ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଚାଲିଥିବା ତୀବ୍ର ପ୍ରତିବାଦ ଓ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ (DMRC) ଏକ ବଡ଼ ନିଷ୍ପତ୍ତି ନେଇଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ରଖିବା ପାଇଁ ବୁଧବାର ଜୁଲାଇ ୨୨ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କେନ୍ଦ୍ରୀୟ ଦିଲ୍ଲୀର ୧୬ଟି ପ୍ରମୁଖ ମେଟ୍ରୋ ଷ୍ଟେସନକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି।

ପରୀକ୍ଷା ଅନିୟମିତତା ଅଭିଯୋଗକୁ ନେଇ ଜନ୍ତର ମନ୍ତରରେ ପ୍ରତିବାଦ ଚାଲିବା ସହ ସଂସଦ ଭବନ ଆଡ଼କୁ ପଦଯାତ୍ରାର ଡାକରା ଦିଆଯାଇଛି। ଏହାଯୋଗୁଁ କେନ୍ଦ୍ରୀୟ ଦିଲ୍ଲୀରେ ହଜାର ହଜାର ଆନ୍ଦୋଳନକାରୀ ଏକତ୍ରିତ ହୋଇଛନ୍ତି। ଭିଡ଼ ନିୟନ୍ତ୍ରଣ ଏବଂ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ସୁରକ୍ଷା ଏଜେନ୍ସିଗୁଡ଼ିକର ସୁପାରିଶ କ୍ରମେ DMRC ଏହି ପଦକ୍ଷେପ ନେଇଛି।

ବନ୍ଦ ରହିଥିବା ୧୬ଟି ମେଟ୍ରୋ ଷ୍ଟେସନ୍:

1. ରାଜୀବ ଚୌକ

2. ପାଟେଲ ଚୌକ

3. ଲୋକ କଲ୍ୟାଣ ମାର୍ଗ

4. ମଣ୍ଡି ହାଉସ

5. କେନ୍ଦ୍ରୀୟ ସଚିବାଳୟ

6. ଜନପଥ

7. ରାମକୃଷ୍ଣ ଆଶ୍ରମ ମାର୍ଗ

8. ବାରଖମ୍ବା ରୋଡ

9. ସୁପ୍ରିମ କୋର୍ଟ

10. ସେବା ତୀର୍ଥ

11. ଆଇଟିଓ (ITO)

12. ଦିଲ୍ଲୀ ଗେଟ୍

13. ଇନ୍ଦ୍ରପ୍ରସ୍ଥ

14. ଖାନ ମାର୍କେଟ

15. ଜୋର ବାଗ

16. ଶିବାଜୀ ଷ୍ଟାଡିୟମ

DMRC ସୋସିଆଲ ମିଡିଆ ଆକାଉଣ୍ଟ (X) ରେ ସ୍ପଷ୍ଟ କରିଛି ଯେ ଯାତ୍ରୀଙ୍କ ସୁବିଧା ପାଇଁ କିଛି ପ୍ରମୁଖ ଷ୍ଟେସନରେ କେବଳ ଟ୍ରେନ୍ ବଦଳାଇବା (Interchange) ସୁବିଧା ରହିବ।

ଏହି ୧୬ଟି ଷ୍ଟେସନରେ ମେଟ୍ରୋ ଟ୍ରେନ୍ ଅଟକିବ ନାହିଁ। ଫଳରେ ଅଫିସ୍ ଯାଉଥିବା କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ସାଧାରଣ ଯାତ୍ରୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। DMRC ଯାତ୍ରୀମାନଙ୍କୁ ଯାତ୍ରା ଆରମ୍ଭ କରିବା ପୂର୍ବରୁ ବିକଳ୍ପ ରୁଟ୍ ବ୍ୟବହାର କରିବାକୁ ଏବଂ ସମୟ ପୂର୍ବରୁ ବାହାରିବାକୁ ପରାମର୍ଶ ଦେଇଛି। ପରିସ୍ଥିତି ସ୍ୱାଭାବିକ ହେବା ପରେ ସରକାରୀ ବିଜ୍ଞପ୍ତି ଜରିଆରେ ଷ୍ଟେସନଗୁଡ଼ିକୁ ପୁଣି ଖୋଲିବା ନେଇ ସୂଚନା ଦିଆଯିବ।