ନୂଆଦିଲ୍ଲୀ: ନୋଏଡାରେ ଶ୍ରମିକଙ୍କ ହିଂସା ମାମଲାରେ ଉତ୍ତର ପ୍ରଦେଶ ଏସଟିଏଫକୁ ବଡ଼ ସଫଳତା। ହିଂସାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଆଦିତ୍ୟ ଆନନ୍ଦକୁ ଧରିଛି ପୋଲିସ। ପୋଲିସ ତାକୁ ତାମିଲନାଡୁରୁ ଗିରଫ କରିଛି। ଏହା ପୂର୍ବରୁ ପୋଲିସ କହିଥିଲା ଯେ, ନୋଏଡାରେ ଶ୍ରମିକଙ୍କ ଆନ୍ଦୋଳନ ସମୟରେ ହୋଇଥିବା ହିଂସାର ଯାଞ୍ଚରେ ଅନେକ ଖୁଲାସା ହୋଇଛି। ଜଣାପଡ଼ିଛି ହିଂସା ପାଇଁ ୮୦ରୁ ଅଧିକ ହ୍ବାଟ୍ସଆପ୍ ଗ୍ରୁପ ତିଆରି କରାଯାଇଥିଲା। ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର।

ଅଧିକାରୀଙ୍କ ସୂଚନା ଅନୁସାରେ, ଯାଞ୍ଚରେ ଜଣାପଡ଼ିଛି ହିଂସାକୁ ଉସ୍କେଇବା ପାଇଁ ଆନ୍ଦୋଳନର ତିନି ଦିନରୁ ପୂର୍ବରୁ ପ୍ରସ୍ତୁତି କରିଥିଲେ। ସୋସିଆଲ ମିଡିଆ ସହ ଇଣ୍ଡଷ୍ଟ୍ରିଆଲ ବା କାରଖାନା ଅଞ୍ଚଳରେ କିଛି ଲୋକ ଉସ୍କେଇବା ପାଇଁ ଅଭିଯାନ ଚଳାଇଥିଲେ। ଏହା ପଛରେ ତିନି ସଂଗଠନର ନାଁ ସାମ୍ନାକୁ ଆସିଛି। ଯେଉଁଥିରେ ‘ମଜଦୁର ବିଗୁଲ ଦସ୍ତା’ ମୁଖ୍ୟ। ପୋଲିସ ଏହି ସଂଗଠନର ମୁଖ୍ୟ ରୁପେଶ ରାୟକୁ ଗିରଫ କରିବା ସହ ଶ୍ରମିକଙ୍କୁ ଉସ୍କେଇଥିବା ୧୮ ଜଣକୁ ଗିରଫ କରିଛି।

Also Read: ଦରମା ପାଇଁ ଶ୍ରମିକଙ୍କ ଲଙ୍କାକାଣ୍ଡ, ଗାଡ଼ିରେ ଲଗାଇଲେ ନିଆଁ, ଡିଏନଡି ଫ୍ଲାଏୱେରେ ଭୟଙ୍କର ଟ୍ରାଫିକ୍ ଜାମ୍

୮୦ରୁ ଅଧିକ ହ୍ବାଟ୍ସଆପ୍ ଗ୍ରୁପରେ ହିଂସା ଉସ୍କେଇବା ଭଳି ମେସେଜ

ଡିସିପି ଶୈବ୍ୟ ଗୋୟଲ କହିଛନ୍ତି ଶ୍ରମିକଙ୍କ ବିକ୍ଷୋଭ ପୂର୍ବରୁ ତିନି ଦିନ ଭିତରେ ୮୦ରୁ ଅଧିକ ହ୍ବାଟ୍ସଆପ୍ ଗ୍ରୁପ ତିଆରି କରାଯାଇଥିଲା। ଯେଉଁଥରୁ ପ୍ରାୟ ୫୦ ଗ୍ରୁପର ସୂଚନା ପୋଲିସକୁ ମିଳିଛି। ସେ କହିଛନ୍ତି, ଏଥିରୁ ୧୭ ଗ୍ରୁପ୍ର ଯାଞ୍ଚ କରାଯାଇଛି। ଆଉ ଏଥିରେ ହିଂସା ଉସ୍କେଇବା ଭଳି ମେସେଜ ଦିଆଯାଇଥିଲା।

ଗୋୟଲ କହିଛନ୍ତି, ଏହି ଗ୍ରୁପରେ ଶ୍ରମିକଙ୍କ ପ୍ରକୃତ ଦାବି ଯେପରିକି ଦରମା ବୃଦ୍ଧି କିମ୍ବା କାର୍ଯ୍ୟସ୍ଥିତିରେ ଉନ୍ନତି ବିଷୟରେ କୌଣସି ଚର୍ଚ୍ଚା ହୋଇନଥିଲା ବରଂ କର୍ମଚାରୀଙ୍କୁ ଉସ୍କେଇବା, ଭିଡ଼କୁ ଏକାଠି କରିବା ଏବଂ କାରଖାନାରେ ଭଙ୍ଗାରୁଜା କରିବା ଭଳି କଥା ଲେଖାଯାଇଥଲା। ପୋଲିସ କହିଛି ଏହି ସବୁ ସୁଚିନ୍ତିତ ଉପାୟରେ କରାଯାଉଥିଲା ଏବଂ ଯାଞ୍ଚ ପରେ ‘ମଜଦୁର ବିଗୁଲ ଦସ୍ତା’ ସଂଗଠନ ସହ ଜଡ଼ିତ ରୁପେଶ ରାୟ ସମେତ ୧୮ ଜଣକୁ ଗିରଫ କରାଯାଇଛି। ଆହୁରି ମଧ୍ୟ ୫୦ରୁ ଅଧିକ‘ ଏକ୍ସ’ ଆକାଉଣ୍ଟର ସୂଚନା ମିଳିଛି। ଯାହା ହିଂସାର ଦିନେ ଦୁଇ ଦିନ ପୂର୍ବରୁ ତିଆରି କରାଯାଇଥିଲା। ପୋଲିସ କହିଛି ଏସବୁକୁ ବନ୍ଦ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି।