ମୋରଡ଼ା: ମଦ ପିଇବା ପାଇଁ ନିଜ ଜନ୍ମକଲା ପୁଅକୁ ବିକ୍ରି କରିଦେବାକୁ କରୁଥିଲା ଉଦ୍ୟମ। ତାହାବି ମାତ୍ର ୩୦ ହଜାର ଟଙ୍କା ପାଇଁ। ହେଲେ ଠିକ୍ ସମୟରେ ସ୍ଥାନୀୟ ଲୋକେ ତାଙ୍କୁ ଏଭଳି କରିବାରୁ ଅଟକାଇଥିଲେ। ଏହି ଏକ ଅଭାବନୀୟ ଘଟଣା ଘଟିଛି ବାରିପଦା ସଦର ଥାନା ଅଧୀନ ଚନ୍ଦାବିଲା ଅଞ୍ଚଳରେ।

ତେବେ ନିଶାଶକ୍ତ ବାପା ପାଖରୁ ୭ ମାସର ଶିଶୁପୁତ୍ରକୁ ସଦର ପୋଲିସ ଉଦ୍ଧାର କରିବା ପରେ ବାରିପଦା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପିଲାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ପରେ ଶିଶୁଯତ୍ନ ଅନୁଷ୍ଠାନ ହେପାଜତକୁ ପଠାଯାଇଛି। ଏହି ଘଟଣା ଏବେ ସମଗ୍ର ଅଞ୍ଚଳରେ ଚିନ୍ତାର କାରଣ ପାଲଟିଛି।

ସୂଚନା ଅନୁଯାୟୀ, ମୋରଡା ଥାନା ଅନ୍ତର୍ଗତ ଘୋଳମୁଁହା ପଞ୍ଚାୟତର କାରାମଘୁଟୁ ଗାଁର ରତନ କିସ୍କୁ ନିଜର ପ୍ରାୟ ସାତ ମାସର ଶିଶୁ ପୁତ୍ରକୁ ତିରିଶ ହଜାର ଟଙ୍କାରେ ବିକ୍ରି କରିବା ପାଇଁ ବାରିପଦା ସଦର ଥାନା ଅଞ୍ଚଳର ଚନ୍ଦନପୁର ପଞ୍ଚାୟତର ଚନ୍ଦାବିଲା ଗାଁକୁ ନେଇଆସିଥିଲେ। ସେଠାରେ ଲାଲୁ ମାର୍ଣ୍ଡିଙ୍କ ଘରେ ଶିଶୁଟିକୁ ଦେବାକୁ ଚେଷ୍ଟା କରୁଥିବା ବେଳେ ଲାଲୁ ମାର୍ଣ୍ଡିଙ୍କ ପରିବାର ଲୋକ ରତନଙ୍କୁ କାହିଁକି ଶିଶୁକୁ ବିକ୍ରି କରୁଛନ୍ତି ବୋଲି ପଚାରିବାରୁ ସେ ସଠିକ ଉତ୍ତର ଦେଇପାରିନଥିଲେ।

ଏହାପରେ ସନ୍ଦେହ ହେବାରୁ ପରିବାର ଲୋକ ତାଙ୍କୁ ଗାଳିଗୁଳଜ କରିଥିଲେ ଏବଂ ରତନ କିସ୍କୁ ଶିଶୁ ପୁତ୍ରକୁ ଛାଡ଼ିଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପରେ ଲାଲୁ ମାର୍ଣ୍ଡିଙ୍କ ପରିବାର ଲୋକ ଅଙ୍ଗନୱାଡି କର୍ମୀ ଓ ଆଶା କର୍ମୀଙ୍କୁ ଖବର ଦେବାରୁ ଅଙ୍ଗନୱାଡି ଦିଦି ଓ ଆଶା ଦିଦି ଘଟଣାସ୍ଥଳରେ ପହଞ୍ଚି ସିଡିପିଓ ଓ ପୋଲିସକୁ ସୂଚନା ଦେଇଥିଲେ। ବାରିପଦା ସଦର ଥାନା ପୋଲିସ ଚନ୍ଦାବିଲା ଗାଁରେ ପହଞ୍ଚି ଶିଶୁ ପୁତ୍ରକୁ ଉଦ୍ଧାର କରି ନିଜ ହେପାଜତକୁ ନେଇଥିଲା।