ଗୌହାଟୀ: ଗୌହାଟୀ ଉଚ୍ଚନ୍ୟାୟାଳୟ ବିଦେଶୀ ନ୍ୟାୟାଧିକରଣଙ୍କ ସେହି ନିଷ୍ପତ୍ତିକୁ କାୟମ ରଖିଛନ୍ତି ଯେଉଁଥିରେ ଆସାମର ଜନୈକ ବାସିନ୍ଦାଙ୍କୁ ବିଦେଶୀ ଘୋଷଣା କରାଯାଇଥିଲା। ନିଜ ନାଗରିକତା ସାବ୍ୟସ୍ତ କରିବା ପାଇଁ ସମ୍ପୃକ୍ତ ବ୍ୟକ୍ତି କୋର୍ଟରେ ଅଲଗା ଅଲଗା ୧୫ଟି ଦସ୍ତାବେଜ ଉପସ୍ଥାପନ କରିଥିଲେ। ହେଲେ କୋର୍ଟ ତାଙ୍କ ଆବେଦନକୁ ଏହା କହି ଖାରଜ କରିଦେଇଛନ୍ତି ଯେ ତାଙ୍କ ଦ୍ୱାରା ଉପସ୍ଥାପିତ ତଥ୍ୟ ହୁଏତ ଆଇନତଃ ଅସ୍ୱୀକାର୍ଯ୍ୟ ଅଥବା ତାଙ୍କ ନାଗରିକତା ସାବ୍ୟସ୍ତ କରିବାକୁ ସେ ଅସମର୍ଥ।

ଗୌହାଟୀ ସହର ନିକଟରେ ଏକ ଭଡ଼ା ଘରେ ରହୁଥିବା ଆବେଦନକାରୀ ଜଣେ ଦିନ ମଜୁରିଆ। ସେ ଭାରତୀୟ ନାଗରିକ ଏହା ସାବ୍ୟସ୍ତ କରିବା ପାଇଁ ମୌଖିକ ସାକ୍ଷ ସହ ମଜଭୁତ ପ୍ରମାଣପତ୍ର ମଧ୍ୟ ଉପସ୍ଥାପନ କରିଥିଲେ। ତାଙ୍କ ଦ୍ୱାରା ଦାଖଲ କାଗଜପତ୍ରରେ ୧୯୫୧ ଡାତୀୟ ନାଗରିକ ରେଜିଷ୍ଟର (ଏନଆରସି) କପି ମଧ୍ୟ ଥିଲା, ଯେଉଁଥିରେ ତାଙ୍କ ପିତା, ଜେଜେ ଓ ଜେଜେମାଙ୍କ ନାମ ରହିଛି। ଏହା ଛଡା ୧୯୬୬ରୁ ଆରମ୍ଭ କରି ଏ ପର୍ଯ୍ୟନ୍ତର ଅନେକ ଭୋଟର ତାଲିକା, ୨୦୧୭ ମସିହାର ସ୍କୁଲ ପ୍ରମାଣପତ୍ର , ପାନ କାର୍ଡ ଓ ଭୋଟର ଫଟୋ ପରିଚୟ ପତ୍ର ମଧ୍ୟ ଉପସ୍ଥାପିତ କରିଥିଲେ। ସେ ତାଙ୍କ ବଂଶର ବୋଲି ପିତାଙ୍କ ମୌଖକ ସାକ୍ଷ୍ୟ ମଧ୍ୟ ପ୍ରସ୍ତୁତ କରିଥିଲେ।

ତେବେ ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ କଲ୍ୟାଣ ରାୟ ସୁରାନା ଓ ଜଷ୍ଟିସ୍ ସମୀମା ଜହାଁ ଙ୍କ ଖଣ୍ଡପୀଠ ରାୟରେ କହିଛନ୍ତି ଯେ କୌଣସି କାଗଜପତ୍ର ଆବେଦନକାରୀଙ୍କ ଦାବି ଅନୁସାରେ ତାଙ୍କୁ ପୂର୍ବଜଙ୍କ ସହିତ ସଫଳତାର ସହ ଯୋଡି ପାରୁ ନାହିଁ। ଏଣୁ ପୀଠ କହିଛନ୍ତି ଯେ ବିଦେଶୀ ଅଧିନିୟମ ଧାରା ୧୯୪୬ର ଧାରା ୯ ଅନୁସାରେ ସେ ତାଙ୍କ ଅପେକ୍ଷିତ ଦାୟିତ୍ୱ ପୁରା କରିବାରେ ବିଫଳ ହୋଇଛନ୍ତି। ଯେଉଁଥିରେ ତାଙ୍କୁ ପ୍ରମାଣିତ କରିବାର ଥିଲା ଯେ ସେ ବିଦେଶୀ ନାଗରିକ ନୁହନ୍ତି ବରଂ ଭାରତୀୟ।

କାହିଁକି ଖାରଜ ହେଲା ଆବେଦନ?
ଗୌହାଟୀ ଉଚ୍ଚନ୍ୟାୟାଳୟ ଆବେଦନକାରୀଙ୍କ ଦ୍ୱାରା ଉପସ୍ଥାପିତ ଭୋଟର ଲିଷ୍ଟରେ ଅନେକ ବିସଙ୍ଗତି ଦେଖିଛନ୍ତି। ଏଥିରେ ସବୁଠୁ ଯାହା ମୁଖ୍ୟ ବିସଙ୍ଗତି ତାହା ହେଉଛି ଆୟୁ ସମ୍ପର୍କିତ। କୋର୍ଟ କହିଛନ୍ତି ଯେ ୧୯୭୯ର ଏକ ଭୋଟର ତାଲିକାରେ ପରିବାରର ଜନୈକ ସଦସ୍ୟଙ୍କ ବୟସ ୨୫ ବର୍ଷ ଦର୍ଶା ଯାଇଛି ସେହି ସଦସ୍ୟଙ୍କ ଆୟୁ ୧୯୮୯ ଭୋଟର ତାଲିକାରେ ୨୯ ବର୍ଷ ରହିଛି। ଏହା ଛଡା ସେ ସୂଚୀରେ ଏପରି ଲୋକଙ୍କ ନାମ ଦେଇଥିଲେ ଯେଉଁମାନଙ୍କ ସମ୍ପର୍କରେ କୌଣସି ଦଲିଲବା ପ୍ରମାଣ ନଥିଲା। ଏହାଛଡା ପରିବାରର ନାମ ୩ ଅଲଗା ଅଲଗା ଗାଁ ବିନା କୌଣସି ବିଶ୍ୱସନୀୟ ସମ୍ବଦ୍ଧରେ ଉଲ୍ଲେଖ କରାଯାଇଛି। ଏହି ସବୁ ବିରୋଧାଭାସ ଯୋଗୁ ବିଦେଶୀ ନ୍ୟାୟାଧିକରଣ ଓ ଉଚ୍ଚନ୍ୟାୟାଳୟ ଭୋଟର ସୂଚୀକୁ ନାଗରିକତାର ବିଶ୍ୱସନୀୟ ପ୍ରମାଣ ରୂପେ ଖାରଜ କରିଦେଇଛନ୍ତି।