ଭୁବନେଶ୍ୱର: ରାଜ୍ୟରେ ଜନଗଣନା ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା । ଜାରି ରହିଥିବା ଜନ ଗଣନାକୁ ନେଇ ବଡ଼ ଅପଡେଟ ସାମ୍ନାକୁ ଆସିଛି । ପ୍ରଥମ ଦିନରେ ୧୭ ହଜାର ଲୋକ କରିଛନ୍ତି ନଜିର ଜନ ଗଣନା । ଆତ୍ମ ଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ କରିଛନ୍ତି ମୁଖ୍ୟ ଶାସନ ସଚିବ । ଡିଜିଟାଲ ପ୍ରକ୍ରିୟାରେ ଜନ ଗଣନା କରିଥିବା ନେଇ ସୂଚନା ଦେଇଛନ୍ତି ଜନ ଗଣନା ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ ।

ସେପଟେ କେମିତି ଚାଲିଛି ଜନଗଣନା ବୈଠକ ଡାକି ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ । ଜନଗଣନା ସମନ୍ୱୟ କମିଟିର ଦ୍ଵିତୀୟ ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ବିଭିନ୍ନ ବିଭାଗର ସଚିବ ଓ ଉନ୍ନୟନ କମିଶନରଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ହୋଇଥିଲେ ସାମିଲ । ଆତ୍ମ ଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ କରିଛନ୍ତି ଉଭୟ ମୁଖ୍ୟ ଶାସନ ସଚିବ ଓ ଜନ ଗଣନା ନିର୍ଦ୍ଦେଶକ । ​​​​​​​

କେବେ ହୋଇଥିଲା ଜନଗଣନା?

୨୦୧୧ ମସିହାରେ ଶେଷ ଥର ପାଇଁ ହୋଇଥିଲା ଜନଗଣନା । ଏହାର ୧୫ ବର୍ଷ ପରେ ପୁଣି ଆରମ୍ଭ ହୋଇଛି ଦେଶର ନାଗରିକଙ୍କ ସଂଖ୍ୟା ଗଣନା ପ୍ରକ୍ରିୟା । କେବଳ ନାଗରିକଙ୍କ ସଂଖ୍ୟା ନୁହେଁ, ସେମାନଙ୍କ ସମ୍ପର୍କିତ ୩୩ଟି ତଥ୍ୟ ମଧ୍ୟ ସଂଗ୍ରହ କରାଯିବ । ଦୀର୍ଘ ୧୫ ବର୍ଷ ପରେ ସାରା ଦେଶରେ ଆଜି ଠାରୁ ଜନଗଣନା ଆରମ୍ଭ ହୋଇଥିବା ବେଳେ, ଓଡ଼ିଶାରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ପ୍ରକ୍ରିୟା । ରାଜ୍ୟର ପ୍ରଥମ ନାଗରିକ ଭାବେ ସ୍ୱଗଣନା କରାଇଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପାଟି ।

କିଏ କିଏ ଦେଇଛନ୍ତି ତଥ୍ୟ?

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ ଏବଂ କଟକ ମହାନଗର ନିଗମ ମେୟର ସୁବାସ ସିଂ ପ୍ରମୁଖ ମଧ୍ୟ ଏହି ପ୍ରକ୍ରିୟାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଜନଗଣନା ପାଇଁ ନାଗରିକଙ୍କୁ ଦେବାକୁ ପଡ଼ିବ ୩୩ଟି ପ୍ରଶ୍ନ । ଘର, ପରିବାର, ପରିବାରର ମୁଖ୍ୟ, ଗାଡ଼ି, ଜମିବାଡ଼ି, ଏଲ୍ପିଜି, ଇଣ୍ଟରନେଟ୍ ସୁବିଧା, ମୋବାଇଲ୍ ଫୋନ୍ ଆଦି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି ।

ୱେବ୍‌ସାଇଟ୍‌ରେ ତଥ୍ୟ:

ଜାତିଗତ ତଥ୍ୟକୁ ମଧ୍ୟ ଜନଗଣନାରେ ସାମିଲ କରାଯାଇଛି । ପ୍ରଥମ ଥର ପାଇଁ ଅନଲାଇନରେ ସ୍ୱଗଣନା କରିପାରିବେ ସାଧାରଣ ଜନତା । ଏପ୍ରିଲ ୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ଲୋକମାନେ ନିଜ ନିଜର ତଥ୍ୟ ଜନଗଣନା ୱେବ୍ସାଇଟ୍se.census.gov.inକୁ ଯାଇ ଦେଇପାରିବେ । ଏପ୍ରିଲ ୧୬ରୁ ମେ ୧୫ ଯାଏଁ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରାଯିବ ।

Also Read...ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀ, ବାଇପାସ ନିର୍ମାଣ ପାଇଁ କଲେ ଅନୁରୋଧ

ଡୋର୍ ଟୁ ଡୋର୍ ଜନଗଣନା

ଡିଜିଟାଲ୍ ଆପ୍ ମାଧ୍ୟମରେ ହେବ ଡୋର୍ ଟୁ ଡୋର୍ ଜନଗଣନା । ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ଜନଗଣନାକାରୀ ଭାବେ ସାମିଲ ହୋଇଛନ୍ତି ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ସୁପରଭାଇଜର । ଘରକୁ ଘର ବୁଲି ସେମାନେ କିଭଳି ନିର୍ଭୁଲ ଭାବେ ତଥ୍ୟ ସଂଗ୍ରହ କରିପାରିବେ ଏବଂ ତାକୁ ଦାଖଲ କରିପାରିବେ ସେଥିପାଇଁ ସେମାନଙ୍କୁ ତାଲିମ ଦିଆଯାଉଛି ।