ନୂଆଦିଲ୍ଲୀ: ମଣିପୁରର ତାମେଙ୍ଗଲଙ୍ଗ (Tamenglong) ଜିଲ୍ଲାରେ ରବିବାର ଦୁଇଟି ପୃଥକ୍ ଆକ୍ରମଣରେ ଜଣେ ଦମ୍ପତିଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ୬ ବର୍ଷର ଶିଶୁ ଗୁରୁତର ଆହାତ ହୋଇଛି।

କୁକି 'ବ୍ଲାକ୍ ଡେ' 
ସେପ୍ଟେମ୍ବର ୧୩ ତାରିଖକୁ କୁକି ସମ୍ପ୍ରଦାୟ ୧୯୯୦ ଦଶକର କୁକି-ନାଗା ଜାତିଗତ ହିଂସାରେ ପ୍ରାଣ ହରାଇଥିବା ଲୋକଙ୍କ ସ୍ମୃତିରେ 'କଳା ଦିବସ' ଭାବରେ ପାଳନ କରୁଥିବା ବେଳେ ଆଜି ହିଁ ଏହି ଆକ୍ରମଣ ଘଟିଛି। ଭୋର ପ୍ରାୟ ୫:୩୦ ରେ ଟୋଲେନ୍ ଗ୍ରାମରେ ଆକ୍ରମଣ ହୋଇଥିଲା। ଘଟଣାସ୍ଥଳରେ ୪୬ ବର୍ଷୀୟା ଲିଙ୍ଗଜାଙ୍ଗାଇ ସିଂସିଟଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ସ୍ୱାମୀ ସେଇନେହ ସିଂସିଟ ଏବଂ ୬ ବର୍ଷର ପୁଅ ଗୁଳିମାଡ଼ରେ ଗୁରୁତର ଆହାତ ହୋଇଥିଲେ। ଆସାମର ସିଲଚର ମେଡିକାଲ କଲେଜ ନେବା ବାଟରେ ସେଇନେହଙ୍କ ମୃତ୍ୟୁ ଘଟିଥିବା ବେଳେ ଶିଶୁଟିର ଚିକିତ୍ସା ଚାଲିଛି।

କିଛି ଘଣ୍ଟା ପରେ ଲଙ୍ଗପି ଗ୍ରାମରେ ଅନ୍ୟ ଏକ ଆକ୍ରମଣରେ ଜିଲି ସିଂସନ ଏବଂ ରିଓଲ ଗାଙ୍ଗଟେ ନାମକ ଦୁଇଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି। ରାସ୍ତା ଖରାପ ଥିବା ଯୋଗୁଁ ପୋଲିସ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପାରିନଥିଲା। ମେ ୨୦୨୩ ରୁ ମୈତେଇ (Meitei) ଏବଂ କୁକି (Kuki) ସମ୍ପ୍ରଦାୟ ମଧ୍ୟରେ ଚାଲିଥିବା ହିଂସାରେ ଏପର୍ଯ୍ୟନ୍ତ ପ୍ରାୟ ୩୦୬ ଜଣଙ୍କ ମୃତ୍ୟୁ ଘଟିଛି, ୪୯ ଜଣ ନିଖୋଜ ଅଛନ୍ତି ଏବଂ ହଜାର ହଜାର ଲୋକ ବାସହୀନ ହୋଇଛନ୍ତି।

ହିଂସାକୁ ନିନ୍ଦା କରିବା ସହ ନାଗା ଏବଂ କୁକି ସମ୍ପ୍ରଦାୟକୁ ଗୁଜବ ଓ ଉତ୍ତେଜକ ସନ୍ଦେଶ ପ୍ରସାର ନକରି ଶାନ୍ତି ବଜାୟ ରଖିବାକୁ ଆହ୍ୱାନ ଦେଇଛନ୍ତି କାଇମାଇ ନାଗା ଗ୍ରାମ ପ୍ରଶାସନ। ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍. ବିରେନ୍ ସିଂହ ଏହି ଆକ୍ରମଣକୁ ‘ଅତ୍ୟନ୍ତ ଦୁଃଖଦାୟକ’ ବୋଲି କହିବା ସହ ନିରୀହ ନାଗରିକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ଦାବି କରିଛନ୍ତି।