ହରାରେ: ଜିମ୍ବାୱେ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଦଳର ବିଶାଳ ବିଜୟ ପରେ ମାତ୍ର ୧୫ ବର୍ଷୀୟ ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା। ମାତ୍ର ୧୯ ବଲରେ ୫୦ ରନର ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଖେଳି ସମସ୍ତଙ୍କୁ ଚକିତ କରିଥିବା ଏହି ଯୁବ ବ୍ୟାଟରଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ଅଧିନାୟକ ଶ୍ରେୟସ ଆୟର। ବୈଭବ ସମ୍ପୂର୍ଣ୍ଣ ନିର୍ଭୀକ ଏବଂ ତାଙ୍କ ପାଖରେ ଜବରଦସ୍ତ ଆକ୍ରମଣାତ୍ମକ କ୍ରିକେଟ୍ ଖେଳିବାର କ୍ଷମତା ରହିଛି, ବୋଲି ମ୍ୟାଚ୍ ଶେଷରେ ପ୍ରତିକ୍ରିୟା ଦେଇ କହିଛନ୍ତି ଆୟର।

୧୯ ବଲରେ ନୂଆ ରେକର୍ଡ, ସ୍ତବ୍ଧ ହେଲା ଜିମ୍ବାୱେ

୧୨୬ ରନର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆର ଆରମ୍ଭ ଭଲ ନଥିଲା। ଅଭିଷେକ ଶର୍ମା ଶୀଘ୍ର ଆଉଟ୍ ହୋଇଥିବା ଏହା ପରେ ଜିମ୍ବାୱେ ବୋଲରଙ୍କୁ କୌଣସି ସୁଯୋଗ ଦେଇ ନ ଥିଲେ ବୈଭବ ସୂର୍ଯ୍ୟବଂଶୀ।   ସେ ବିସ୍ଫୋରକ ବ୍ୟାଟିଂ କରି ଜିମ୍ବାଓ୍ଵେ ବୋଲରଙ୍କ ନିଦ ହଜାଇଥିଲେ।ସେ  ଆକ୍ରମଣାତ୍ମକ ବ୍ୟାଟିଂ ବଳରେ ମାତ୍ର ୧୯ଟି ବଲରୁ ୪ଟି ଚୌକା ଓ ୪ଟି ଛକା ସହାୟତାରେ ୫୦ ରନର ଏକ ରେକର୍ଡ ଇନିଂସ ଖେଳିଥିଲେ। ଫଳରେ ଭାରତ ୧୩.୨ ଓଭରରେ ମ୍ୟାଚକୁ ସହଜରେ ଜିତି ନେଇଛି।

ବୈଭବଙ୍କ ଏହି ଐତିହାସିକ ଇନିଂସକୁ ନେଇ ଅଧିନାୟକ ଶ୍ରେୟସ ଆୟର କହିଛନ୍ତି, ଏତେ କମ୍ ବୟସରେ ଏପରି ନିର୍ଭୀକ କ୍ରିକେଟ୍ ଖେଳିବା ଆଦୌ ସହଜ ନୁହେଁ। ମଇଦାନକୁ ଓହ୍ଲାଇବା କ୍ଷଣି ସେ ବିରୋଧୀ ବୋଲରଙ୍କ ଉପରେ ଯେଉଁଭଳି ଭାବେ ଚାପ ସୃଷ୍ଟି କଲେ, ତାହା ପ୍ରଶଂସନୀୟ। ତାଙ୍କ ଭିତରେ ଥିବା ଆତ୍ମବିଶ୍ୱାସ ଓ ମ୍ୟାଚ୍‌କୁ ନିଜ ଆଡ଼କୁ ନେବାର କ୍ଷମତା ସତରେ ଅସାଧାରଣ। ଟିମରେ ଏପରି ଯୁବ ପ୍ରତିଭା ରହିବା ଦଳ ପାଇଁ ଏକ ବଡ଼ ସକାରାତ୍ମକ ଦିଗ। ​​​​​​​