ନୂଆଦିଲ୍ଲୀ: ନେପାଳରେ ଗତମାସରେ ଆସିଥିବା ଅଚାନକ ବନ୍ୟା ଅନେକ ଭାରତୀୟଙ୍କୁ ପ୍ରଭାବିତ କରିଛି। ଭାରତୀୟ ପରିବାର ଏବେବି ନିଜ ନିଖୋଜ ପରିଜନଙ୍କ ଖବରକୁ ଅପେକ୍ଷା କରି ରହିଛନ୍ତି। ଦିନ ଯେଉଁ ପରି ଗଡି ଚାଲିଛି ନିଖୋଜ ଲୋକଙ୍କ ସନ୍ଧା ମିଳିବା ନେଇ ଆଶା ମଉଳିବାରେ ଲାଗିଛି। ଭାରତ ବିଦେଶମନ୍ତ୍ରାଳୟ(ଏମଇଏ) କହିଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳରେ ୨୭୫ ଭାରତୀୟ ନାଗରିକ ଏବେବି ନିଖୋଜ ଅଛନ୍ତି।

ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଯେ ନିଖୋଜ ଲୋକଙ୍କ ସୂଚନା ସଂଗ୍ରହ ପାଇଁ ନେପାଳ ସରକାରଙ୍କ ସମେତ ସ୍ଥାନୀୟ ବିଭାଗ ଓ ଏଜେନ୍ସୀଙ୍କ ସହିତ ଭାରତ ସରକାର ଯୋଗାଯୋଗରେ ଅଛନ୍ତି। କେବଳ ଏତିକି ନୁହେଁ ଯେଉଁ ରାଜ୍ୟରୁ ଲୋକେ ନେପାଳ ଯାଇଥିଲେ ସେହି ରାଜ୍ୟ ସରକାରମାନଙ୍କ ସହ ମଧ୍ୟ ନିୟମିତ ସମ୍ପର୍କ ରଖା ଯାଇଛି। ଜୟସ୍ୱାଲ କହିଛନ୍ତି ଯେ ଚୀନ୍ ରାସ୍ତାରେ ନେପାଳକୁ ୧୯୦୭ ଜଣ ଭାରତୀୟ ପ୍ରବେଶ କରିସାରିଛନ୍ତି। ଏଣୁ ଏବେ ଚୀନରେ ଜଣେ ବି ଭାରତୀୟ ନାହାନ୍ତି। ବିପର୍ଯ୍ୟୟ ପ୍ରଭାବିତ କ୍ଷେତ୍ରରୁ ୧୬୬ ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି। ଏମାନେ ସମସ୍ତେ ସୁରକ୍ଷିତ ନିଜ ଘରକୁ ଫେରିସାରିଲେଣି।

ଅନ୍ୟପଟେ ନେପାଳ ସରକାରଙ୍କ ଏଜେନ୍ସୀ ଏନଡିଆରଆରଏମଏ ର ତାଜା ତଥ୍ୟ ଅନୁସାରେ ଏପର୍ଯ୍ୟନ୍ତ ୧୨୮୭ ଲୋକଙ୍କ ମୃତ୍ୟୁ ପୁଷ୍ଟି ହୋଇ ସାରିଛି। ପାଖାପାଖି ୫୦୮୩ ଜଣ ଲୋକ ଏବେବି ନିଖୋଜ ଅଛନ୍ତି। ଏମାନଙ୍କ ମଧ୍ୟରେ ୫୮୩ ଜଣ ବିଦେଶୀ ନାଗରିକ ଥିବା ଜଣାପଡିଛି। ଏଜେନ୍ସୀ ଏହା ବି କହିଛି ଯେ ସବୁଠୁ ଅଧିକ ଶବ ଚିତବନ, ନଭଲପରାସୀ, ନୁଭାକୋଟ ଓ ରସୁଭା ଜିଲ୍ଲାରୁ ମିଳିଛି। ଉଦ୍ଧାର ଅଭିଯାନ ଜାରି ରହିଛି ଓ ଏପର୍ଯ୍ୟନ୍ତ ହଜାର ହଜାର ଲୋକଙ୍କୁ ସୁରକ୍ଷିତ ବାହାର କରାଯାଇଛି।