କଟକ ୧୧।୪: ମେଟ୍ରୋ ରେଳ ପ୍ରକଳ୍ପ ଆମର ଆବଶ୍ୟକତା କିନ୍ତୁ ଏହା ଆମର ପ୍ରାଥମିକତା ନୁହେଁ । ଏଭଳି କହିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ । କଟକ-ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପକୁ ନେଇ ପ୍ରତିକ୍ରିୟା ରଖି ଭର୍ତ୍ତୃହରି କହିଛନ୍ତି, ଗତ ସରକାର ସମୟରେ ଏକୁଟିଆ ରାଜ୍ୟ ସରକାର ମେଟ୍ରୋ ପ୍ରକଳ୍ପ କରିଦେବେ ବୋଲି ଯେଉଁ ଦୃଢୋକ୍ତି ରଖାଯାଉଥିଲା ତାହା ବାସ୍ତବରେ ସମ୍ଭବ ନଥିଲା ।

କୋଲକାତାର ଉଦାହରଣ ଦେଇ ଭର୍ତ୍ତୃହରି କହିଲେ, ଯେଉଁଠି ବି ଏକୁଟିଆ ରାଜ୍ୟ ସରକାର ଏଭଳି ପ୍ରୟାସ କରିଛନ୍ତି, ତାହା ସଫଳ ହୋଇନାହିଁ । ଏହାସହ ଭର୍ତ୍ତୃହରି କହିଛନ୍ତି, ଏଠାରେ କେନ୍ଦ୍ର-ରାଜ୍ୟ ସହଯୋଗରେ ମେଟ୍ରୋ ରେଳ ପ୍ରକଳ୍ପ ହେବ । ମେଟ୍ରୋ ରେଳ ପ୍ରକଳ୍ପ ଆମର ଆବଶ୍ୟକତା କିନ୍ତୁ ଏହା ଆମର ପ୍ରାଥମିକତା ନୁହେଁ ବୋଲି ଭର୍ତ୍ତୃହରି ମତ ଦେଇଛନ୍ତି ।

ମେଟ୍ରୋ  ପ୍ରକଳ୍ପ କରିବା ପାଇଁ କେନ୍ଦ୍ର ସରକାରଙ୍କ ସହିତ  ଆଲୋଚନା କରି ପଦକ୍ଷେପ ନେବା ପାଇଁ ଚିଠି ଲେଖିଥିଲେ ଶାସକ ଦଳର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଅପରାଜିତା ଏହି ଚିଠି ଲେଖିବା ପରେ ବିରୋଧୀ ସରକାରଙ୍କୁ ଘେରିଛନ୍ତି । ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ପରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଢ଼ଙ୍ଗୀ । ମେଟ୍ରୋ ପ୍ରକଳ୍ପର ପୁନର୍ବିଚାର କରିବାକୁ ସେ ଅନୁରୋଧ କରିଥିଲେ । ଯେଉଁଥିରେ ସେ ଦର୍ଶାଇଥିଲେ ସବୁ ପ୍ରକଳ୍ପ ଲାଭପାଇଁ କରାଯାଏ ନାହିଁ l କିଛି ପ୍ରକଳ୍ପ ବୃହତର ଜନସ୍ବାର୍ଥକୁ ନଜରରେ ରଖି କରାଯାଏ l ମୁଖ୍ୟମନ୍ତ୍ରୀ ଆଶ୍ବାସନା ଦେଇଛନ୍ତି ଦରକାର ପଡିଲେ ମୁଁ କେନ୍ଦ୍ର ସହିତ ଆଲୋଚନା କରିବି ବୋଲି କହିଥିଲେ ।

Also Read:- ଆଗାମୀ ଦିନରେ ଶ୍ରୀମନ୍ଦିରରେ କାର୍ଯ୍ୟକାରୀ ହେବ ଅନଲାଇନରେ ଦର୍ଶନ ବ୍ୟବସ୍ଥା, ଆଗୁଆ ସ୍ଲଟ୍ ବୁକିଂ କରିପାରିବେ ଭକ୍ତ

ପୂର୍ବ ସରକାର ସମୟରେ ମେଟ୍ରୋ ପ୍ରକଳ୍ପ ଭିତ୍ତିପ୍ରସ୍ତର ପଡ଼ିଥିବା ବେଳେ କିଛି ବାଟ ମଧ୍ୟ ଆଗେଇ ଯାଇଥିଲା । ଏନେଇ ଦିଲ୍ଲୀ ମେଟ୍ରୋ ସହିତ କଥାବାର୍ତ୍ତା ବି ଆଗେଇଥିଲା । ତେବେ ଅର୍ଥନୈତିକ ଏବଂ ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ଦେଖାଦେଇଥିଲା ଦ୍ବନ୍ଦ୍ବ । ତଳ ଉପର ଦ୍ବନ୍ଦ୍ବ ଭିତରେ ପ୍ରକଳ୍ପ ସ୍ଥଗିତ ରହିଥିଲା । ଏହାରି ଭିତରେ ବର୍ଷାଧିକ ସମୟ ବିତିଲାଣି । ଭୁବନେଶ୍ବର ସ୍ଥିତ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟାଳୟରେ ମେଟ୍ରୋ ପ୍ରକଳ୍ପର ଡିଜାଇନ, ମ୍ୟାପ୍  ଅଫିସ ଭିତରେ ଶୋ’ ହୋଇଛି, କିନ୍ତୁ ଅଫିସରେ ଲୋକ ନାହାନ୍ତି । ଖାଲି ପଡିଛି ଚେୟାର ଟେବୁଲ ।

ଦେଶର ୩୪ଟି ସହରରେ ମେଟ୍ରୋ ପ୍ରକଳ୍ପ ଅଛି । ଏବେ ରାଜସ୍ଥାନ ଜୟପୁର ପାଇଁ କେନ୍ଦ୍ର ମଞ୍ଜୁରୀ ଦେଇଛି । ଏଠି ହେଉଛି ସେଠି ହେଉଛି ଭୁବନେଶ୍ବର ବେଳକୁ କଥା ଘୁଞ୍ଚୁଛି । ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିଜେଡି କହିଛି ମେଟ୍ରୋ ପ୍ରକଳ୍ପକୁ ନେଇ ସରକାର ବିଚଳିତ । ଜଣେ ମନ୍ତ୍ରୀ କହୁଛନ୍ତି ଆବଶ୍ୟକତା ରହିଛି । ଆଉ ଜଣେ ମନା କରୁଛନ୍ତି l କଂଗ୍ରେସ ମଧ୍ୟ ସମାନ ଢଙ୍ଗରେ ପ୍ରଶ୍ନ କରିଛି । ଅନ୍ୟପକ୍ଷରେ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ମେଟ୍ରୋ ପ୍ରକଳ୍ପ ବାତିଲ ହୋଇନି, ଅଫିସ ବି ବନ୍ଦ ହୋଇନି । ରାଜ୍ୟରେ ଏହାର ଆବଶ୍ୟକତା ରହିଛି । ବିରୋଧୀଙ୍କ ରାଜନୀତିକୁ ସମାଲୋଚନା କରିଥିବା ବେଳେ ଆଜି ନହେଲେ କାଲି ହେବ ବୋଲି କହିଛନ୍ତି ।