ଅମରାବତୀ: ପ୍ରତିରକ୍ଷା ମନ୍ତ୍ରାଳୟ ଅନ୍ତର୍ଗତ ନବରତ୍ନ ରକ୍ଷା ସାର୍ବଜନିକ କ୍ଷେତ୍ର କମ୍ପାନୀ ମଝଗାଓଁ ଡକ୍ ଶିପ ବିଲ୍ଡର୍ସ ଲିମିଟେଡ (ଏମଡିଏଲ) ଆନ୍ଧ୍ରପ୍ରଦେଶରେ ଏକ ଅତ୍ୟାଧୁନିକ ଗ୍ରିନଫିଲ୍ଡ ଶିପୟାର୍ଡ ବିକଶିତ କରିବ। ଆନ୍ଧ୍ରପ୍ରଦେଶର ଦୁଗରାଜପଟ୍ଟନମରେ ନିର୍ମିତ ହେବାକୁ ଥିବା ଶିପୟାର୍ଡ ନିମନ୍ତେ ୧୫,୦୦୦ କୋଟି ଟଙ୍କା ବ୍ୟୟ ହେବ। ଏ ନେଇ ଏମଡିଏଲ ଅଧ୍ୟକ୍ଷ ତଥା ପ୍ରବନ୍ଧ ନିର୍ଦ୍ଦେଶକ କ୍ୟାପ୍ଟେନ ଜଗମୋହନ (ଅବସରପ୍ରାପ୍ତ) ଓ ନ୍ୟାସନାଲ ଶିପ୍ ବିଲ୍ଡିଂ ଆଣ୍ଡ ହେଭି ଇଣ୍ଡଷ୍ଟ୍ରିଜ୍ ପାର୍କ ଆନ୍ଧ୍ରପ୍ରଦେଶର ପରିଚାଳନା ନିର୍ଦ୍ଦେଶକ ପ୍ରବୀଣ କୁମାରଙ୍କ ମଧ୍ୟରେ ଶୁକ୍ରବାର ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି।

ଏହି ଏମଓୟୁ ସ୍ୱାକ୍ଷର କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାୟଡୁ ମଧ୍ୟ ଉପସ୍ଥିତ ଥିଲେ। ଆନ୍ଧ୍ରପ୍ରଦେଶ ସରକାର ଦୁଗରାଜପଟ୍ଟନମରେ ଏକ ଗ୍ରୀନଫିଲ୍ଡ ଶିପ ବିଲ୍ଡିଂ-କମ୍-ପୋର୍ଟ କ୍ଲଷ୍ଟର ବିକଶିତ କରିବା ଯୋଜନାରେ କାମ କରୁଛନ୍ତି। ଟେକ୍ନୋ-ଇକୋନମିକ ଫିଜିବିଲିଟି ରିପୋର୍ଟ ଅନୁସାରେ ଶିପ୍ ବିଲ୍ଡିଂ ଓ ରିପେୟାର ୟାର୍ଡ ନିମନ୍ତେ ଅନୁମାନିକ ବ୍ୟୟ ୨୯,୨୫୪ କୋଟି ଓ ବନ୍ଦର ନିର୍ମାଣ ବାବଦ ବ୍ୟୟ ୯,୫୧୩ କୋଟି ଟଙ୍କା ବ୍ୟୟ ହେବ। ପ୍ରସ୍ତାବିତ ବନ୍ଦରର ବିକାଶ କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯିବ।

ଏମଓୟୁ ଅନୁସାରେ ଏମଡିଏଲ ଆଗାମୀ ୫ ବର୍ଷରେ ଆବଶ୍ୟକ ଅନୁମତି ଓ ମଞ୍ଜୁରୀ ବାବଦେ ୧୫,୦୦୦ କୋଟି ଟଙ୍କା ନିବେଶ କରିବ। ଏହି ପ୍ରକଳ୍ପ ଯୋଗୁ ଆନ୍ଧ୍ରପ୍ରଦେଶରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପାଖାପାଖି ୪୫,୦୦୦ ନିଯୁକ୍ତି ସୃଜନ ହେବ ବୋଲି ଏକ ଆକଳନ କରାଯାଇଛି। ପ୍ରସ୍ତାବିତ ଶିପୟାର୍ଡର ବାର୍ଷିକ ଡିଜାଇନ କ୍ଷମତା ୧୨ଲକ୍ଷ ଗ୍ରସ ଟନେଜ ରହିବ,ଯାହାକୁ ଭବିଷ୍ୟତରେ ବଜାରର ଆବଶ୍ୟକତା ଅନୁସାରେ ଆହୁରି ସମ୍ପ୍ରସାରଣ କରାଯାଇ ପାରିବ। ଏଠାରେ ଟ୍ୟାଙ୍କର, ବଲ୍କ କ୍ୟାରିୟର, କଣ୍ଟୈନର ଜାହାଜ, ଏଲଏନଜି କ୍ୟାରିୟର ଓ ଅନ୍ୟ ବଡ଼ ବିଶେଷ ଜାହାଜର ନିର୍ମାଣ ହେବ।