ନୂଆଦିଲ୍ଲୀ: ଭାରତ ବିଦେଶ ମନ୍ତ୍ରାଳୟ (ଏମଇଏ) ଗୁରୁବାର କହିଛନ୍ତି ଯେ ଦୁଇ ଦେଶଙ୍କ ହିମାଳୟ ସୀମାବର୍ତ୍ତି ଅଞ୍ଚଳରେ ଭୀଷଣ ବନ୍ୟା ପରେ ନେପାଳରେ ଅନୁନ୍ୟ ୨୮୮ ଜଣ ଭାରତୀୟ ନାଗରିକ ନିଖୋଜ ଅଛନ୍ତି ଓ ବାକି ୨୦୦ ଲୋକେ ଚୀନ୍ ରେ ଫଶି ରହିଛନ୍ତି। ଏମଇଏ କହିଛନ୍ତି ଯେ ନିଖୋଜ ଲୋକଙ୍କ ମଧ୍ୟରେ ପର୍ଯ୍ୟଟକ ଓ ନେପାଳରେ କାମ କରୁଥିବା ଭାରତୀୟ ଅଛନ୍ତି। ଏହା ଛଡା ମନ୍ତ୍ରାଳୟ ଏହା ବି କହିଛନ୍ତି ଯେ ତାମିଲନାଡୁର ୨୧ ଜଣ ଭାରତୀୟ ନାଗରିକଙ୍କୁ ନେପାଳରେ ଉଦ୍ଧାର କରାଯାଇଛି। ଏମାନେ କୈଳାଶ ମାନସରୋବର ଯାତ୍ରାରେ ଯାଇଥିଲେ।

ରଣଧୀର ଜୟସ୍ୱାଲ ଦେଲେ ସମ୍ପୂର୍ଣ୍ଣ ସୂଚନା
ବନ୍ୟାରେ ଗୁରୁତର ପ୍ରଭାବିତ ନେପାଳରେ ଅନେକ ଲୋକେ ଫଶି ରହିଥିବା ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି। ଏଥିରେ ପ୍ରଥମ ଗ୍ରୁପ ଏକ ୭୩ ଜଣିଆ ଦଳ ହୋଇଥିବା ବେଳେ ଏମାନେ ତ୍ରିଶୁଳୀ-୧ ପାୱାର ପ୍ରୋଜେକ୍ଟରେ କାମ କରୁଥିଲେ। ଏହା ଛଡା ତାମିଲନାଡୁ ନାଗରିକଙ୍କ ୨ଟି ଗ୍ରୁପ ରହିଛି। ଗୋଟିକରେ ୩୭ ଜଣ ଓ ଅନ୍ୟଟିରେ ୪୯ ଜଣ ଲୋକ ଅଛନ୍ତି ଯେଉଁମାନେ ସମ୍ରାଟ ଓ ଫ୍ଲାଏ ଏଭରେଷ୍ଟ ଟ୍ରାଭେଲ ମାଧ୍ୟମରେ କୈଳାଶ ମାନସରୋବର ଯାତ୍ରାରେ ଯାଇଥିଲେ। ସେହିପରି ପଶ୍ଚିମବଙ୍ଗର ୩୨ ଜଣିଆ ଗ୍ରୁପ ସମ୍ରାଟ ଟ୍ରାଭେଲସ୍ ସହାୟତାରେ ରସୁଭା ଜିଲ୍ଲାର ତିମୁରେ ଯାଇଥିଲେ।

ଜୟସ୍ୱାଲ କହିଛନ୍ତି ଯେ ଏହା ବାଦେ ଅଲଗା ଅଲଗା ରାଜ୍ୟର ୬୧ ଜଣିଆ ଏକ ଗ୍ରୁପ ଥିବା ବେଳେ କେରଳମର ୩୩ ଜଣିଆ ଗ୍ରୁପ ମଧ୍ୟ ନେପାଳରେ ଫଶିଛି। ଏହି ପାଞ୍ଚଟି ମୁଖ୍ୟ ଗ୍ରୁପରେ ମୋଟ ୨୮୮ ଜଣ ଭାରତୀୟ ଥିବା ବେଳେ ସେମାନଙ୍କ ସହ କୌଣସି ସମ୍ପର୍କ ହୋଇ ପାରୁନାହିଁ। ଏଥିରେ ଜୟସ୍ୱାଲ କହିଛନ୍ତି ଯେ ଆମ ପାଖରେ ମୃତ୍ୟୁ ସଂଖ୍ୟାକୁ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। ତେବେ ସେଠାରେ ପରିସ୍ଥିତି ଲଗାତାର ବଦଳୁଥିବା ଜୟସ୍ୱାଲ କହିଛନ୍ତି।

ଅନ୍ୟପଟେ ନେପାଳୀ ଅଧିକାରୀ କହିଛନ୍ତି ଯେ ଏହି ପ୍ରାକୃତିକ ବିପର୍ଯ୍ୟୟରେ ଅନୁନ୍ୟ ୨୮୯ ଜଣଙ୍କ ମୃତ୍ୟୁ ହୋଇଛି ଓ ୮୨୬ ଜଣ ନିଖୋଜ ଅଛନ୍ତି। ସେହିପରି ତୀବ୍ବତରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୮୮ ଜଣ ନିଖୋଜ ଅଛନ୍ତି। ନେପାଳୀ ଅଧିକାରୀଙ୍କ ସୂଚନା ଅନୁସାରେ ୧୨ରୁ ଅଧିକ ସଂଯୋଗକାରୀ ପୋଲ ଭାସି ଯାଇଥିବା ବେଳେ ୪୦ କିଲୋମିଟର ସଡକ କ୍ଷତିଗ୍ରସ୍ତ ହୋଇଛି। ଏଣୁ ତଲାସ ଅଭିଯାନରେ ବ୍ୟବଧାନ ଆସୁଛି।