ମୋରଡ଼ା ୨୭।୧୧ : ମୃତ୍ୟୁ ବି ଏମିତି ଆସେ । ହସଖୁସିର ସଂସାରରେ ଛାଇଗଲା ଲୁହ । ଆଖିପିଛୁଲାକେ ଚାଲିଗଲା ୩ ଜୀବନ । ଦୁଇ ସାନ ଭାଇଙ୍କ ମୃତ୍ୟୁ ଖବର ପାଇ ଟଳିପଡିଲେ ବଡ଼ ଭଉଣୀ ।  ଅଚେତ ହୋଇ ତଳେ ପଡିଗଲେ , ଆଉ ଫେରିଲାନି ଚେତା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ନଳଗଜା ପଞ୍ଚାୟତର ନୁଣଚାଟି ଗାଁରେ।

ଖବର ଅନୁଯାୟୀ, ମୃତ ମହିଳା ହେଉଛନ୍ତି ଶ୍ରଦ୍ଧାଞ୍ଜଳି ସେନାପତି । ତାଙ୍କ ବୟସ-୩୨ ବର୍ଷ । ଗତକାଲି ମହିଳାଙ୍କର ଦୁଇ ମାଉସୀ ପୁଅ ଭାଇଙ୍କର ଜଳେଶ୍ବର ନିକଟସ୍ଥ ମାଟିପୁରା ଠାରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଏହି ଖବର ପାଇ ଶ୍ରଦ୍ଧାଞ୍ଜଳି କାନ୍ଦି ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ। ପରିବାର ଲୋକେ ତାଙ୍କୁ ରାସଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

Also Read:-ଜଘନ୍ୟ, ନୃଶଂସ : ସ୍ତ୍ରୀକୁ ପଥରରେ ଛେଚି ମାରିଦେଲା ସ୍ୱାମୀ

ସେପଟେ କେଇଁ ଘଣ୍ଟାରେ ପରିବାରରେ ତିନି ଜଣଙ୍କ ମୃତ୍ୟୁ ଖବର ଶୁଣି ପୁରା ପରିବାର ଭାଙ୍ଗିପଡିଛନ୍ତି । ଗୋଟିଏ ଦୁର୍ଘଟଣାରେ ଦୁଇ ଭାଇଙ୍କ ମୃତ୍ୟୁ ଏବଂ ସେହି ଖବର ଶୁଣି ବଡ଼ ଭଉଣୀଙ୍କ ଅକାଳ ବିୟୋଗକୁ ନେଇ ପୂରା ପରିବାର ଭାଙ୍ଗି ପଡ଼ିଛି। ଏହି ଘଟଣା ନୁଣଚାଟି ଗାଁ ସମେତ ଆଖପାଖ ଅଞ୍ଚଳରେ ଗଭୀର ଶୋକର ବାତାବରଣ ସୃଷ୍ଟି କରିଛି।