ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ୟୁଜରନେମ୍ ଫିଚରକୁ ନେଇ ଜାରି ବିବାଦ ଭିତରେ ମେଟା ଏକ ବଡ଼ ପଦକ୍ଷେପ ନେଇଛି । ହ୍ୱାଟ୍ସଆପର ମୂଳ କମ୍ପାନି ମେଟା ଏବଂ ଭାରତ ସରକାରଙ୍କ ମଧ୍ୟରେ ୟୁଜରନେମ୍ ଫିଚର୍ ଉପରେ ଆଲୋଚନା ଚାଲିଛି । ୟୁଜରଙ୍କ ସୁରକ୍ଷାକୁ ନେଇ ସରକାର ହ୍ୱାଟ୍ସଆପକୁ ନୋଟିସ୍ ପଠାଇଛନ୍ତି । ଏହାରି ଭିତରେ ମେଟା ଏବେ ହ୍ୱାଟ୍ସଆପ୍ ୟୁଜରନେମ୍ ଫିଚରକୁ ଭାରତରେ ଲଞ୍ଚ୍ ନ କରିବା ପାଇଁ ନିଷ୍ପତ୍ତି ନେଇଛି ।

ମେଟା ସରକାରଙ୍କୁ ପ୍ରତିଶ୍ରୁତି ଦେଇଛି ଯେ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା ଶେଷ ନହେବା ଏବଂ ସମସ୍ତ ପ୍ରଶ୍ନର ସମ୍ପୂର୍ଣ୍ଣ ଉତ୍ତର ନମିଳିବା ପର୍ଯ୍ୟନ୍ତ ଭାରତରେ ୟୁଜରନେମ୍ ଫିଚର ଲଞ୍ଚ ହେବ ନାହିଁ ।

ଉଲ୍ଲେଖନୀୟ ଯେ ହ୍ୱାଟ୍ସଆପ୍ ୟୁଜରନେମ୍ ଫିଟର ୟୁଜରଙ୍କୁ ସେମାନଙ୍କର ଫୋନ୍ ନମ୍ବର ପ୍ରକାଶ ନକରି ସେମାନଙ୍କର ୟୁଜରନେମ୍ ବ୍ୟବହାର କରି ଅନ୍ୟମାନଙ୍କ ସହିତ ଚାଟ୍ କରିବାକୁ ଅନୁମତି ଦିଏ । ମୋଦୀ ସରକାର ଅଶଂକା ପ୍ରକାଶ କରିଥିଲେ ଯେ ଏହାଦ୍ୱାରା ଠକେଇ ବୃଦ୍ଧି ପାଇପାରେ । ତେଣୁ ଏହି ଫିଚରକୁ ନିଷିଦ୍ଧ କରିବା ପାଇଁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି ।

ଏହି ହ୍ୱାଟ୍ସଆପ୍ ଫିଚର୍ ଟେଲିଗ୍ରାମ୍ ପରି କାମ କରେ । ପୂର୍ବରୁ, ହ୍ୱାଟ୍ସଆପ୍ରେ କାହା ସହିତ ଚାଟ୍ କରିବା ପାଇଁ ସଂପୃକ୍ତ ୟୁଜରଙ୍କ ମୋବାଇଲ୍ ନମ୍ବର ଆବଶ୍ୟକ ହେଉଥିଲା । କିନ୍ତୁ ଏହି ଫିଚରରେ ୟୁଜର କେବଳ ସେମାନଙ୍କର ୟୁଜରନେମ୍ ବ୍ୟବହାର କରି କଥାବାର୍ତ୍ତା ଆରମ୍ଭ କରିପାରିବେ । ଏହାର ସବୁଠୁ ବଡ଼ କଥା ହେଉଛି, ଆପଣଙ୍କ ମୋବାଇଲ୍ ନମ୍ବର ଅନ୍ୟ ବ୍ୟକ୍ତିଙ୍କୁ ଦେଖାଯିବ ନାହିଁ । ଅଧିକାରୀଙ୍କ ମତ, ଯଦି କେହି ଅନ୍ୟ କାହାର ନାଁ ସହିତ ସମାନ ଏକ ୟୁଜରନେମ୍ ତିଆରି କରନ୍ତି କିମ୍ବା ନିଜର ପ୍ରକୃତ ପରିଚୟ ଲୁଚାଇ ଲୋକଙ୍କ ସହିତ ଯୋଗାଯୋଗ କରନ୍ତି, ତେବେ ଅନଲାଇନ୍ ଠକେଇର ନୂଆ ଅସ୍ତ୍ର ପାଲଟିବ ।

ୟୁଜରନେମ୍ ଫିଚର ସମ୍ପର୍କରେ ହ୍ୱାଟସଆପ୍ ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ସହିତ ସମ୍ପୂର୍ଣ୍ଣ ସହଯୋଗ କରୁଛି । ମେଟା କହିଛି ଯେ ଏହା ସରକାରୀ ପ୍ରତିଷ୍ଠାନ, ସେଲିବ୍ରିଟି ଏବଂ ଯାଞ୍ଚ ହୋଇଥିବା ଆକାଉଣ୍ଟଗୁଡ଼ିକର ୟୁଜରନେମ୍ ସୁରକ୍ଷିତ ରଖିପାରିବ । ଏହା ସାଇବର ଅପରାଧୀଙ୍କୁ ନକଲି ଆଇଡି ତିଆରି କରିବାରୁ ରୋକିବ ଏବଂ ୟୁଜରମାନଙ୍କୁ ପ୍ରକୃତ ଏବଂ ଫେକ୍ ଆକାଉଣ୍ଟ ମଧ୍ୟରେ ପାର୍ଥକ୍ୟ କରିବାକୁ ସଂଘର୍ଷ କରିବାକୁ ପଡ଼ିବ ନାହିଁ । କିନ୍ତୁ ବର୍ତ୍ତମାନ ସରକାର, ମେଟାର ଉତ୍ତରରେ ସନ୍ତୁଷ୍ଟ ନାହନ୍ତି ।