ନୂଆଦିଲ୍ଲୀ: ଫିଫା ବିଶ୍ୱକପ୍ (FIFA World Cup) ମ୍ୟାଚ୍‌ରେ ନିଜ ଦେଶର ବିଜୟ ଲାଗି ଉତ୍ସବ ପାଳନ କରୁଥିବା ପ୍ରଶଂସକଙ୍କ ପାଇଁ ସମୟ ଅତ୍ୟନ୍ତ ଦୁଃଖଦାୟକ ପାଲଟିଛି। ମେକ୍ସିକୋର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ 'କାବୋ ସାନ୍ ଲୁକାସ୍' ଠାରେ ଏକ ଦ୍ରୁତଗାମୀ କାର୍ ଉତ୍ସବ ମନାଉଥିବା ଲୋକଙ୍କ ଭିଡ଼ ଭିତରକୁ ମାଡ଼ି ଯାଇଛି। ବୁଧବାର ରାତିରେ ଘଟିଥିବା ଏହି ଭୟଙ୍କର ଦୁର୍ଘଟଣାରେ କାର୍ ଚାଳକଙ୍କ ସମେତ ପ୍ରାୟ ୧୭ ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ଫିଫା ବିଶ୍ୱକପ୍‌ର ଗ୍ରୁପ୍ ପର୍ଯ୍ୟାୟର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ମେକ୍ସିକୋ, ଚେକ୍ ଗଣରାଜ୍ୟକୁ ପରାସ୍ତ କରିଥିଲା। ଏହି ରୋମାଞ୍ଚକର ବିଜୟ ପରେ ଦେଶର ବିଭିନ୍ନ ସ୍ଥାନ ଭଳି କାବୋ ସାନ୍ ଲୁକାସ୍‌ରେ ମଧ୍ୟ ପ୍ରଶଂସକମାନେ ରାସ୍ତାକୁ ଓହ୍ଲାଇ ଉତ୍ସବ ମନାଉଥିଲେ। ଏହି ସମୟରେ ହଠାତ ଏକ ଅଘଟଣ ଘଟିଥିଲା।

ଲସ୍ କାବୋସ୍ ସିଟି ହଲ୍ ପକ୍ଷରୁ ଜାରି କରାଯାଇଥିବା ଏକ ସରକାରୀ ବୟାନରେ କୁହାଯାଇଛି ଯେ, କେଉଁ ପରିସ୍ଥିତିରେ ଏବଂ କେଉଁ କାରଣ ପାଇଁ ଗାଡ଼ିଟି ଭିଡ଼ ଭିତରକୁ ପଶିଗଲା, ତାହାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ପ୍ରାଥମିକ ସୂଚନା ଅନୁଯାୟୀ, ଉତ୍ସବ ପାଳନ କରିଥିବା କିଛି ଲୋକ ସେହି କାରଟିକୁ ଚାରିପଟୁ ଘେରି ଯାଇଥିଲେ । ଏହାପରେ କୌଣସି କାରଣ ବଶତଃ ଗାଡ଼ିଟି ହଠାତ୍ ଭିଡ଼ ଭିତରକୁ ମାଡ଼ି ଯାଇଥିଲା। ପୌରପାଳିକା ନାଗରିକ ସୁରକ୍ଷା ନିର୍ଦ୍ଦେଶାଳୟ ଅନୁସାରେ, ଏହି ଘଟଣାରେ ଆହତ ହୋଇଥିବା ୧୭ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।

ଏହି ସମଗ୍ର ଘଟଣାର ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (X) ଏବଂ ମେକ୍ସିକୋର ସ୍ଥାନୀୟ ଗଣମାଧ୍ୟମରେ ପ୍ରସାରିତ ହେବାରେ ଲାଗିଛି। ଏଥିରେ ଦେଖିବାକୁ ମିଳିଛି, କାର୍‌ଟି ଆଗକୁ ବଢ଼ିବା ପୂର୍ବରୁ ଭିଡ଼ରେ ଥିବା କିଛି ଲୋକ କାରଟିକୁ ଅଟକାଇବାକୁ ଚେଷ୍ଟା କରୁଥିଲେ। କିଛି ଲୋକ ଗାଡ଼ିର ବୋନେଟ୍ ଉପରେ ହାତ ପିଟୁଥିବା ବେଳେ ଅନ୍ୟ କେତେକ ଗାଡ଼ି ଉପରକୁ ପାଣି ଫିଙ୍ଗୁଥିବା ଦେଖିବାକୁ ମିଳିଛି। ଏହାପରେ କାର୍ ଚାଳକ ଜଣକ ହଠାତ୍ ଗାଡ଼ିର ବେଗ ବଢ଼ାଇ ସେଠାରୁ ବାହାରିବାକୁ ଚେଷ୍ଟା କରିଥିଲେ, ଫଳରେ ଗାଡ଼ିଟି ସିଧା ଲୋକଙ୍କ ଉପରକୁ ମାଡ଼ି ଯାଇଥିଲା।

କାର୍ ମାଡ଼ିଯିବା ମାତ୍ରେ ଲୋକେ ନିଜ ଜୀବନ ବଞ୍ଚାଇବା ପାଇଁ ଏପଟ ସେପଟ ଦୌଡ଼ିବାକୁ ଲାଗିଥିଲେ ଏବଂ କିଛି ଲୋକ ତଳେ ପଡ଼ିଯାଇଥିଲେ। ଶେଷରେ କାର୍‌ଟି ଏକ ବାରିକେଡ୍ ସହ ପିଟି ହୋଇ ଅଟକି ଯାଇଥିଲା, ପରେ ଉତ୍ୟକ୍ତ ଲୋକେ ଗାଡ଼ି ଆଡ଼କୁ ଦୌଡ଼ି ଯାଇଥିଲେ। ସୁରକ୍ଷା ଏବଂ ପ୍ରଶାସନିକ ଅଧିକାରୀମାନେ ଏହି ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି ଏବଂ ଚାଳକ ଜଣକ ଜାଣିଶୁଣି ଏପରି କରିଛନ୍ତି, ନା ଭିଡ଼ରୁ ରକ୍ଷା ପାଇବାକୁ ଯାଇ ଏହି ଦୁର୍ଘଟଣା ଘଟିଲା, ସେ ନେଇ ତଦନ୍ତ ଚାଲିଛି।