ନୂଆଦିଲ୍ଲୀ ୧୮। ୦୯ : ଅଶାନ୍ତ ମଣିପୁର... ଗତ ୪ ଦିନ ଭିତରେ ୬ ଜଣ କୁକି ସମ୍ପ୍ରଦାୟର ଲୋକଙ୍କୁ ହତ୍ୟା । ସେମାନଙ୍କ ମଧ୍ୟରେ ୪ ଜଣ ଅଛନ୍ତି ମହିଳା । କୁକି ଓ ନାଗା ସମୁଦାୟ ଭିତରେ ବିବାଦ ଯୋଗୁ ୭ଟି ପାହାଡିଆ ଜିଲ୍ଲାରେ ଜନଜୀବନ ପ୍ରଭାବିତ ହୋଇଛି। ଅନେକ ଅଞ୍ଚଳରେ ୭ ଦିନ ହେଲା ସ୍କୁଲ ଓ ବଜାର ବନ୍ଦ ରହିଛି । ବିଭିନ୍ନ ସ୍ଥାନରେ ସଡକ ଓ ରାଜପଥ ଅବରୋଧ ଯୋଗୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ହିଂସା ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବାଧାପ୍ରାପ୍ତ ହୋଇଛି । କାଙ୍ଗପୋକପି ସମେତ ଉଖରୁଲ, ସେନାପତି, ଚାନ୍ଦେଲ, ତାମେଙ୍ଗଲଙ୍ଗ, ଚୁରାଚାନ୍ଦପୁର ଓ ଫେରଜୱାଲ ଆଦି ପାହାଡି ଜିଲ୍ଲାରେ ବନ୍ଦ ପାଳନ ଓ ଅବରୋଧ ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ ପରିଲକ୍ଷିତ ହୋଇଛି ।

କାଙ୍ଗପୋକପି ଜିଲ୍ଲାର କିଛି ଗାଁରେ ଚିନି କିଲୋ ପିଛା ୪୦୦ ରୁ ୪୫୦ ଟଙ୍କାରେ ବିକ୍ରି ହେଉଛି । ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଲୋକମାନେ ଭୟରେ ଘରୁ ବାହାରୁ ନାହାନ୍ତି । ଚାଷ କାର୍ଯ୍ୟ କରିବାକୁ କ୍ଷେତକୁ ଯିବା, ମେଡିକାଲ ଜରୁରି ଏପରିକି ବିମାନବନ୍ଦର ଯିବାକୁ ମଧ୍ୟ କଷ୍ଟକର ହୋଇପଡିଛି । ଜାତୀୟ ରାଜପଥ ସମେତ ରାଜ୍ୟ ରାଜପଥର ବିଭିନ୍ନ ସ୍ଥାନରେ ନାଗା ସମୁଦାୟର ଲୋକମାନେ ଅବରୋଧ କରିଛନ୍ତି । କେତେକ ସ୍ଥାନରେ ସେମାନେ ଚେକପୋଷ୍ଟ କରିଛନ୍ତି । ବିନା ସୁରକ୍ଷାରେ ଯାନବାହନ ଚଳାଚଳ କରିବା କଷ୍ଟକର ହୋଇପଡିଛି । କାଙ୍ଗପୋକପି ଜିଲ୍ଲାର ଚାମ୍ବାଙ୍ଗକିନିଙ୍ଗ ଲିୟାଙ୍ଗମାଇ ଗ୍ରାମରେ ବୁଧବାର ଅନେକ ଘରକୁ ନିଆଁ ଲଗାଇ ପୋଡି ଦିଆଯାଇଛି । କେତେକ ଘର ଉପରେ ଗୁଳିମାଡ଼ କରାଯାଇଛି । ସେହି ଘରର କାନ୍ଥରେ ଗୁଳିମାଡ଼ର ଚିହ୍ନ ଦେଖିବାକୁ ମିଳିଛି ।

ସେପଟେ ମଣିପୁରରେ ହିଂସାଯୋଗୁ ବିସ୍ଥାପିତ ଲୋକମାନେ ରହୁଥିବା ରିଲିଫ କ୍ୟାମ୍ପରେ ୩୪ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଛି । ତେବେ ଏହି ଘଟଣାରେ ଅପରାଧିକ ମାମଲା ରୁଜୁ କରିବା ଓ ଉପଯୁକ୍ତ ତଦନ୍ତ କରିବାରେ ରାଜ୍ୟ ସରକାରଙ୍କ ବିଫଳତା ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ ବାଗ୍ଚୀ ଓ ବିଚାରପତି ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟର ମୁଖ୍ୟ ସଚିବଙ୍କୁ ରିଲିଫ କ୍ୟାମ୍ପରେ ଅସ୍ୱାଭାବିକ ମୃତ୍ୟୁ ଘଟଣାର ତଦନ୍ତ ସଂକ୍ରାନ୍ତ ସବିଶେଷ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରିଲିଫ କ୍ୟାମ୍ପର ପରିଚାଳନା ସମ୍ପର୍କରେ ତଦାରଖ କରୁଥିବା ଜଷ୍ଟିସ ଗିତା ମିତ୍ତଲ କମିଟିଙ୍କ ରିପୋର୍ଟ ଆଧାରରେ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଜାରି କରିଛନ୍ତି । ରିଲିଫ କ୍ୟାମ୍ପରେ ବିଭିନ୍ନ କାରଣରୁ ଏପର୍ଯ୍ୟନ୍ତ ୬୪୦ ଜଣଙ୍କ ମୃତ୍ୟୁ ଘଟିଛି । ସେଥିରୁ ୩୪ଟି ମୃତ୍ୟୁ ଅସ୍ୱାଭାବିକ ବୋଲି ଦର୍ଶାଯାଇଛି । କିନ୍ତୁ ସେହି ୩୪ଟିରୁ ମାତ୍ର ୨୦ଟିର ଶବ ବ୍ୟବଚ୍ଛେଦ କରାଯାଇଛି । ସେହିଭଳି ରାଜ୍ୟ ସରକାର ମୃତକଙ୍କ ପରିବାରକୁ ଦେଉଥିବା ୨୦,୦୦୦- ୩୦,୦୦୦ ଟଙ୍କା କ୍ଷତିପୂରଣକୁ ନେଇ ମଧ୍ୟ ସର୍ବୋଚ୍ଚ ଅଦାଲତ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି ସମାନ ଘଟଣାରେ ୫ ଲକ୍ଷରୁ ଅଧିକ ଟଙ୍କା ଦିଆଯାଉଥିବା ବେଳେ ଏକ୍ଷେତ୍ରରେ ଏତେ କମ୍ ରାଶି କିଭଳି ପ୍ରଦାନ କରାଯାଉଛି ।