କଟକ ୦୨/୦୪: ମାଟ୍ରିକ ରେଜଲ୍ଟକୁ ନେଇ ବଡ ଅପ୍‌ଡେଟ୍‌ ।ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଆଜି ସରିବ ମାଟ୍ରିକ ଖାତା ଦେଖା ।  ନିର୍ଭୁଲ ଓ ବିନା ଦ୍ବନ୍ଦରେ ଜାରି ରହିଛି ଖାତା ଦେଖା। ବର୍ତ୍ତମାନ ସୁଦ୍ଧା ୪ ଜିଲ୍ଲାରେ ଖାତା ଦେଖା ସରିଲାଣି ।ମେ ମାସ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ଆସିବ ମାଟ୍ରିକ ରେଜଲ୍ଟ । ରେଜଲ୍ଟ ବାହାରିବା ପରେ ସଙ୍ଗେ ସଙ୍ଗେ ମିଳିବ ସାର୍ଟିଫିକେଟ୍‌ । ପେପର ଖରାପ ହେଲେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ । ଏହି ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ।

ଫେବ୍ରୁଆରୀ ୧୯ରୁ  ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ମାର୍ଚ୍ଚ ୨ ଯାଏ ଚାଲିଥିଲା । ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷା ମଧ୍ୟ ସେହି ସମୟ ମଧ୍ୟରେ ହୋଇଥିଲା । ପରୀକ୍ଷାକୁ ଶୃଙ୍ଖଳିତ ଭାବରେ ସାରିବା ଓ କପି ମୁକ୍ତ କରିବା ବଡ ଆହ୍ବାନ ଥିଲା ।  ସେଥିପାଇଁ  ସ୍ପେଶାଲ ସ୍କ୍ବାଡ୍‌ ଗଠନ କରିଥିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ପରୀକ୍ଷା କେନ୍ଦ୍ର ଗୁଡିକୁ ସ୍କ୍ବାଡ୍‌ ସରପ୍ରାଇଜ ଭିଜିଟ କରିଥିଲେ । ନୋଡାଲ ସେଣ୍ଟର ସହ ପରୀକ୍ଷା କେନ୍ଦ୍ର ଗୁଡିକ ସିସିଟିଭି ସର୍ଭେଲାନ୍ସରେ ରହିଥିଲା।କଣ୍ଟ୍ରୋଲ ରୁମ୍‌ରୁ ସ୍ବତନ୍ତ୍ର ଭାବରେ ମନିଟରିଂ କରାଯାଇଥିଲା । ୧୩୬୪ କେନ୍ଦ୍ରରୁ ଲାଇଭ ଷ୍ଟ୍ରିମିଂ ବ୍ୟବସ୍ଥା କରାଯାଇଥିଲା । ସେହିପରି  ମାଓ ଅଧ୍ୟଷିତ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଥିଲା ।

Also read:Digital Census: ଘରେ ବସି କର ଜନଗଣନା, ଅପିଲ କରୁଛନ୍ତି ସରକାର

ବୋର୍ଡ ପରୀକ୍ଷା ସରିବା ପରେ ମାର୍ଚ୍ଚ ୧୯ରୁ ଆରମ୍ଭ ହୋଇଥିଲା ଖାତାଦେଖା । ଏଥିପାଇଁ ମୋଟ୍‌ ୫୧ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଥିଲା । ୧୫ ହଜାର ନୀରିକ୍ଷକଙ୍କୁ ନିୟୋଜିତ କରାଯାଇଥିଲା  । ଖାତା ଦେଖା କେନ୍ଦ୍ରରେ ସିସିଟିଭି କ୍ୟାମେରା ବ୍ୟବସ୍ଥା ସହ ନୀରିକ୍ଷକ ମାନଙ୍କୁ ମୋବାଇଲ ବାରଣ କରାଯାଇଥିଲା । ଚଳିତ ବର୍ଷ ସୁରୁଖୁରୁରେ ପରୀକ୍ଷା ହୋଇଥିବାବେଳେ ମୂଲ୍ୟାୟନ ପ୍ରକ୍ରିୟା ତ୍ରୁଟିଶୂନ୍ୟ କରିବାକୁ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା ।

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇନାହାନ୍ତି ୯ହଜାର ୯୩୦ ଛାତ୍ରଛାତ୍ରୀ । ୫ ଲକ୍ଷ ୪୬ ହଜାର ୮୭୬ ଜଣ ପିଲା ଫର୍ମ ଫିଲ୍‌ଅପ୍‌ କରିଥିଲେ କିନ୍ତୁ ପରୀକ୍ଷା ଦେଇଛନ୍ତି ୫ ଲକ୍ଷ ୩୬ହଜାର ୯୪୬ ଛାତ୍ରଛାତ୍ରୀ । ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ହାର ୧ଦଶମିକ ୮୧ ପ୍ରତିଶତ ରହିଛି । ଏନେଇ ଗୃହରେ ତଥ୍ୟ ରଖିଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।