କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ବଡ଼ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ବିଜେପି ତାଙ୍କ ବିରୋଧରେ ଦୁଇଟି ମିଥ୍ୟା ମାମଲା ରୁଜୁ କରିବାକୁ ଉଦ୍ୟମ କରି ନିର୍ବାଚନ ଆୟୋଗ (ଇସି)ଙ୍କ ସହାୟତାରେ ଦକ୍ଷିଣ କୋଲକାତାର ଭବାନୀପୁର ସିଟରେ ତାଙ୍କ ପ୍ରାର୍ଥୀତ୍ୱ ରଦ୍ଦ କରିବାକୁ ଉଦ୍ୟମ କରିଛି। ହେଲେ ତୃଣମୂଳ କଂଗ୍ରେସ(ଟିଏମସି) ଓ ସାଧାରଣ ଲୋକେ ବିଜେପି ଓ ଇସିଙ୍କ ଯୋଜନାକୁ ପଣ୍ଡ କରିଦେଇଛନ୍ତି।

ମମତା ବାନାର୍ଜୀ ଶନିବାର ପଶ୍ଚିମ ମେଦିନପୁର ଜିଲ୍ଲା କେସିୟାରୀରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି ଯେ ଭୋଟର ଲିଷ୍ଟ ଗହନ ପୁନରୀକ୍ଷଣ (ଏସଆଇଆର) କାଳରେ ବିଜେପି ଭୋଟର ଲିଷ୍ଟରୁ ୯୦ ଲକ୍ଷ ଭୋଟରଙ୍କ ନାମ ‘ଜୋରଜବରଦସ୍ତ’ ହଟାଇଛି। ଏବେ ଭବାନୀପୁର ସିଟ୍ ସୁରକ୍ଷିତ ରଖିବା ଲାଗି ମମତାଙ୍କ ବିପକ୍ଷରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ବଡ଼ ଚ୍ୟାଲେଞ୍ଜ ପାଲଟିଛନ୍ତି। ତେବେ ମମତା କହିଛନ୍ତି ଯେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚନ ଲଢି ଜିତିବାର ସାହାସ ବିଜେପିର ନାହିଁ, ଏଣୁ ଅନ୍ୟ ଉପାୟରେ ଭୋଟ ହାତେଇବାକୁ ଷଡ଼ଯନ୍ତ୍ର କରୁଛି। ନିର୍ବାଚନ ଆୟୋଗଙ୍କ ଜନୈକ ବରିଷ୍ଠ ଅଧିକାରୀଙ୍କୁ ‘ବିଜେପିର ମୁଖ୍ୟ ୱାସିଂ ମେସିନ’ ବୋଲି ମମତା କହିଛନ୍ତି। ଏହି ଅଧିକାରୀ ବିଜେପି ପ୍ରରୋଚନାରେ ଭୋଟର ଲିଷ୍ଟରୁ ଭୋଟରଙ୍କ ନାମ ହଟାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି।

ଏହା ଛଡା ଭୋଟ ପରିଣାମ ନିଜ ପକ୍ଷରେ କରିବା ପାଇଁ ଇଲେକ୍ଟ୍ରୋନିକ୍ ଭୋଟିଁ ମେସିନ (ଇଭିଏମ)ରେ କାରସାଦି କରିବାକୁ ସେମାନେ ଯୋଜନା କରୁଥିବା ମମତା ଅଭିଯୋଗ କରିଛନ୍ତି। ତେବେ ମମତା କହିଛନ୍ତି ଯେ ବିଧାନସଭା ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ଓ ଦିଲ୍ଲୀରୁ ବେଦଖଲ ହେବା ପରେ ନ୍ୟାୟ ବିଳମ୍ବରେ ହେଲେ ବି ନିଶ୍ଚୟ ମିଳିବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଏସଆଇଆର ପ୍ରକ୍ରିୟା ଯୋଗୁ ୨୫୦ରୁ ଅଧିକ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଏହା ବାଦେ ଭୋଟର ଲିଷ୍ଟରୁ ବାଦ ପଡିଥିବା ୯୦ ଲକ୍ଷ ଭୋଟରଙ୍କ ମଧ୍ୟରୁ ୬୦ ଲକ୍ଷ କେବଳ ହିନ୍ଦୁ। ଏଣୁ ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି ଯେ ଆମେ ବଙ୍ଗାଳି କହୁଥିବାରୁ କଣ ଦେଶର ନାଗରିକ ନୁହଁ ? ଆମକୁ କଣ ବାରମ୍ବାର ଆମର ନାଗରିକତା ପ୍ରମାଣ ଦେବାକୁ ପଡିବ?

ମମତା କହିଛନ୍ତି ଯେ ଦିନେ ନା ଦିନେ ଏସଆଇଆର ଦେଶର ସବୁଠୁ ବଡ଼ ଦୁର୍ନୀତି ବୋଲି ଜଣାପଡିବ। ଏଥିରେ ମମତା ପଶ୍ଚିମବଙ୍ଗରେ ବିଜେପି ସରକାର ହେଲେ ୟୁସିସି ଲାଗୁ କରିବେ ବୋଲି କରୁଥିବା ପ୍ରଚାରର ମଧ୍ୟ ଜବାବ ରଖିଛନ୍ତି। ମମତା କହିଛନ୍ତି ଯେ ଏହା କରି ବିଜେପି ଲୋକଙ୍କ ଉପରେ ନିଜର ଇଛା ଥୋପିବାକୁ ଚାହୁଁଛି। ୟୁସିସିରେ ଆପଣଙ୍କୁ ଧାର୍ମିକ ଆସ୍ଥା ପାଳନ କରିବା ପରମ୍ପରା ଅନୁସାରେ ରିତିରିବାଜ କରିବାର ଅଧିକାର ବିଜେପି ଛଡେଇବାକୁ ଚାହୁଁଛି। ସେମାନେ ସବୁ ଧାର୍ମିକ ପ୍ରଥାକୁ ଏକ ଭଳି କରିବାକୁ ଚାହୁଁଥିବା ମମତା କହିଛନ୍ତି।