ନୂଆଦିଲ୍ଲୀ: ବିଶ୍ବର ଅନେକ ପ୍ରତିଷ୍ଠିତ କମ୍ପାନି ଏବେ ଏଆଇ ଉପରେ ବଡ଼ ନିବେଶ କରୁଛନ୍ତି। ଯେଉଁଥିରେ ମେଟା ବି ପଛରେ ପଡ଼ିନାହିଁ। କମ୍ପାନି ଏଆଇରେ ବଡ଼ ନିବେଶ କରୁଛି। ହେଲେ ଏହି ନିବେଶ କିନ୍ତୁ ଅନେକଙ୍କ ଚାକିରି ନେଇଛି। କାରଣ ନିବେଶରେ ଆବଶ୍ୟକ ପଡ଼ୁଥିବା ପାଣ୍ଠି ପାଇଁ କର୍ମଚାରୀଙ୍କ ଛଟେଇ କରୁଛି କମ୍ପାନି। ହେଲେ ସେପଟେ ମେଟା ସିଇଓ କହିଛନ୍ତି ଏଆଇ ଦ୍ବାରା ନୂତନ ଚାକିରି ସୃଷ୍ଟି ହେଉଛି। ଏମିତିରେ ଗୋଟିଏ ପଟେ ଏଆଇ ପାଇଁ କର୍ମଚାରୀଙ୍କ ଛଟେଇ କରିବା ଏବଂ ଅନ୍ୟପଟେ ଏହା ଯୋଗୁ ନୂଆ ଚାକିରି ମିଳିବା କଥା କହିବାକୁ ଅନେକ ନାପସନ୍ଦ କରିଛନ୍ତି। ଆଉ ମେଟା ମୁଖ୍ୟଙ୍କ ଏହି ବୟାନକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ଓ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ମେଟା କମ୍ପାନି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କୁ ଅଧିକ ଗୁରୁତ୍ୱ ଦେବା ପାଇଁ ପ୍ରାୟ ୮,୦୦୦ କର୍ମଚାରୀଙ୍କୁ (ମୋଟ କର୍ମଚାରୀଙ୍କ ୧୦ ପ୍ରତିଶତ) ଚାକିରିରୁ ବାହାର କରିଦେଇଛି। ଏହାସହ ପ୍ରାୟ ୭,୦୦୦ କର୍ମଚାରୀଙ୍କୁ ଅନ୍ୟ ବିଭାଗରୁ ହଟାଇ AI ପ୍ରୋଜେକ୍ଟରେ ନିୟୋଜିତ କରାଯାଇଛି। ଚଳିତ ୨୦୨୬ ବର୍ଷରେ କମ୍ପାନି AI ଭିତ୍ତିଭୂମି ପାଇଁ ପ୍ରାୟ ୧୩୦ ବିଲିୟନରୁ ୧୪୫ ବିଲିୟନ ଡଲାର (ଭାରତୀୟ ମୁଦ୍ରାରେ ଲକ୍ଷ ଲକ୍ଷ କୋଟି ଟଙ୍କା) ଖର୍ଚ୍ଚ କରିବାକୁ ଯାଉଛି, ଯାହା ଗତବର୍ଷ ତୁଳନାରେ ଦୁଇଗୁଣ ଅଟେ।

ଜୁକରବର୍ଗଙ୍କ ଦାବି: AI ଯୋଗୁ କର୍ମସଂସ୍ଥାନ ବଢିଛି

ଏଭଳି ବଡ଼ ଧରଣର ଛଟେଇ ପରେ ବି ଜୁକରବର୍ଗ ଏକ ସାକ୍ଷାତକାରରେ କହିଛନ୍ତି ଯେ, AI କାରଣରୁ ଚାକିରି ହରାଇବା ନେଇ ଲୋକଙ୍କ ମନରେ ଥିବା ଭୟ ଭୁଲ୍ ପ୍ରମାଣିତ ହୋଇଛି। AI ପାଇଁ ବଡ଼ ବଡ଼ ଡାଟା ସେଣ୍ଟର ଓ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ପଡୁଥିବାରୁ ଏହା ବହୁ ସଂଖ୍ୟାରେ ନୂତନ ନିଯୁକ୍ତି ସୃଷ୍ଟି କରୁଛି। ମେଟା ବର୍ତ୍ତମାନ ବିଶ୍ୱବ୍ୟାପୀ ୩୨ଟି ଡାଟା ସେଣ୍ଟର ଚଲାଉଛି, ଯେଉଁଥିପାଇଁ ହଜାର ହଜାର ଇଲେକ୍ଟ୍ରିସିଆନ୍, କନଷ୍ଟ୍ରକ୍ସନ କ୍ରୁ ଏବଂ କୁଲିଂ ଇଞ୍ଜିନିୟରଙ୍କ ଆବଶ୍ୟକତା ପଡୁଛି।

Also Read: ଜୁନ୍‌ରେ ଓଡ଼ିଶାରେ ସର୍ବାଧିକ ନୂଆ ମୋବାଇଲ୍ ଗ୍ରାହକ ଯୋଡିଛି ରିଲାଏନ୍ସ ଜିଓ: TRAI

କମ୍ପାନି ଭିତରେ ଅସନ୍ତୋଷ

ତେବେ ଜୁକରବର୍ଗଙ୍କ ଏହି ଯୁକ୍ତି ସାଧାରଣ ଲୋକଙ୍କ ପାଇଁ ଯେତେ ଆକର୍ଷଣୀୟ ହେଲେ ବି, ମେଟା କମ୍ପାନିର କର୍ମଚାରୀଙ୍କ ପାଇଁ ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା। କାରଣ ଭୋର ୪ଟାରୁ ଇମେଲ୍ ଜରିଆରେ କର୍ମଚାରୀଙ୍କୁ ଛଟେଇର ସୂଚନା ଦିଆଯାଇଥିଲା। କମ୍ପାନି ଛାଡୁଥିବା ସହକର୍ମୀମାନଙ୍କୁ କର୍ମଚାରୀମାନେ ଅନ୍ତରୀଣ ମେସେଜିଂ ଆପ୍ରେ 'ସାଲାଡ୍ ଇମୋଜି' (ଯାହାର ଅର୍ଥ ସାଲ୍ୟୁଟ୍) ଦେଇ ବିଦାୟ ଜଣାଇଥିଲେ।

କେବଳ ସେତିକି ନୁହେଁ, AI ମଡେଲକୁ ଟ୍ରେନିଂ ଦେବା ପାଇଁ ଲ୍ୟାପଟପ୍ରେ କର୍ମଚାରୀଙ୍କ କି-ଷ୍ଟ୍ରୋକ୍ ଏବଂ ମାଉସ୍ ମୁଭମେଣ୍ଟ ଉପରେ ନଜର ରଖାଯାଉଥିବାରୁ ଏହାକୁ ବିରୋଧ କରି ୧,୦୦୦ରୁ ଅଧିକ କର୍ମଚାରୀ ଏକ ଆବେଦନ ପତ୍ରରେ ସ୍ଵାକ୍ଷର ମଧ୍ୟ କରିଥିଲେ।

ନିବେଶକଙ୍କ ଚିନ୍ତା: କମିଲା ମେଟାର କ୍ୟାଶ୍ ଫ୍ଲୋ

ଅତ୍ୟଧିକ ଟଙ୍କା AI ଉପରେ ଖର୍ଚ୍ଚ ହେଉଥିବାରୁ ୱାଲ୍ ଷ୍ଟ୍ରିଟ୍ର ନିବେଶକମାନେ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି। ମେଟାର ଦ୍ୱିତୀୟ ତ୍ରୈମାସିକ ମୁକ୍ତ ନଗଦ ପ୍ରବାହ (Free Cash Flow) ପ୍ରାୟ ୯୧ ପ୍ରତିଶତ ହ୍ରାସ ପାଇ ୭୮୪ ମିଲିୟନ ଡଲାରକୁ ଖସି ଆସିଛି। ତେବେ ଜୁକରବର୍ଗ ନିଜ ନିଷ୍ପତ୍ତିରେ ଦୃଢ଼ ରହି କହିଛନ୍ତି ଯେ, ଏହି ବଡ଼ ନିବେଶର ସୁଫଳ ଆଗାମୀ ଦିନରେ ନିଶ୍ଚିତ ଭାବେ ମିଳିବ।