ନୂଆଦିଲ୍ଲୀ ୧୨।୦୯; ଆସାମର ସୋନିତପୁରରୁ ଆସିଛି ଦୁଃଖଦ ଖବର। ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ପାଞ୍ଚଟି ଜୀବନ। ଏକ କାର୍କୁ ସାମ୍ନାପଟୁ ଆସୁଥିବା ଟ୍ରକ୍ ଧକ୍କା ଦେବା ପରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ପୋଲିସ ସୂଚନା ଅନୁଯାୟୀ, ଶନିବାର ସୋନିତପୁର ଜିଲ୍ଲାର ରଙ୍ଗାପଡ଼ା ଥାନା ଅଧୀନ ବାଲିପଡ଼ା ଅଞ୍ଚଳରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟରେ ଘଟିଥିଲା ଏହି ଭୟଙ୍କର ଦୁର୍ଘଟଣା।

କୁହାଯାଉଛି, କାର୍ଟି ଯାଉଥିବା ବେଳେ ସାମ୍ନାରୁ ଆସୁଥିବା ଏକ ବ୍ୟବସାୟିକ ଗାଡ଼ି ବା ଟ୍ରକ୍ ସହ ହୋଇଥିଲା ମୁହାଁମୁହିଁ ଧକ୍କା। ଧକ୍କା ଏତେ ଭୟଙ୍କର ଥିଲା ଯେ, କାର୍ରେ ଥିବା ପାଞ୍ଚ ଜଣ ଯାତ୍ରୀଙ୍କ ଜୀବନ ଚାଲିଯାଇଥିଲା। ସମସ୍ତ ମୃତକ ସୋନିତପୁର ଜିଲ୍ଲାର ଘୋରାମାରୀ ବାଟାବାଡ଼ି ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଉଦ୍ଧାର କରିଥିଲା। ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ ହୋଇଛି। ତେବେ ଦୁର୍ଘଟଣା ପରେ ଟ୍ରକ୍ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ପୋଲିସ କହିଛି। ଫେରାର ଚାଳକଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି। ଗୋଟିଏ ମୁହୂର୍ତ୍ତର ଦୁର୍ଘଟଣା… ଆଉ ଛଡ଼ାଇନେଲା ପାଞ୍ଚଟି ପରିବାରରେ ଶୋକର ଛାୟା। ରାସ୍ତାରେ ସାମାନ୍ୟ ଅସାବଧାନତା କିଭଳି ଅମୂଲ୍ୟ ଜୀବନ ନେଇପାରେ, ତାହା ଆସାମର ଏହି ଦୁର୍ଘଟଣା ପୁଣିଥରେ ତାହାର ଏକ ଦୁଃଖଦ ଉଦାହରଣ।