ବଲାଙ୍ଗିର: ଦିବ୍ୟା ଶାଳୀକୁ ନେଇ ଫେରାର ମାରୁଥିବା ବେଳେ ଜଙ୍ଗଲରେ ଘଟିଛି ଅଘଟଣ। ଶିକାରୀ ବିଛାଇଥିବା ବିଦ୍ୟୁତ୍ ଫାଶରେ ପଡ଼ି ଯାଇଛି ଭିଣୋଇ ଜୀବନ। ଶାଳୀ ଗୁରୁତର ହୋଇଛନ୍ତି। ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ମହଦା ପାହାଡ଼ ପାଦଦେଶ ଅନ୍ଧାରୀ ଜଙ୍ଗଲରେ ଗତ ଗୁରୁବାର ରାତିରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ମୃତକ ଚନ୍ଦନଜୁରୀ ଗ୍ରାମର କ୍ଷେତ୍ର ବାଗ୍(୪୫) । ଗୁରୁତର ଶାଳୀଙ୍କ ଘର ଗୁନଞ୍ଚାଡିହି ଅଞ୍ଚଳରେ ଏବଂ ତାଙ୍କ ବୟସ ୩୫ ବର୍ଷ। ଅଘଟଣ ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଶିକାରୀମାନେ ମୃତଦେହକୁ ପାହାଡ଼ ଖୋଲରେ ଫିଙ୍ଗି ଦେଇଥିଲେ। ସନ୍ଧାନୀ କୁକୁର ସହାୟତାରେ ପୁଲିସ୍ ଶବ ଜବତ କରିଛି।

ଉତ୍ତରପ୍ରଦେଶ ବାରାଣସୀର ଏକ ଘରୋଇ କମ୍ପାନିରେ ଶ୍ରମିକ ଭାବେ କାମ କରୁଥିବା କ୍ଷେତ୍ର ୬ ବର୍ଷ ତଳେ ସମ୍ପୃକ୍ତ ଦିବ୍ୟାଙ୍ଗ ଯୁବତୀ(ଶାଳୀ)ଙ୍କ ବଡ଼ବାପାଙ୍କ ଝିଅକୁ ବିବାହ କରିଥିଲେ। ଏଥିପୂର୍ବରୁ ଗାଁର ଅନ୍ୟ ଦୁଇଜଣଙ୍କୁ ମଧ୍ୟ ପ୍ରେମ ଜାଲରେ ଫସାଇ ବାହା ହୋଇଥିଲେ। କିନ୍ତୁ ସମ୍ପୃକ୍ତ ତିନିଜଣ ସ୍ତ୍ରୀଙ୍କ କୌଣସି ଖୋଜଖବର ମିଳୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଇତିମଧ୍ୟରେ କକା ଶ୍ଵଶୁରଙ୍କ ଦିବ୍ୟାଙ୍ଗ ଝିଅଙ୍କୁ ପ୍ରେମ ଜାଲରେ ଫସାଇଥିଲେ କ୍ଷେତ୍ର । ଗତ ଗୁରୁବାର ରାତିରେ ତାଙ୍କୁ ନେଇ ଜଙ୍ଗଲ ରାସ୍ତାରେ ଫେରାର ହେବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ଅନ୍ଧାରୀ ଲାହେରଜୁରୀ ଗାଁ ଜଙ୍ଗଲ ଭିତରେ ଶିକାରୀ ବିଛାଇଥିବା ବିଦ୍ୟୁତ୍ ଫାଶରେ ଛନ୍ଦି ହୋଇଯାଇଥିଲେ କ୍ଷେତ୍ର। ଘଟଣାସ୍ଥଳରେ ତାଙ୍କର ଜୀବନ ଚାଲିଯାଇଥିଲା। ଶାଳୀ ମଧ୍ୟ ଗୁରୁତର ହୋଇଥିଲେ। କୌଣସି ପ୍ରକାରେ ବିଦ୍ୟୁତ୍ ଫାଶରୁ ବର୍ଷିଯାଇ ସେ ପାଣ୍ଡେସର ଗାଁ ମୁଣ୍ଡରେ ଥିବା ଏକ କୁକୁଡ଼ା ଫାର୍ମରେ ପହଞ୍ଚୁଥିଲେ।

ଫାର୍ମ କର୍ମଚାରୀ ଏବଂ ଗ୍ରାମବାସୀ ଘଟଣା ସମ୍ପର୍କରେ ଜାଣିବା ପରେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ପହଞ୍ଚୁ ଯୁବତୀଙ୍କୁ ଘସିଏନ୍ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କର ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଛି। ସକାଳୁ ଘଟଣାସ୍ଥଳକୁ ପୁଲିସ୍ ଯାଇଥିଲା I କିନ୍ତୁ ମୃତଦେହ ମିଳି ନ ଥିଲା । ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ସନ୍ଧାନୀ କୁକୁର ସହାୟତାରେ ଦିନତମାମ ଖୋଜାଖୋଜି କରିବା ପରେ ସନ୍ଧ୍ୟାରେ ଜଙ୍ଗଲର ଏକ ପଥର ଖୋଲରୁ କ୍ଷେତ୍ରଙ୍କ ଶବ ମିଳିଥିଲା।

also read- ଘରେ ବାଘ-ଭାଲୁ ରଖନ୍ତୁ, ଆପତ୍ତି ନାହିଁ! ହେଲେ ଅନ୍ୟଙ୍କୁ ହଇରାଣ କଲେ ହେବ ଆକ୍ସନ୍‌: ମେୟର

ଶିକାରୀମାନେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୃତଦେହ ସେଠାରେ ଫିଙ୍ଗି ଦେଇଥିବା ଜଣାପଡ଼ିଛି। ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ୍ ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ, ଉକ୍ତ ଜଙ୍ଗଲରେ ଶିକାରୀଙ୍କ ବିଦ୍ୟୁତ ତାର ଫାଶରେ ପଡ଼ି କିଛିମାସ ତଳେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ବନ ବିଭାଗ ଦୁଇ ଜଣ ପେସାଦାର ଶିକାରୀଙ୍କୁ ଗିରଫ କରିଥିଲା। ସେମାନେ ଜାମିନରେ ଆସିବା ପରେ ପୁଣି ଶିକାରରେ ମାତିଥିବା ଗ୍ରାମବାସୀ କହିଛନ୍ତି। ସେମାନେ ହିଁ ବିଦ୍ୟୁତ୍ ଫାଶ ବିଛାଇଥିବା ଚର୍ଚ୍ଚା ହେଉଛି।