦ୍ଵିତୀୟ ମୁମ୍ବାଇ ବ୍ୟାଟର। ତାଙ୍କ ପୂର୍ବରୁ ସୂର୍ଯ୍ୟକୁମାର ଯାଦବ ୪୯ ବଲରେ ଏହି ସଫଳତା ହାସଲ କରିଥିଲେ। ତିଳକ ଗୁଜରାଟ ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଶତକ ମାରିବାରେ ଦ୍ରୁତତମ ବ୍ୟାଟର ହୋଇଛନ୍ତି।

ପ୍ରଥମେ ବିପର୍ଯ୍ୟୟ, ଶେଷରେ ଉଗ୍ର ରୂପ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସର ଆରମ୍ଭ ନିରାଶଜନକ ଥିଲା। ୨୫ ରନ ଭିତରେ ଦଳ ଦୁଇ ଓପନର ଦାନିଶ ମାଲେଓ୍ଵାର(୨) ଓ କ୍ଵିଣ୍ଟନ ଡିକ(୧୩)ଙ୍କ ଓ୍ଵିକେଟ୍ ହରାଇଥିଲା। ଗତ ମ୍ୟାଚରେ ଡିକକ ଶତକ ମାରି ଅପରାଜିତ ଥିଲେ । ଏହା ପରେ ଖରାପ ଫର୍ମ ଦେଇ ଗତି କରୁଥିବା ସୂର୍ଯ୍ୟକୁମାର ଯାଦବ(୧୫ ରନ) ପୁଣି ଥରେ ନିରାଶ କରିଥିଲେ। ହେଲେ ନମନ ଧୀର ଉପର କ୍ରମରେ ୩୨ ବଲରୁ ୪୫ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଗୁଜରାଟ ବୋଲର ଶାଣିତ ବୋଲିଂ କରି ଆରମ୍ଭରୁ ମୁମ୍ବାଇ ବ୍ୟାଟରଙ୍କ ହାତ ଖୋଲିବାକୁ ସୁଯୋଗ ଦେଇ ନ ଥିଲେ। ୧୪ ଓଭର ପର୍ଯ୍ୟନ୍ତ ମୁମ୍ବାଇ ରନ ହାର ସାଢେ ୭ ତଳେ ରହିଥିଲା। ଦଳ ୧୦୩ ରନ କରିଥିଲା।

Also Read: ଏତେ କ୍ୟାଚ୍ ଛାଡିଲେ ଯେ, ଲୁଚାଇବାକୁ ପଡିଲା ଖେଳାଳିଙ୍କ ମୁହଁ, ବିଜୟ ପରେ ଭିଡିଓ ଭାଇରାଲ...

ହେଲେ ଏହାପରେ ଅଲଗା ରୂପରେ ନଜର ଆସିଥିଲେ ତିଳକ ବର୍ମା। ଏହି ବାମହାତୀ ବ୍ୟାଟର ଏମିତି ଧୂଆଁଧାର ବ୍ୟାଟିଂ କରିବେ ଗୁଜରାଟ ବୋଲର ଭାବି ନ ଥିଲେ। ଛକା ଓ ଚୌକା ବର୍ଷା କରି ଚାଲିଲେ ତିଲକ ବର୍ମା। ତାଙ୍କ ଆଗରେ ଗିଲଙ୍କ ରଣନୀତି ଫେଲ୍ ମାରିଥିଲା। ପ୍ରଥମ ୨୨ ବଲରେ ୧୯ ରନ କରିଥିବା ତିଳକ ୨୩ ବଲରେ ୮୨ ରନ କରି ମୁମ୍ବାଇର ସ୍କୋରକୁ ୧୯୯ ରନରେ ପହଞ୍ଚାଇଥିଲେ। ଅନ୍ୟ ପାର୍ଶ୍ଵରେ କେହି ସହାୟତା ଦେଇ ନ ଥିଲେ ବି ତିଳକ ୪୫ ବଲରେ ୮ ଚୌକା ଓ ୭ ଛକା ଜରିଆରେ ୧୦୧ ରନର ଅପରାଜିତ ଇନିଂସ ଖେଳିଥିଲେ। ମୁମ୍ବାଇ ପକ୍ଷରୁ ତିଳକଙ୍କ ଏହା ଯୁଗ୍ମ ଦ୍ରୁତ ଶତକ।