ରାଉରକେଲା: ଜଙ୍ଗଲ ହିଁ ଥିଲା ଠିକଣା । ଲାଲ୍‌ଗଡ଼ ସରଣ୍ଡାକୁ କରିଥିଲେ ଘର। ହାତରେ ବନ୍ଧୁକ। ମନରେ ବିପ୍ଲବର ନିଆଁ । ମାତିଥିଲେ ରକ୍ତପାତରେ। ସରକାରୀ ବ୍ୟବସ୍ଥା ବିରୋଧରେ ଉଠାଉଥିଲେ ସ୍ୱର । ସାଜିଥିଲେ ହିଂସା ପଥର ପଥିକ। କିନ୍ତୁ କୋଳକୁ ସନ୍ତାନ ଆସିବା ପରେ ବଦଳିଗଲା ଦୃଷ୍ଟିଭଙ୍ଗୀ। ହିଂସାର ପଥ ତ୍ୟାଗ କରିବାକୁ ପଣ କଲେ। ଆଉ ବନ୍ଧୁକ ଛାଡ଼ି ହଳ ଲଙ୍ଗଳ ଧରିବାକୁ ନିଷ୍ପତ୍ତି ନେଲେ। ମାଓ ଦମ୍ପତି ବିଜ ହାଁସଦା ଓରଫ୍ ଦର୍ଶନ (୩୬) ଓ ଶାନ୍ତି କୋଡ଼ା ଓରଫ୍ ବନ୍ଦନା (୨୦) ଅସ୍ତ୍ର ଛାଡ଼ି ମୁଖ୍ୟସ୍ରୋତକୁ ଫେରିବା ପଛର ମୁଖ୍ୟ କାରଣ ସେମାନଙ୍କର ନବଜାତ ସନ୍ତାନ ବୋଲି ଜଣାପଡ଼ିଛି। ଆଉ ଏହି ଖବର ଏବେ ସବୁଠି ଚର୍ଚ୍ଚାରେ।

ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲା ଛୋଟାନାଗରା ଥାନା ହାତନାବୁରୁ ଗ୍ରାମର ନିବାସୀ ଦର୍ଶନ। ସେହିପରି ଗୋଏଲକେରା ଥାନା ଅନ୍ତର୍ଗତ ହାତୀବୁରୁ ଗ୍ରାମରେ ବନ୍ଦନାଙ୍କ ଘର। ପ୍ରାୟ ୧୦ ବର୍ଷ ତଳେ ମାଓ ସଂଗଠନରେ ସାମିଲ ହୋଇଥିଲେ ଦର୍ଶନ। ମାଓନେତା ମିସିର ବେସ୍ରାଙ୍କ ସେ ଥିଲେ ଖାସ୍ ସହଯୋଗୀ। ସବ୍‌ଜୋନାଲ କମିଟି (ଏସ୍‌ଜେଡ୍‌ସି) ସଦସ୍ୟ ଥିବା ଦର୍ଶନ ଏସ୍‌ଏଲ୍‌ଆର ବନ୍ଧୁକ ଧରି ସରଣ୍ଡାରୁ କୋହ୍ଲାନ ଏବଂ ପୋଡ଼ାହାଟ ଜଙ୍ଗଲରେ ଖେଳାଇଥିଲେ ଆତଙ୍କ । ତାଙ୍କୁ ଧରିବାକୁ ନାକେଦମ ହୋଇ ପଡ଼ିଥିଲା ଝାଡ଼ଖଣ୍ଡ ପୁଲିସ୍। ସେପଟେ ୩ ବର୍ଷ ତଳେ ବନ୍ଦନା ମଧ୍ୟ ମାଓ ସଂଗଠନରେ ସାମିଲ ହୋଇଥିଲେ। ଆର୍ମ୍ସ କ୍ୟାଡର ଭାବେ ମହିଳା ସଂଗଠନର ନେତୃତ୍ୱ ନେଉଥିଲେ।

ହେଲେ ମାଓହିଂସା, ରକ୍ତପାତ ଭିତରେ ଦର୍ଶନ- ବନ୍ଦନା ନିକଟତର ହେଲେ । ଦୁହିଁଙ୍କ ମଧ୍ୟରେ ଗଢ଼ି ଉଠିଲା ପ୍ରେମ ସମ୍ପର୍କ। ମାଓ କ୍ୟାମ୍ପରେ ସେମାନେ ପରସ୍ପରର ହାତ ଧରିଲେ। ୬ ମାସ ତଳେ ଉଭୟଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ଗୋଟିଏ ପଟେ ମାଓ ନିପାତ ଅଭିଯାନ ଏବଂ ଅନ୍ୟପଟେ ସନ୍ତାନର ଭବିଷ୍ୟତ। ଏଭଳି ଦ୍ବନ୍ଦ୍ବ ଓ ଆଶଙ୍କାରେ ଥିବାବେଳେ ଆତ୍ମସମପର୍ଣ ଆଡ଼କୁ ଢଳିଥିଲେ ମାଓ ଦମ୍ପତି। ସନ୍ତାନ ପ୍ରତି ମମତା ଓ ହିଂସାର ଲଢ଼େଇରେ ଜିତିଗଲା ମମତା। ୬ ମାସର ଛୁଆକୁ ଧରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ସ୍ଥିର କଲେ ଦର୍ଶନ ଏବଂ ବନ୍ଦନା ।

Also Read: ଆଗ୍ରହ ଏବଂ ବିଶ୍ୱାସର ଯାତ୍ରା; ୭୩ ବର୍ଷୀୟ ବୃଦ୍ଧା ଚାଲି ଚାଲି ପହଞ୍ଚିଲେ କେଦାରନାଥ, କହିଲେ – ବାବା ଦେଲେ ଶକ୍ତି

ଗତ ଗୁରୁବାର ପୁଲିସ୍‌ ନିକଟରେ ଆତ୍ମସମପର୍ଣ କରିଥିବା ୨୭ ମାଓବାଦୀଙ୍କ ମଧ୍ୟରେ ଅଛନ୍ତି ଏହି ଦମ୍ପତି। ଦର୍ଶନ ଓ ବନ୍ଦନା କହିଛନ୍ତି, ଦୁହେଁ ଗାଁକୁ ଫେରିବେ। ଚାଷବାସ କରିବେ। ଛୁଆକୁ ନେଇ ସୁଖର ସଂସାର କରିବେ। ସରକାରଙ୍କ ପକ୍ଷରୁ ଯେଉଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ, ସେଥିରେ ପିଲାକୁ ପଢ଼ାଇ ବଡ଼ ମଣିଷ କରିବେ ।